ରାୱାଲପିଣ୍ଡି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରୁ ମୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନ ତେହରୀକ-ଏ-ଇନସାଫ (ପିଟିଆଇ) ଦଳର ବରିଷ୍ଠ ନେତା ଗୋହର ଅଲୀ ଖାନ ଦାବି କରିଛନ୍ତି ଯେ ଇମରାନ ଖାନ ଜୁନ ୧୧ ତାରିଖରେ ଜାମିନ ପାଇପାରନ୍ତି। ଇମ୍ରାନ ଖାନ ୨୦୨୩ ଅଗଷ୍ଟରୁ ରାୱାଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଏବଂ ସେ ନିଜ ବିରୁଦ୍ଧରେ ଥିବା ଏହି କାର୍ଯ୍ୟକୁ ରାଜନୈତିକ ପ୍ରତିହିଂସା ବୋଲି ଅଭିଯୋଗ କରିଛନ୍ତି।
ଗୋହର ଅଲୀ ଖାନଙ୍କ ଏହି ଦାବି ଇମ୍ରାନ ଖାନଙ୍କ ସାମ୍ପ୍ରତିକ ଘୋଷଣା ପରେ ଆସିଛି। ଯେଉଁଠାରେ ସେ ନିଜକୁ ପିଟିଆଇର ପେଟ୍ରନ-ଇନ-ଚିଫ ଘୋଷଣା କରି ଜେଲରୁ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ନେତୃତ୍ୱ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ଆନ୍ଦୋଳନ ପାକିସ୍ତାନର ସାମରିକ ଓ ସରକାରୀ ବ୍ୟବସ୍ଥା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବାକୁ କରିଛି। ଯାହାକୁ ଇମ୍ରାନ "ମାଣ୍ଡେଟ ଚୋର" ବୋଲି ଅଭିହିତ କରିଛନ୍ତି। ଏହା ପୂର୍ବରୁ ପିଟିଆଇ ସମର୍ଥକମାନେ ୨୦୨୪ ନଭେମ୍ବରରେ ଇସଲାମାବାଦରେ ବିଶାଳ ପ୍ରତିବାଦ କରିଥିଲେ। ଯେଉଁଥିରେ ଇମରାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ମୁକ୍ତି ନେଇ ଦାବି କରାଯାଇଥିଲା।
ଇମ୍ରାନଙ୍କ ଜନସମର୍ଥନ ଏବଂ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଉପରେ ଚାପ ବଢିଚାଲିଛି। ଅପରେସନ ସିନ୍ଦୁର, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା, ପାକିସ୍ତାନର ସାମରିକ ରଣନୀତିରେ ଧୁଳି ଚଟାଇ ଦେଇଥିଲା। ଏହା ମୁନିରଙ୍କ ଜନପ୍ରିୟତାକୁ ଆହୁରି କ୍ଷତି ପହଞ୍ଚାଇଛି। ତେଣୁ ମୁନିର ବହୁ ଜଲଦି ଇମ୍ରାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଗୋହର ଅଲୀ ଖାନଙ୍କ ଦାବି କରିଛନ୍ତି।
ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ଜୁନ ୧୧ ତାରିଖରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିରୁଦ୍ଧରେ ଥିବା ଜିବିପି ୧୯୦ ମିଲିୟନ ଆଲ-କାଦିର ଟ୍ରଷ୍ଟ ମାମଲାରେ ଦଣ୍ଡ ସ୍ଥଗିତ ରଖିବା ପାଇଁ ଆବେଦନର ଶୁଣାଣି କରିବେ। ଗୋହର ଅଲୀ ଖାନ ଏହି ଦିନକୁ ଇମ୍ରାନ ଓ ବୁଶରା ପାଇଁ ମୁଖ୍ୟ ଦିବସ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇମରାନଙ୍କ ମୁକ୍ତି ପାଇଁ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ।
ଇମ୍ରାନଙ୍କ ପତ୍ନୀ ବୁଶରା ବିବି ୨୦୨୪ ଜାନୁଆରୀରେ ତୋଷାଖାନା ମାମଲାରେ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ରାଷ୍ଟ୍ରୀୟ ଉପହାର ଅବୈଧ ଭାବେ ରଖିବା ଓ ବିକ୍ରୟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଇମ୍ରାନ ଏହାକୁ ଆସିମ ମୁନିରଙ୍କ ପ୍ରତିହିଂସାମୂଳକ କାର୍ଯ୍ୟ ବୋଲି କହି ଅଭିଯୋଗ କରିଛନ୍ତି।
ପାକିସ୍ତାନର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜାରି ହୋଇଥିବା ଅନେକ ପୋଷ୍ଟରେ ଇମ୍ରାନଙ୍କ ମୁକ୍ତି ଓ ଆସିମ ମୁନିରଙ୍କ ବିରୁଦ୍ଧରେ ପ୍ରତିବାଦ ଦେଖାଯାଇଛି। କେହି କେହି ମୁନିରଙ୍କୁ "ଦେଶ ପାଇଁ ବିପଦଜନକ" ବୋଲି ମଧ୍ୟ କହିଛନ୍ତି। ଆଉ କେହି ଇମ୍ରାନଙ୍କ ମୁକ୍ତିକୁ ପାକିସ୍ତାନ ପାଇଁ ଏକ ମୁକ୍ତି ଦିବସ ବୋଲି କହିଛନ୍ତି। ଏହା ସହିତ ଅପରେସନ ସିନ୍ଦୁର ପରେ ପାକିସ୍ତାନ ସେନାର ଅସଫଳତା ନେଇ ମଧ୍ୟ ଆଲୋଚନା ଜୋର ଧରିଛି।
ଜୁନ ୧୧ ତାରିଖରେ ଇମ୍ରାନ ଖାନ ଓ ପାକିସ୍ତାନର ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ଦିନ ହେବ। ଇସଲାମାବାଦର ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଏବଂ ପିଟିଆଇର ପ୍ରତିବାଦ ଯୋଜନା ଦେଶର ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ। ଏହା ମଧ୍ୟ ଆସିମ ମୁନିର ଏବଂ ସେନା ବିରୁଦ୍ଧରେ ଜନସାଧାରଣଙ୍କ ମନୋଭାବକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।