ଭୁବନେଶ୍ୱର,୨୪/୧୦: ବାତ୍ୟାର  କେନ୍ଦ୍ରସ୍ଥଳରୁ ୨୦୦ କିଲୋମିଟର ଗୋଲେଇ ଭିତରେ ତାଣ୍ଡବ ଖେଳାଇବ ବାତ୍ୟା ‘ଦାନା’ । ଗୁରୁବାର ରାତି ସାଢ଼େ ୧୧ଟାରୁ ଶୁକ୍ରବାର ମଧ୍ୟାହ୍ନ ଯାଏ ୧୧୦ରୁ  ୧୨୦ କିଲୋମିଟର ବେଗରେ ମାଡ଼ ହେବ ପବନ । 

ଧାମରା ବନ୍ଦରଠାରୁ ଉତ୍ତରରେ ଶୁକ୍ରବାର ସକାଳୁ  ସ୍ଥଳଭାଗରେ ପ୍ରବେଶ କରିବ । ଏହାପରେ ସାମାନ୍ୟ  ଦିଗ ବଦଳାଇବ । ମନ୍ଥର ଗତିରେ ଆଗେଇବ ଭଦ୍ରକ ଜିଲ୍ଲାର ବାସୁଦେବପୁର ଦେଇ ବାଲେଶ୍ୱର ଜିଲ୍ଲାର  ସିମୁଳିଆ ବ୍ଲକ୍‌ରେ ପହଞ୍ଚିବ ୨୫ ତାରିଖ ମଧ୍ୟାହ୍ନ  ବେଳକୁ । ସେ ଯାଏ ଭୀଷଣ ରୂପରେ ଥିବ ବାତ୍ୟା ।  ଏହାପରେ ତ୍ୱରିତ୍‌ ବେଗରେ ଦୁର୍ବଳ ହୋଇଯିବ । 

ପାଣିପାଗ ବିଭାଗ (ଆଇଏମ୍‌ଡି)ର ବାତ୍ୟା  ଗତିପଥ ଏପରି ପୂର୍ବାନୁମାନ ଦେଇଛି । ଏକଥା ବି  ସୂଚାଇଛି ଯେ ‘ଦାନା’ର କେନ୍ଦ୍ରୀୟ ମଣ୍ଡଳ ଦକ୍ଷିଣ  ପଶ୍ଚିମ ଭୁବନେଶ୍ୱର କଟକ ଠାରୁ ଉତ୍ତର ପଶ୍ଚିମରେ  ଆନନ୍ଦପୁର, ଘଟଗାଁ ଓ କେନ୍ଦୁଝର ଯାଏ ବ୍ୟାପିବ  ଯେଉଁଠି ପବନର ଗତି ୧୨୦ କିମି ଯାଏ ରହିପାରେ । ଅଣଚାଷ ପବନ ସାଙ୍ଗକୁ ଭୀଷଣ ବର୍ଷା ନେଇ  ଆସିବ ‘ଦାନା’ । ୭ ଜିଲ୍ଲାରେ ଭୟାନକ ବର୍ଷା ହେବ । ୨୦୦ରୁ ୩୦୦ ମିମି ଯାଏ ବର୍ଷା ହୋଇପାରେ । ପବନ  ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି । 

