ନୂଆଦିଲ୍ଲୀ,୨୩।୯: ଏସିଆ କପ ୨୦୨୫ରେ ଭାରତ ବିପକ୍ଷରେ ଆଉ ଏକ ପରାଜୟ ପାକିସ୍ତାନ କ୍ରିକେଟକୁ ଗଭୀର ସଙ୍କଟ ଭିତରକୁ ଠେଲି ଦେଇଛି। ଏହି ପରାଜୟ ପରେ ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ୧୯୯୨ ବିଶ୍ୱକପ୍ ବିଜେତା ଇମ୍ରାନ ଖାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏହାର ମୁଖ୍ୟ ମୋହସିନ ନକଭିଙ୍କୁ କଡା ସମାଲୋଚନା କରିଛନ୍ତି। ଜେଲରେ ଥିବା ଇମ୍ରାନ ଖାନ ବ୍ୟଙ୍ଗ କରି କହିଛନ୍ତି, ପାକିସ୍ତାନ ସେତେବେଳେ ଭାରତକୁ ହରାଇ ପାରିବ ଯେତେବେଳ ପିସିବି ମୁଖ୍ୟ ମୋହସିନ ନକଭି ଏବଂ ସେନା ମୁଖ୍ୟ ଅସୀମ ମୁନିର ଇନିଂସ ଓପନିଂ କରିବାକୁ ମୈଦାନକୁ ଯିବେ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ସୁପର ଫୋର୍ ମ୍ୟାଚ୍ରେ, ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଅଭିଷେକ ଶର୍ମା ମାତ୍ର ୩୯ ବଲ୍ରେ ୭୪ ରନ୍ର ଏକ ଧମାକାଦାର ଇନିଂସ ଖେଳି ଭାରତକୁ ୭ ବଲ୍ ବାକି ଥାଇ ୧୭୨ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲେ। ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଏବଂ ହାରିସ୍ ରୌଫ୍ ଭାରତର ଅଭିଷେକ ଏବଂ ଶୁଭମନଙ୍କ ବ୍ୟାଟିଂକୁ ବାନ୍ଧିବାକୁ କିଛି ଚେଷ୍ଟା କରିଥିଲେ, କିନ୍ତୁ ଦୁହେଁ ବିଶେଷ କିଛି ପ୍ରଭାବ ପକାଇ ପାରି ନଥିଲେ। ଦ୍ବିତୀୟ ଥର ପାଇଁ ପାକିସ୍ତାନକୁ ହରାଇବାରେ ସଫଳ ହୋଇଥିଲା।
ଇମ୍ରାନ ଅଗଷ୍ଟ ୨୦୨୩ ରୁ ଜେଲରେ ଅଛନ୍ତି। ସେଠାରୁ ସେ ଲଗାତାର ଭାବରେ ମୋହସିନ ନକଭିଙ୍କୁ ଟାର୍ଗେଟ ଜାରି ରଖିଛନ୍ତି। ସେ କହିଛନ୍ତି, ନକଭିଙ୍କ ଅଯୋଗ୍ୟତା ଏବଂ ପରିବାରବାଦ ନୀତି ପାଇଁ ପାକିସ୍ତାନ କ୍ରିକେଟକୁ ନଷ୍ଟ କରିଛନ୍ତି। ୭୨ ବର୍ଷୀୟ ଇମ୍ରାନ୍ ଅସୀମ ମୁନିରଙ୍କ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କ ଦଳ, ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ)ର ଜନାଦେଶ ଚୋରି କରିବାର ଅଭିଯୋଗ ମଧ୍ୟ କରିଛନ୍ତି।
ଏସିଆ କପ୍ ୨୦୨୫ ଆରମ୍ଭ ହେବା ପରଠାରୁ, ପିସିବି ମୁଖ୍ୟ ମୋହସିନ୍ ନକଭି ବିବାଦରେ ଫସି ରହିଛନ୍ତି। ଭାରତ ଯେତେବେଳେ ଗ୍ରୁପ୍ ମ୍ୟାଚ୍ ପରେ ପାକିସ୍ତାନ ସହିତ ହାତ ମିଳାଇବାକୁ ମନା କରିଦେଲା, ସେତେବେଳେ ପିସିବି ପକ୍ଷରୁ ଆଇସିସି ନିକଟରେ ଅଭିଯୋଗ କରାଯାଇଥିଲା। ଏହା ସହ ରେଫରୀ ଆଣ୍ଡି ପାୟକ୍ରଫ୍ଟଙ୍କ ଉପରେ ପକ୍ଷପାତିତା ଅଭିଯୋଗ ଆଣିଥିଲା ପିସିବି। ପାୟକ୍ରଫ୍ଟଙ୍କୁ ହଟା ନ ଗଲେ ପିସିବି ଏସିଆ କପ୍ ରୁ ଓହରିଯିବାକୁ ଧମକ ମଧ୍ୟ ଦେଇଥିଲା। ଆଇସିସି ଏହାକୁ ଗ୍ରହଣ କରିନଥିଲା। ଉଲ୍ଲେଖନୀୟ ଯେ ନକଭି ପିସିବି ଅଧ୍ୟକ୍ଷ ସହ ବର୍ତ୍ତମାନ ପାକିସ୍ତାନ ସରକାରରେ ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି। ଆଜି ପାକିସ୍ତାନର ମ୍ୟାଚ୍ ଶ୍ରୀଲଙ୍କା ସହ ରହିଛି। ଅବୁଧାବୀର ଶେଖ୍ ଜାୟଦ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପ୍ରାୟ ‘କର ବା ମର’ ସ୍ଥିତିରେ ପହଁଞ୍ଚିଛି।