କଟକ,୧୧/୦୪: ଭିଜିଲାନ୍ସ ମାମଲାରେ ଯଦି କୌଣସି ସରକାରୀ କର୍ମଚାରୀଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହୋଇଯାଏ, ସେହି ଆଧାରରେ ତାଙ୍କ  ବିରୋଧରେ ଥିବା ଫୌଜଦାରୀ ମାମଲା ରଦ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ପୂର୍ବରୁ ଏକ ମାମଲାରେ ହାଇକୋର୍ଟ କୌଣସି  ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହେଲେ ସେହି  ଆଧାରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ  ଥିବା କ୍ରିମିନାଲ ପ୍ରୋସିଡିଂ ରଦ୍ଦ ହୋଇଯିବ ବୋଲି  ରାୟ ଶୁଣାଣିଥିଲେ । ଏହି ଆଦେଶ ଆଧାରରେ  ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ନିର୍ମଳ ଚନ୍ଦ୍ର  ପ୍ରଧାନ ଏବଂ ଅନ୍ୟମାନେ ସେମାନଙ୍କ ବିରୋଧରେ  କ୍ରିମିନାଲ୍‌ ପ୍ରୋସିଡିଂକୁ ରଦ୍ଦ ପାଇଁ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ସେମାନେ ଦର୍ଶାଇଥିଲେ, ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ  ସେମାନେ ଛାଡ଼ ପାଇ ସାରିଛନ୍ତି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହୋଇଥିବାରୁ ସେହି  ଆଧାରରେ କ୍ରିମିନାଲ ପ୍ରୋସିଡିଂ ମଧ୍ୟ ରଦ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ବିଚାରପତି ଜଷ୍ଟିସ୍‌ ଶିବଶଙ୍କର ମିଶ୍ର ସମସ୍ତ  ମାମଲାରେ ଏକତ୍ର ଶୁଣାଣି କରି ଗତ ମାର୍ଚ୍ଚ ୧୦ରେ ରାୟ ସଂରକ୍ଷିତ ରଖିଥିଲେ ।  ଗୁରୁବାର ରାୟ ପ୍ରକାଶ କରି ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିଛନ୍ତି ।  ଭିଜିଲାନ୍ସ ପକ୍ଷରୁ ମାମଲାକୁ ଏଏସ୍‌ସି ନିରଞ୍ଜନ ମହାରଣା ପରିଚାଳନା କରୁଥିଲେ ।