ବାତ୍ୟାର  ସମ୍ଭାବ୍ୟ ଟ୍ରାକ୍‌ କହୁଛି, ଗୁରୁବାର ରାତି ସାଢ଼େ  ୧୧ଟା ବେଳକୁ ‘ଦାନା’ ଭୀଷଣ ବାତ୍ୟା(ସିଭିୟର  ସାଇକ୍ଲୋନିକ ଷ୍ଟର୍ମ) ରୂପ ନେଇ ସାରିଥିବ ।  ସେତେବେଳେ ଏହା ଗହୀରମଥା ପାଖରେ ଥିବା  ଚେନ୍ନାଇ-କଲିକତା ଫେରି ରୁଟ୍‌(ଜାହାଜ ଚଳାଚଳ  ରୁଟ୍‌) ଉପରେ ଥିବ । ଯାହା ଓଡ଼ିଶା ଉପକୂଳ ଠାରୁ  ପାଖାପାଖି ୨୫ରୁ ୩୦ କିଲୋମିଟର ଦୂର । ଫେରି  ରୁଟ୍‌ରୁ ସାମାନ୍ୟ ପଶ୍ଚିମ ଦିଗକୁ ବୁଲି ଧାମରାରେ  ପଶିବ । ଧାମରାରେ ସ୍ଥଳଭାଗ ଛୁଇଁବା ବେଳକୁ  ୨୫ ତାରିଖ ସକାଳ ହୋଇଯିବା ସମ୍ଭାବନା ଅଧିକ । ଧାମରାରେ ସ୍ଥଳଭାଗ ଛୁଇଁବା ପରେ ଏହା  ଭଦ୍ରକ ଜିଲ୍ଲା ବାସୁଦେବପୁର ପାଖରେ ଘଷି ହୋଇ  ମାର୍କୋଣାକୁ ମୁହାଁଇବ । ସେତେବେଳେ ମଧ୍ୟ ଏହା ଭୀଷଣ ବାତ୍ୟା ହୋଇ ଆଗକୁ ବଢୁଥିବ । 

ପବନର  ବେଗ ସାମାନ୍ୟ କମିବ ସତ କିନ୍ତୁ ତାଣ୍ଡବରୁ ତ୍ରାହି  ମିଳିବନି । ୯୫ରୁ ୧୦୫ କିମି ବେଗରେ ପବନ  ବହିବ । ବାତ୍ୟାର ଭୟାବହତା ଖାଲି ଭଦ୍ରକ କି  କେନ୍ଦ୍ରାପଡ଼ା ନୁହେଁ, ବେଶ୍‌ ଦୂର ଯାଏ ପ୍ରଭାବ ପକାଇବ ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି  ବାତ୍ୟା ଦାନା ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ  ମୁହାଁ ହୋଇ ଆଗକୁ ବଢୁଥିଲା । ଘଣ୍ଟାକୁ ୧୩ କିମି  ବେଗରେ ଆଗଉଥିଲା । କିନ୍ତୁ ପରେ ବାତ୍ୟାର  ଗତି ସାମାନ୍ୟ ଧିମା ହୋଇଛି । ସନ୍ଧ୍ୟା ସୁଦ୍ଧା ଏହା  ପାରାଦୀପର ଦକ୍ଷିଣ ପୂର୍ବ ଦିଗରେ ୨୮୦କିମି  ଦୂରରେ ରହିଛି । ସେହିଭଳି ଧାମରାର ଦକ୍ଷିଣ ଓ  ଦକ୍ଷିଣ ପୂର୍ବ ଦିଗରୁ ୩୧୦କିମି ଦୂରରେ ଅଛି ।  ଏହା ଉତ୍ତର ପଶ୍ଚିମ ମୁହାଁ ହୋଇ ଆଗକୁ ଯିବ ।  ୨୪ ତାରିଖ ସକାଳେ ସମୁଦ୍ରରେ ଅତି ଭୀଷଣ  ବାତ୍ୟା ରୂପ ନେବ । 

୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ସ୍ଥଳଭାଗ ଛୁଇଁବ  ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା  ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୨୦ କିମି ରହିବ ।  ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ପାଇଁ  ପ୍ରାୟ ସାଢ଼େ ୫ ଘଣ୍ଟା ସମୟ ଲାଗିବ । ବାତ୍ୟା ପ୍ରଭାବରେ ସାମୁଦ୍ରିକ  ଜୁଆର ଆସିପାରେ । ସ୍ଥଳଭାଗକୁ ଲୁଣି ପାଣି ମାଡ଼ି ଆସିବ । ପବନ  ସାଙ୍ଗକୁ ପ୍ରବଳ ବର୍ଷା ହେବ ବୋଲି ସେ ଚେତାଇ ଦେଇଛନ୍ତି । ବାତ୍ୟା ପ୍ରଭାବରେ ବୁଧବାର ଧାମରା ଓ ପାରାଦୀପ ସମେତ  ରାଜ୍ୟର ଉପକୂଳବର୍ତ୍ତୀ ସ୍ଥାନରେ ବର୍ଷା ହୋଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା  ଚାନ୍ଦବାଲିରେ ୧୪.୮, ପାରାଦୀପରେ ୧୦.୩, ବାଲେଶ୍ୱରରେ ୮.୬,  ଭଦ୍ରକରେ ୮.୧ମିମି ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ପାଗ ବଦଳି  ମେଘୁଆ ହୋଇଛି । 

