ଭୁବନେଶ୍ୱର,୦୩/୧୨: ଚଳିତବର୍ଷ ରାଜ୍ୟରେ କମ୍‌ ଶୀତ ଅନୁଭୂତ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ  ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।  ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି । ଭାରତୀୟ  ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ଡିସେମ୍ବର ମାସରୁ ଫେବ୍ରୁଆରୀ ମାସ ଯାଏ ରାଜ୍ୟରେ  ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମ୍‌ଡି କରିଥିବା  ଆକଳନରୁ ଏହା ଜଣାପଡ଼ିଛି । ଆସନ୍ତା ତିନି ମାସ ଯାଏ ରାତି  ତାପମାତ୍ରା ଭଳି ଦିନ ; ରହିବ । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ । ସେହିଭଳି ରାଜ୍ୟରେ ଶୀତ ଲହରୀ ଆଦୌ  ରହିବନି । ଅର୍ଥାତ୍‌ ଡିସେମ୍ବରରୁ ଫେବ୍ରୁଆରୀ ଯାଏ ଶୀତ ଲହରୀ  ଭଳି ସ୍ଥିତି ସୃଷ୍ଟି ହେବାର କ୍ୱଚିତ୍‌ ସମ୍ଭାବନା ଅଛି । 

ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ  ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ  ରହିବ । ଫଳରେ ଅଧିକ ଶୀତ ଅନୁଭୂତ ହେବନି ।  ସେହିଭଳି ଏ ମାସରେ ବର୍ଷା ହେବାର ସମ୍ଭାବନା  ଅଧିକ ରହିଛି । ସେହିଭଳି ଉତ୍ତର ଓଡ଼ିଶା, ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା  ଅଛି ବୋଲି ଆଇଏମ୍‌ଡି ଆକଳନ କରିଛି । ୩ରୁ  ୫ ତାରିଖ ଯାଏ କିଛି ଜିଲ୍ଲାରେ କାଁ ଭାଁ ବର୍ଷା  ସମ୍ଭାବନା ଅଛି । ୬ରୁ ୮ ତାରିଖ ଯାଏ ପାଗ ଶୁଖିଲା  ରହିବ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି  ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।