ଭୁବନେଶ୍ୱର,୨୯/୦୬ ସୋମବାର ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି,  କଳାହାଣ୍ଡି ଓ କନ୍ଧମାଳରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉତ୍ତର ଓଡ଼ିଶାର ବିଭିିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିନ୍ତୁ  ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୩୦  ତାରିଖ(ମଙ୍ଗଳବାର) କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ଗଜପତିରେ ଅଧିକ ବର୍ଷା  ସମ୍ଭାବନା ଅଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା  ହୋଇପାରେ । ରାଜ୍ୟରେ ଦିନ ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ଓ ରାତି ତାପମାତ୍ରା  ୨୭ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲ ଅନୁସାରେ ୧ରୁ ୩ ଜୁଲାଇ ମଧ୍ୟରେ ବଙ୍ଗୋପସାଗରର ପଶ୍ଚିମରୁ ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଦୁର୍ବଳ ଲଘୁଚାପ  କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏବେ ଶକ୍ତିଶାଳୀ ଲଘୁଚାପ ବା  ଅବପାତ ସୃଷ୍ଟିର ସମ୍ଭାବନା କମ୍‌ ରହିଛି । ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ  ଅକ୍ଷରେଖା ସକ୍ରିୟ ହେବାର ସମ୍ଭାବନା ରହିଛି । ରାଜ୍ୟରେ ହଠାତ୍‌ ବଡ଼ ବର୍ଷା ହେବା  ପରିବର୍ତ୍ତେ ବର୍ଷା ଧୀରେ ଧୀରେ ବଢ଼ିପାରେ ।

ଅଧିକ ପଢ଼ନ୍ତୁ :-  Snana Purnima: ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ୧୦୮ଗରା ସୁବାଶିଷ ଜଳରେ ସ୍ନାନ କରି ଗଜାନନ ବେଶରେ ଦେବେ ଦର୍ଶନ

ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା  ବଢ଼ିପାରେ । ପରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ପଶ୍ଚିମ ଓଡ଼ିଶାରେ  ଚାଷ ପାଇଁ ଉପଯୋଗୀ ବର୍ଷା ଆହୁରି ବିଳମ୍ବ ହେବ । ୮ରୁ ୧୪ ତାରିଖ ଭିତରେ  ମୌସୁମୀ ସକ୍ରିୟ ରହିଲେ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ରାଜ୍ୟରେ ମୌସୁମୀ  ବର୍ଷା ହଠାତ୍‌ ସକ୍ରିୟ ହୋଇଯିବ ବୋଲି ଚାଷୀମାନେ ଆଶା ନ ରଖି ଧୀରେ ଧୀରେ  ବର୍ଷା ବଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ  ଚାଷ ପାଇଁ ଅଧିକ ଅନୁକୂଳ ବର୍ଷା ମିଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।