ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ପୁଣି ଥରେ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସମ୍ବିଧାନରେ ସଂଶୋଧନ କାର୍ଯ୍ୟକାରୀ କରିବାକୁ ବର୍ତ୍ତମାନର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ମିଳିତ ଜାତିସଂଘକୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଦେଶରେ ନ୍ୟାୟିକ ସ୍ବାଧୀନତା ଏବଂ ମାନବିକ ଅଧିକାରକୁ ବିପଦ ପହଞ୍ଚାଇବା। 

ସୂଚନାଥାଉକି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବାଧିନ ଗଠବନ୍ଧନ ସରକାର ନିୟୋଜିତ ସାମ୍ବିଧାନିକ ସଂଶୋଧନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଉପରେ ଇମ୍ରାନ ଖାନ ମିଳିତ ଜାତିସଂଘକୁ ଏକ ଚିଠି ଲେଖିଛନ୍ତି । 

ଏହା ପ୍ରଥମ ଘଟଣା ନୁହେଁ, ବରଂ ଏହା ପୂର୍ବରୁ ଇମ୍ରାନ ଖାନ ପାକିସ୍ତାନର ଘରୋଇ ରାଜନୈତିକ ବ୍ୟାପାର ସମ୍ପର୍କରେ ଏକ ଆନ୍ତର୍ଜାତୀୟ ସଂସ୍ଥାକୁ ଚିଠି ଲେଖିଛନ୍ତି। ଏହା ପୂର୍ବରୁ ସେ ଫେବୃଆରୀ ୮ ନିର୍ବାଚନର ଅଡିଟ୍ କରିବାକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କୁ ଅନୁରୋଧ କରିଥିଲେ। ନିର୍ବାଚନରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ।