ନୂଆଦିଲ୍ଲୀ ୨୩/୦୪: ଘମାଘୋଟ ବାଣିଜ୍ୟ ଯୁଦ୍ଧ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ବିଶ୍ୱ ଜିଡିପି ଅଭିବୃଦ୍ଧି ଅନୁମାନକୁ ଖସାଇଛି ଆଇଏମ୍‌ଏଫ୍‌ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏହାର ସଂଶୋଧିତ ଅନୁମାନରେ କହିଛି ଯେ, ୨୦୨୫-୨୬ ଆର୍ଥିକବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୨% ରହିବ । ଏହା ପୂର୍ବ ଆକଳନ ତୁଳନାରେ ୩୦ ବେସିସ୍‌ ପଏଣ୍ଟ କମ୍‌ । ପୂର୍ବ ଆକଳନ ଥିଲା ୬.୫% । ନିଜର ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌(ଡବ୍ଲ୍ୟୁଇଓ) ରିପୋର୍ଟରେ ଆଇଏମ୍‌ଏଫ୍‌ ପ୍ରକାଶ କରିଛି ଯେ, ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ବଢୁଛି । ଏହା ନୀତି ନିର୍ଦ୍ଧାରଣକାରୀଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । 

୨୦୨୬-୨୭ ଆର୍ଥିକବର୍ଷ ଲାଗି ଦେଶର ଜିଡିପି ଅନୁମାନକୁ ୬.୫%ରୁ ୬.୩%କୁ ଖସାଇଛି ଆଇଏମ୍‌ଏଫ୍‌ । ତେବେ ଆଇଏମ୍‌ଏଫ୍‌ ଅନୁମାନ ଆଧାରରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିକାଶମୁଖୀ ଏବଂ ବିକଶିତ ଅର୍ଥନୀତିଗୁଡ଼ିକ ତୁଳନାରେ ସର୍ବାଧିକ ରହିବ । ଆମେରିକା ଭାରତ ଉପରେ ୨୭% ଟାରିଫ୍‌ ଘୋଷଣା କରିଛି । ଚୀନ୍‌କୁ ଛାଡ଼ି ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକ ପାଇଁ ଏହା ୯୦ ଦିନ ଲାଗି ଶୁଳ୍କ ରିହାତି ପ୍ରଦାନ କରିଛି । ଆଗକୁ ଟାରିଫ୍‌ ଲାଗୁ ହେଲେ ବିଶ୍ୱ ଅର୍ଥନୈତିକ ଚିତ୍ର ବିକୃତ ହୋଇଯିବ ବୋଲି ଅନୁମାନ ରହିଛି । 

ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ ଅନୁସାରେ, ୨୦୨୫ରେ ଭାରତର ଅଭିବୃଦ୍ଧି ଦୃଶ୍ୟପଟ ଅପେକ୍ଷାକୃତ ସ୍ଥିର ରହିଛି । ବିଶେଷ କରି ଗ୍ରାମାଞ୍ଚଳରେ ମଜଭୁତ ଚାହିଦା ଯୋଗୁ ଏହା ସମ୍ଭବ ହେବ । ୨୦୨୫ରେ ଚୀନ୍‌ ପାଇଁ ଆଇଏମ୍‌ଏଫ୍‌ର ଅଭିବୃଦ୍ଧି ଅନୁମାନ ରହିଛି ୪% । ପୂର୍ବରୁ ଏଥିପାଇଁ ୪.୬% ଆକଳନ କରାଯାଇଥିଲା । ଆଲୋଚ୍ୟ ସମୟରେ ଆମେରିକାର ଅଭିବୃଦ୍ଧି ୧.୮% ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି । ଜାନୁଆରୀରେ ଏଥିପାଇଁ ୨.୭% ପୂର୍ବାନୁମାନ କରାଯାଇଥିଲା । ତେବେ ବାଣିଜ୍ୟ ଯୁଦ୍ଧର ପ୍ରଭାବ ଆମେରିକା ଉପରେ ବୃହତ୍‌ ରହିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । 

ବାଣିଜ୍ୟ ଯୁଦ୍ଧର ସିଧା ପ୍ରଭାବ ଚୀନ୍‌ ଏବଂ ଆମେରିକା ଉପରେ ପଡ଼ିବ । ତେଣୁ ଉଭୟ ରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି । ମଧ୍ୟମ ଅବଧି ପାଇଁ ଏସୀୟ ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଟାରିଫ୍‌ ଯୁଦ୍ଧର ପ୍ରଭାବ ଅନୁଭବ କରିବେ ବୋଲି ଏହା ଉଲ୍ଲେଖ କରିଛି । ଆଇଏମ୍‌ଏଫ୍‌ର ଆକଳନ ଅନୁସାରେ, ୨୦୨୫ରେ ବିଶ୍ୱ ଜିଡିପି ୨.୮% ରହିବ । ଏହା ପୂର୍ବରୁ ଅଭିବୃଦ୍ଧି ଅନୁମାନ ଥିଲା ୩.୩% । ଟାରିଫ୍‌ ଯୋଗୁ ମୁଦ୍ରାସ୍ଫୀତି ବି ପ୍ରଭାବିତ ହେବ । ଭାରତର ମୁଦ୍ରାସ୍ଫୀତି ୨୦୨୫-୨୬ରେ ୪.୨% ଏବଂ ୨୦୨୬- ୨୭ରେ ୪.୧% ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି ।