ଗୋଆ, (ମନୋରଞ୍ଜନ ମହାନ୍ତି)୨୩/୧୧: ଗୋଆରେ ଚାଲିଥିବା ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫ୍ଏଫ୍ଆଇ)-୨୦୨୫ରେ ବିଶ୍ୱ ଦେଖିଲା ଓଡ଼ିଶାର ସୁନ୍ଦର କୋରାପୁଟ । ଉପଭୋଗ କଲା ତା’ର କଳା, ସଂସ୍କୃତି, ସାହିତ୍ୟ ଆଉ ସଙ୍ଗୀତକୁ । କିଛି ସମୟ ପାଇଁ ହଜିଗଲା ଏବଂ ବଣ ଜଙ୍ଗଲ ଭରା ସରଳିଆ ଲୋକଙ୍କ ଭିତରେ ନିଜକୁ ଖୋଜି ବୁଲିଲା । ଦର୍ଶକଙ୍କୁ ଏମିତି ଏକ ଅବସର ଦେଇଥିଲା ଇଣ୍ଡିଆନ ପାନୋରାମା ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇ ପ୍ରଦର୍ଶିତ ହୋଇଥିବା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର "ମାଳିପୁଟ ମେଲୋଡିଜ୍’ । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ୪ଟି ହୃଦୟସ୍ପର୍ଶୀ କାହାଣୀର ସମାହାର । କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି କୌଶିକ ଦାସ ।

ଚଳଚ୍ଚିତ୍ରର ପ୍ରଥମ କାହାଣୀ "କାନଫୁଲ'ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି । ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍ ହୋଇଯାଉଛି, ଯେତେବେଳେ କରୋନା ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍ ହୋଇଯାଉଛି । ଦ୍ୱିତୀୟ କାହାଣୀ ହେଉଛି "ରଙ୍ଗମାଟି' । ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ । ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବେଙ୍ଗାଲୁରୁ ଯିବାକୁ ସ୍ୱପ୍ନ ଦେଖୁଛି । କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା'କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି । ତୃତୀୟ କାହାଣୀ "ବାଇଦକାରିଆ'ରେ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ଦଶହରା ପୂଜାକୁ ଅପେକ୍ଷାର ଚିତ୍ର ବର୍ଣ୍ଣିତ । କାହାଣୀ ଗତିଶୀଳ ହେବା ସହିତ ଅପ୍ରତ୍ୟାଶିତ ସତ୍ୟ ଏବଂ ବର୍ଦ୍ଧିତ ଉତ୍ତେଜନା ଘଟଣାର ମୋଡ଼ ବଦଳାଇ ଦେଉଛି । ଚତୁର୍ଥ କାହାଣୀ "ବିଭାଘର'ରେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଏକ ମଧ୍ୟବିତ୍ତ ପରିବାର କଥାକୁ ଅତି ଜୀବନ୍ତ ଏବଂ ନିଚ୍ଛକ ଢଙ୍ଗରେ ସୂକ୍ଷ୍ମ ହାସ୍ୟରସ ସହ ଚିତ୍ରିତ କରାଯାଇଛି । ସବୁ କାହାଣୀରେ ଗ୍ରାମୀଣ ଓଡ଼ିଶାର ଆଶା, ସଂଘର୍ଷ ଏବଂ ଦୃଢ଼ତା ବର୍ଣ୍ଣିତ । ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ଜରିଆରେ ଗ୍ରାମୀଣ ସମ୍ପ୍ରଦାୟ, ସେମାନଙ୍କ ସ୍ୱପ୍ନ ଏବଂ ମଣିଷର ଦୃଢ଼ ମନୋବଳକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି ।

ଚଳଚ୍ଚିତ୍ରର ନିର୍ଦ୍ଦେଶକ କୋରାପୁଟ ଜୟପୁରର ବାସିନ୍ଦା ବିଶାଲ ପଟ୍ଟନାୟକ ବୃତ୍ତିରେ ଜଣେ କଳା ଶିକ୍ଷକ । ଶନିବାର ଫିଲ୍ମ ପ୍ରଦର୍ଶନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନିଜ ଅଞ୍ଚଳର ଲୋକଙ୍କ କଥାକୁ ସମସ୍ତଙ୍କୁ ଜଣାଇବା ଲାଗି ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି । ପ୍ରଯୋଜକ ଶ୍ରୀ ଦାସ ମଧ୍ୟ ଉପସ୍ଥିତ ରହି କହିଲେ, ସେ ଦୀର୍ଘ ଅଢେଇ ବର୍ଷ ଧରି ସିନେମାର ସୁଟିଂ କରିଥିଲେ । କରୋନା ସମୟରୁ ଆରମ୍ଭ ଏ ଯାତ୍ରା ୨୦୨୪ରେ ସରିଥିଲା । ବଡ଼କଥା ହେଲା ଏହାର କାହାଣୀ ସାଙ୍ଗକୁ କଳାକାର ସମସ୍ତେ ସ୍ଥାନୀୟ । ୭୫ ଭାଗ କଳାକାର ଗାଁର ପ୍ରତିଭା, ବାକି ୨୫ ଭାଗ ମଞ୍ଚ କଳାକାର । ଖୁବ୍ କମ ବଜେଟରେ ପୂରା ୟୁନିଟ୍ ଗୋଟିଏ ପରିବାର ହୋଇ ସିନେମା କରିଛନ୍ତି । ଆସନ୍ତା ମାର୍ଚ୍ଚ-ଏପ୍ରିଲ ପରେ ଏହାର ଶୁଭମୁକ୍ତି ସହ ଦର୍ଶକ ଦେଖିବାକୁ ପାଇବେ । ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହେବା ସହ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସମ୍ମିଳନୀ ପରିଚାଳନା ସହ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।