ଗୁରୁବାର ବର୍ଷା ଢାଳିବା ଆରମ୍ଭ ହୋଇଯିବ । ୨୪  ତାରିଖରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର,  ବାଲେଶ୍ୱର ଓ ମୟୂରଭଞ୍ଜରେ ଅତି ଭୀଷଣ ବର୍ଷା ହୋଇପାରେ ।  ୨୦୦ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ  ଦିଆଯାଇଛି । ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳରେ  ବି ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଗଞ୍ଜାମ, ବୌଦ୍ଧ, ଅନୁଗୁଳ,  ଦେବଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । 

୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ  ଅତି ଭୀଷଣ ବର୍ଷା ଆଶଙ୍କା ଅଛି । ୨୦୦ମିମିରୁ ଅଧିକ ବର୍ଷା ଆଶଙ୍କା  ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ଢେଙ୍କାନାଳ, ଯାଜପୁର, କଟକ,  କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୁଳ ଓ କଟକରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହେବ । ୭୦ରୁ ୨୦୦ମିମି ବର୍ଷା ହୋଇପାରେ ।  ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ପୁରୀରେ  ପ୍ରବଳ ବର୍ଷିବ । ୭୦ରୁ ୧୧୦ମିମି ବର୍ଷା ହୋଇପାରେ । ୨୬ ତାରିଖରେ  ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ବାତ୍ୟା ପାଇଁ ପୁରୀ, ଧାମରା, ଚାନ୍ଦବାଲି ଓ ପାରାଦୀପ ବନ୍ଦରକୁ  ୧୦ନଂ ବିପଦ ସଙ୍କେତ ଦିଆଯାଇଛି । ଗୋପାଳପୁର ବନ୍ଦରକୁ ୮ନଂ  ବିପଦ ସଙ୍କେତ ଦିଆଯାଇଛି । 

ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ସମୟରେ  କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ସାମୁଦ୍ରିକ  ଜୁଆର ଆସିପାରେ । ପ୍ରାୟ ୧ମିଟରରୁ ୨ମିଟର ଉଚ୍ଚତାର ଜୁଆର ଉଠିପାରେ  ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଜଗତସିଂହପୁର ଜିଲ୍ଲାର  ସାମୁଦ୍ରିକ ଅଞ୍ଚଳରେ ୧ମିଟର ଉଚ୍ଚାର ଜୁଆର ଆସିପାରେ । ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାରେ ବାତ୍ୟାର  ଅଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  

ସୋଆ ପରିବେଶ ଓ ଜଳବାୟୁ ଓ କେନ୍ଦ୍ର(ସିଇସି) ପୂର୍ବାନୁମାନ  କରି କହିଛି, ଗୁରୁବାର ଅପରାହ୍ନ ବା ସନ୍ଧ୍ୟା ସୁଦ୍ଧା ବାତ୍ୟା କେନ୍ଦ୍ରାପଡ଼ା  ଓ ଭଦ୍ରକ ଉପକୂଳରେ ରାଜନଗର ପାଖରେ ଅତିକ୍ରମ କରିବ ।  ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ଗୁରୁବାର  ପୂର୍ବାହ୍ନ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି  ରହିପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୪୫ରୁ ୬୦କିମି ବେଗରେ ପବନ ବହିପାରେ ।