: ପାଣିପାଗ ବିଭାଗର ବଡ଼ ଚେତାବନୀ । ୨୦୨୫ରେ ପ୍ରଚଣ୍ଡ ତାତିର ସାମନା କରିବେ ଦେଶବାସୀ । ଉତ୍ତର-ପଶ୍ଚିମ ଭାରତରେ ଦ୍ୱିଗୁଣିତ ଗ୍ରୀଷ୍ମ ପ୍ରବାହର ସମ୍ଭାବନା । ଚଳିତ ଗ୍ରୀଷ୍ମଋତୁରେ 'ଡବଲ ହିଟ୍ ୱେଭ୍' ଭଳି ପରିସ୍ଥିତିର ସାମନା କରିବେ । ଏନେଇ ସତର୍କ କରାଇଛି ଆଇଏମଡି । ପୂର୍ବ ବର୍ଷ, ତୁଳନାରେ ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ଲହରୀ ପ୍ରବାହ ହେବ । ଏପରିକି ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହୋଇପାରେ । ସାଧାରଣତଃ ଗ୍ରୀଷ୍ମପ୍ରବାହ ମାତ୍ର ୫ ରୁ ୬ ଦିନ ପାଇଁ ରହିଥାଏ । ପଶ୍ଚିମ ଏବଂ ମଧ୍ୟ ଭାରତରେ ଅଧିକ ଗରମ ହେବ ବୋଲି ଆଇଏମଡି କହିଛି । ଆଇଏମଡି ବୈଜ୍ଞାନିକ ସୋମା ସେନ ରୟ ଏନେଇ ସୂଚନା ଦେଇଛନ୍ତି । ଏହା କେବଳ ଏକ ଆକଳନ ବୋଲି ସେ କହିଛନ୍ତି । ଏହାର ଅର୍ଥ ନୁହେଁ ଯେ, ପ୍ରତ୍ୟେକ ଦିନ ସାଧାରଣ ଗରମ ଅପେକ୍ଷା ଅଧିକ ଗରମ ହେବ । ଆଇଏମଡି ଆଗକୁ ଆଧିକ ଅପଡେଟ୍ ଦେବା ଜାରି ରଖିବ ।
ଆଇଏମଡି ଅନୁଯାୟୀ, ସାଧାରଣତଃ, ଉତ୍ତର-ପଶ୍ଚିମ ଭାରତରେ ୫ରୁ ୬ ଦିନ ପାଇଁ ଗରମପ୍ରବାହ ଅନୁଭୂତ ହୁଏ, କିନ୍ତୁ ଚଳିତ ବର୍ଷ, ଗ୍ରୀଷ୍ମପ୍ରବାହ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି । ଏହି ଗ୍ରୀଷ୍ମପ୍ରବାହକୁ ଡବଲ୍ ହିଟ୍ ୱଭ୍ ବୋଲି କୁହାଯାଉଛି । ଆଇଏମଡି ବୈଜ୍ଞାନିକ ସୋମା ସେନ ରୟ କହିଛନ୍ତି ଯେ, ଏହା ଏକ ମୌସୁମୀ ପୂର୍ବାନୁମାନ । ୨୦୨୪ ଭାରତର ସବୁଠାରୁ ଗରମ ବର୍ଷ ଥିଲା । ଗତ ବର୍ଷ ଦେଶରେ ୫୫୪ ଦିନ ଧରି ଗରମ ପ୍ରବାହ ଜାରି ରହିଥିଲା । ଆଇଏମଡି ଅନୁଯାୟୀ, ସମତଳ ଅଞ୍ଚଳରେ ତାପମାତ୍ରା ଯେତେବେଳେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରେ କିମ୍ବା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ହୁଏ, ସେତେବେଳେ ଏକ ଗରମପ୍ରବାହ ଘଟେ ।
ଉତ୍ତର ଭାରତରେ ଆହୁରି ବଢ଼ିବ ତାତି
ଫେବୃଆରୀରେ ଆଇଏମଡି ମାର୍ଚ୍ଚରୁ ମେ ୨୦୨୫ ପାଇଁ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । କିନ୍ତୁ, ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର କିଛି ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ କିମ୍ବା ସାମାନ୍ୟ କମ୍ ରହିପାରେ । ଆଗାମୀ ଦିନରେ, ଉତ୍ତର ଭାରତରେ ଗରମ ଆହୁରି ବୃଦ୍ଧି ପାଇବ । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ । ରାଜସ୍ଥାନରୁ ଆସୁଥିବା ପବନ ଯୋଗୁଁ ତାପମାତ୍ରା ୩-୪ ଡିଗ୍ରୀ ହ୍ରାସ ପାଇପାରେ । ଘଣ୍ଟା ପ୍ରତି ୨୦ରୁ ୩୦ କିମି ବେଗରେ ପବନ ବହିବ । ଏହା ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଧୂଳିଝଡ଼ ସୃଷ୍ଟି କରିବ ।