ଇସଲାମାବାଦ -ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରିଛନ୍ତି ଦାବି। ଦୃଢର ସହ କହିଛନ୍ତି ଯେ, ତାଙ୍କୁ ୩ବର୍ଷର ନିର୍ବାସନରେ ଦେଶ ଛାଡ଼ିବାକୁ ସୁଯୋଗ ଦିଆ ଯାଇଥିଲା, କିନ୍ତୁ ସେ ଏହି ପ୍ରସ୍ତାବକୁ ଏଡେଇ ଦେଇ ଥିଲେ। ୭୨ ବର୍ଷିୟ ପୂର୍ବତନ କ୍ରିକେଟର ଇମ୍ରାନ ଖାନ ଶୁକ୍ରବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଥିବା ଏକ ପୋଷ୍ଟରେ କହିଛନ୍ତି , ଯେବେ ମୁଁ  ଅଟୋକ ଜେଲ୍‌ରେ ଥିଲି ତ ମୋତେ ୩ବର୍ଷର ନିର୍ବାସନରେ ଦେଶ ଛାଡ଼ିବାକୁ ପ୍ରସ୍ତାବ ଦିଆଯାଇ ଥିଲା , କିନ୍ତୁ ମୁଁ ପାକିସ୍ତାନରେ ହିଁ ରହିବି ଏବଂ ମରିବି। 

ଖାନ ରାୱଲପିଣ୍ଡିର ଅଡିୟାଲା ଜେଲ୍‌ରେ ମିଡିଆକର୍ମୀଙ୍କ ସହ କଥାବାର୍ତ୍ତାରେ କହିଛନ୍ତି କି, ତାଙ୍କୁ ଇସଲାମାବାଦରେ ବାନି ଗାଲା ନିବାସରେ ସ୍ଥାନାନ୍ତର କରିବା ପାଇଁ ପରୋକ୍ଷ ଭାବେ ସଂପର୍କ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୦୨୩ରୁ ଅଡିୟାଲା ଜେଲ୍‌ରେ କଏଦ ଅଛନ୍ତି।  

ଖାନ ଏକ୍ସରେ ଜାରି ପୋଷ୍ଟରେ ଦାବି କରିଛନ୍ତି ଯେ, ସେ ଏହି ପ୍ରସ୍ତାବକୁ ଅସ୍ୱୀକାର କରି ଦେଇଛନ୍ତି। ସେ କହିଛନ୍ତି , ମୋ ଆଭିମୁଖ୍ୟ ସ୍ପଷ୍ଟ - ପ୍ରଥମେ ହେପାଜତକୁ ନେଇଥିବା ମୋର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ମୁକ୍ତ କର। ଏହାପରେ ହିଁ ମୁଁ ନିଜର ବ୍ୟକ୍ତିଗତ ସ୍ଥିତି ଉପରେ ଆଲୋଚନା କରିବାକୁ ବିଚାର କରିବି। ପାକିସ୍ତାନ ତହରିକ୍‌-ଏ-ଇନସାଫ୍‌ (ପିଟିଆଇ)ର ସଂସ୍ଥାପକ କହିଛନ୍ତି କି, ତାଙ୍କ ଅନୁସାରେ, ପାକିସ୍ତାନର ନିଷ୍ପତ୍ତି ଦେଶ ଭିତରେ ହିଁ ନିଆଯିବା ଉଚିତ୍‌।