ସିନ୍ଧେକେଲା, ୧୨/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନାଞ୍ଚଳ ମହଗାଁ ସିଲଣ୍ଡା କେନାଲ ନିକଟରେ ଥିବା ଦେବଦାରୁ ବଗିଚାରେ ଚଢାଉ। ଦଶ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ। ସନ୍ଦେହରେ ଇଟା ଭାଟି ମାଲିକ। 

ସୂଚନାନୁଯାୟୀ, ମହଗାଁ ସିଲଣ୍ଡା କେନାଲ ନିକଟରେ ଥିବା ଦେବଦାରୁ ବଗିଚା ନିକଟରେ କାଠ ମାଫିଆମାନେ କେନ୍ଦୁ ଓ ଖଇର ଗଛ ଗଣ୍ଡି ଗଚ୍ଛିତ ରଖିଥିବା ନେଇ ବନ ବିଭାଗ ଖବର ପାଇଥିଲା। ବଙ୍ଗୋମୁଣ୍ଡା ରେଞ୍ଜେର ପଦ୍ମନାଭ କୁମ୍ଭାର, ସିନ୍ଧେକେଲା ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରା ଯାଇଥିଲା। ଚଢାଉ ବେଳେ ଦଶ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ ହୋଇଛି। ବଗିଚା ନିକଟରେ ଏକ ବେଆଇନ ଇଟା ଭାଟି ତିଆରି ହେଉଥିବା ଦେଖିବାକୁ ମିଳିଛି। ଇଟା ଭାଟି ମାଲିକ ସନ୍ଦେହ ଘେରରେ ରହିଛି। ସେପଟେ ଇଟା ଭାଟିକୁ କାମ କରିବାକୁ ଆସୁଥିବା ଶ୍ରମିକମାନେ ଆଜି କାମ କରିବାକୁ ଆସିନାହାଁନ୍ତି। ଏହି ବେଆଇନ ଖଇର ଓ କେନ୍ଦୁ କାଠ ଗଣ୍ଡି କାହାର ତାହା ଜଣାପଡ଼ି ନାହିଁ। 

ଜବତ ହୋଇଥିବା କାଠ ଗଣ୍ଡିକୁ ଟ୍ରାକ୍ଟର ଯୋଗେ ବଙ୍ଗୋମୁଣ୍ଡା ରେଞ୍ଜେର କାର୍ଯ୍ୟାଳୟକୁ ନିଆଯାଉଛି। ବେଆଇନ କାଠ ଗଣ୍ଡି ଚଢାଉରେ ବନରଖି ଜ୍ୟୋତିର୍ମୟୀ ମିଶ୍ର, ତପସ୍ୱିନୀ ରଣା, ବଙ୍ଗୋମୁଣ୍ଡା ବନାଞ୍ଚଳ ପକ୍ଷରୁ ହିମାଂଶୁ ପଣ୍ଡା, ସହଯୋଗୀ ଭାବେ ଲକ୍ଷ୍ମଣ ବାଗ, ପରମାନନ୍ଦ ଚିନାଗୁନ, କମ୍ବୁରାଜ ସୁନା, ସାମିଲ ଥିଲେ। ତେବେ ଏହି କାଠ ଗଣ୍ଡି କେଉଁ ଜଙ୍ଗଲରୁ ଅଣା ଯାଇଥିଲା ମଲିକ କିଏ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏବେ ସନ୍ଦେହ ଘେରରେ ଇଟା ମାଲିକ ରହିଛି। ଅଧିକ ତଦନ୍ତ ହେଲେ କାଠ ମାଫିଆ ସାମ୍ନାକୁ ଆସିବ ବୋଲି ସିନ୍ଧେକେଲା ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ମହାରଣା କହିଛନ୍ତି। ତେବେ ଏହି ବେପାର କେତେ ଦିନ ଠାରୁ ଚାଲିଥିଲା ତାହା ତଦନ୍ତ ସାପେକ୍ଷ।

​​​​​​​