ଭୁବନେଶ୍ଵର, ୩୦/୦୫ : ରାଜଧାନୀ ଭୁବନେଶ୍ୱରରେ ପୁଣି ଚାଲିଲା ବୁଲ୍ଡୋଜର୍ । ମାଟିରେ ମିଶିଲା କାର୍ଗିଲ ବସ୍ତିର ଅବୈଧ ନିର୍ମାଣ। ପଳାସପଲ୍ଲୀରୁ ପୋଖରୀପୁଟ ସଂଯୋଗ କରୁଥିବା ୭୦ ଫୁଟିଆ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଆଜି ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ଆକ୍ସନ। ଦୀର୍ଘ ଦିନ ଧରି ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ଉଠିଥିବା ପ୍ରାୟ ୨୦ରୁ ଅଧିକ ଘର ଏବଂ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଙ୍ଗ କମିଟିର ଏହି ମେଗା ଡ୍ରାଇଭ୍ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା।
ରାଜଧାନୀରେ ସ୍ମାର୍ଟ ରୋଡ୍ କନେକ୍ଟିଭିଟିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ପଳାସପଲ୍ଲୀରୁ ପୋଖରୀପୁଟ ମଧ୍ୟରେ ୭୦ ଫୁଟିଆ ଚାରି ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଯାଉଛି। ହେଲେ ଏହି ବିକାଶମୂଳକ କାର୍ଯ୍ୟ ପଥରେ କାର୍ଗିଲ ବସ୍ତି ଅଞ୍ଚଳରେ ଥିବା ଜବରଦଖଲ ବାଧା ସାଜିଥିଲା। ସରକାରୀ ଜମି ମାଡ଼ି ବସି ଅବୈଧ ଘର ଏବଂ ଦୋକାନ ବେଆଇନ ଭାବେ ଗଢ଼ି ଉଠିଥିଲା। ଏହି ଘର ଗୁଡ଼ିକ ଉପରେ ଶେଷରେ ପ୍ରଶାସନର ହାତୁଡ଼ି ଚାଲିଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଙ୍ଗ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ BDA, BMC, TPCODL, GA ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏ ନେଇ ଆଗରୁ ସୂଚନା ଦିଆଯାଇଥିଲା ବୋଲି GA ମୁଖ୍ୟ କହିଥିଲେ। ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା।
ଆହୁରି ପଢନ୍ତୁ- ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ପ୍ରେସମିଟ୍ କରି ବର୍ଷିଲା ବିଜେଡି
ସେପଟେ ଦୀର୍ଘଦିନ ହେବ ଜବରଦଖଲ କରି ରହିଥିବାରୁ ଲୋକଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖା ଦେଇଥିଲା। ଯାହାକୁ ଆୟତ୍ତ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ସମୟରେ ଯେମିତି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଲୋକଙ୍କୁ ବୁଝାଇ ସୁଝାଇ ସେଠାରୁ ହଟାଯାଇଛି ଏବଂ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ରହିଛି। ଉଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ଏବେ ୪-ଲେନ୍ ବିଶିଷ୍ଟ ସ୍ମାର୍ଟ ରୋଡ୍ ନିର୍ମାଣ କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା କରିଥିବା ଅଭିଯୋଗ, ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