ଫୁଲନଖରା,୨୫/୦୯:  କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ଗ୍ରାମରେ ଗତକାଲି ରାତିରେ ସଦର ପୁଲିସ  ଚଢ଼ଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ଏହି ଘଟଣାରେ ପୁଲିସ ଜଣକୁ  ଅଟକ ରଖି ପଚରାଉଚରା କରୁଥିଲା । ବେଆଇନ ବାଣ  କାରଖାନା ଚଳାଉଥିବା ଅଭିଯୋଗରେ ଭାଣପୁର ଗ୍ରାମର  ସାଧୁ ଚରଣ ପରିଡ଼ା (୪୨)ଙ୍କୁ ପୁଲିସ ଗିରଫ କରି  କୋର୍ଟଚାଲାଣ କରିଛି । ସାଧୁ ଦୀର୍ଘଦିନ ହେବ କୁଆଖାଇ  ନଦୀ ବନ୍ଧ କୂଳକୁ ଲାଗିଥିବା ତା' ନିଜଘରେ ଏହି ବେଆଇନ  ଭାବେ ବାଣ ତିଆରି କରି ବାହାରେ ବ୍ୟବସାୟ କରୁଥିଲା ।  

ସୂଚନା ଅନୁଯାୟୀ, ଗତକାଲି ପୁଲିସ ସେଠାରେ ଚଢ଼ଉ କରି ବିପୁଳ  ପରିମାରଣ ବାଣ ଓ ବିସ୍ଫୋରକ ଦ୍ରବ୍ୟ ଜବତ କରିଥିଲା ।  ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋନ-୪  ଏସିପିଙ୍କ ଅଫିସ ଓ କଟକ ସଦର ଥାନାଠାରୁ ମାତ୍ର ଅଧ  କିଲୋମିଟର ଦୂରତାରେ ତା'ର ଘର ହୋଇଥିବାବେଳେ  ପୂର୍ବରୁ ପୁଲିସ କିଭଳି ଜାଣିପାରୁ ନ ଥିଲା ତାହା ସାଧାରଣରେ  ଆଲୋଚନାର ବିଷୟ ପାଲଟିଛି । ସାଧୁ ଏହି କାରବାର ଗ୍ରାମ  ମଧ୍ୟରେ କରୁଥିବାବେଳେ ଗ୍ରାମବାସୀ ପୂର୍ବରୁ ଏହାକୁ ବିରୋଧ  କରିଥିଲେ । ହେଲେ ସେ ବାଣ ତିଆରି ପାଇଁ ତାର ଲାଇସେନ୍‌ସ  ଥିବା ଗ୍ରାମବାସୀଙ୍କୁ କହି ଭଣ୍ଡାଇ ଦେଉଥିଲା । ପୁଲିସ ତା'ଘରୁ  ବାଣ ତିଆରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ  ସହିତ ଗୋଟେ ବଡ଼ ମେସିନ, ଗ୍ରାଇଣ୍ଡର୍‌, ବସ୍ତାବସ୍ତା ପାଉଡର,  ସଲଫର, ଗନ ପାଉଡର, ବାରୁଦ,ଏସକ୍ଲୁସିଭ ପାଉଡର  ସମେତ ରଙ୍ଗୀନ ବାଣରେ ବ୍ୟବହୃତ ସରଞ୍ଜାମକୁ ଜବତ  କରିଛି । ଏହି ବ୍ୟବସାୟରେ ଆହୁରି ଅନେକ ଲୋକଙ୍କର ସମ୍ପୃକ୍ତି  ଥିବା ପୁଲିସ ଅନୁମାନ କରୁଛି । ଘଟଣାର ତଦନ୍ତ ଜାରି ରହିଥିବା  ଥାନା ଅଧିକାରୀ ତୁଷାରକାନ୍ତ ସେଠି ସୂଚନା ଦେଇଛନ୍ତି ।