ପୁରୀ,୦୯/୦୩: ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଅଣ୍ଡାଦାନ କରିଛନ୍ତି ଅଲିଭ୍ ରିଡଲେ କଇଁଛ । ପ୍ରଥମଥର ଏହି ବିରଳ ଘଟଣା ଘଟିଛି । ଗୋଟିଏ ଅଲିଭ ରିଡଲେ କଇଁଛ ଏଠାକୁ ଆସି ୧୧୪ଟି ଅଣ୍ଡା ଦେଇଛି । ରବିବାର ଏହା ଜଣାପଡ଼ିଥିଲା । ବ୍ଲୁ ଫ୍ଲାଗ୍ ବିଚ୍କୁ ଅଲିଭ ରିଡ୍ଲେମାନେ ସୁରକ୍ଷିତ ମଣିବା ଖୁସିର ବିଷୟ ହୋଇଛି । ପୁର ସର୍ବସାଧାରଣ ବେଳାଭୂମିକୁ ଲାଗି ରହିଥିବା ଏହି ଦେୟଯୁକ୍ତ ବିଚ୍ ସନ୍ଧ୍ୟା ୮ଟା ପରେ ବନ୍ଦ ହୁଏ । ତେଣୁ ଶୂନଶାନ୍ ପରିବେଶ ଦେଖି କଇଁଛ ଅଣ୍ଡାଦାନ କରିଛି । ବିଚ୍ କର୍ମଚାରୀମାନେ ଏହାକୁ ସୁରକ୍ଷିତ ଭାବେ ଜଗି ରହିଥିିଲେ । ରବିବାର ସକାଳେ ବନ କର୍ମଚାରୀଙ୍କୁ ଏହି ଅଣ୍ଡାଗୁଡ଼ିକୁ ହସ୍ତାନ୍ତର କରାଯାଇଛି ।
ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ପ୍ରଥମ ଥର ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁରୀ ବାଲୁଖଣ୍ଡ ଜଙ୍ଗଲକୁ ଲାଗି ରହିଥିବା ପୁରୀ ସହର ବେଳାଭୂମିରେ ଆଗରୁ ଅଲିଭ ରିଡ୍ଲେଙ୍କ ଅଣ୍ଡାଦାନ କରିବାର ନଜିର ରହିଛି । ପେଣ୍ଠକଟା ବେଳାଭୂମିରେ ଅତୀତରେ ଅଲିଭ ରିଡ୍ଲେ ଅଣ୍ଡାଦାନ କରୁଥିଲେ । ହେଲେ ଦ୍ରୁତ ସହରୀକରଣ ଯୋଗୁଁ ବେଳାଭୂମିରେ ହୋଟେଲ ଶିଳ୍ପ ସାଙ୍ଗକୁ ଅନ୍ୟାନ୍ୟ କଂକ୍ରିଟ ବିକାଶ କାମ ଏବଂ ଯାତ୍ରୀଙ୍କ କୋଳାହଳ ବଢ଼ିବା ଅଲିଭ ରିଡ୍ଲେଙ୍କ ଆଗମନ ବାଟକୁ ଅବରୋଧ କରିଛି ।
ଅଧିକ ପଢ଼ନ୍ତୁ :- ବୌଦ୍ଧରେ ୨ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ପୁରୀ ସମୁଦ୍ରକୂଳର ଦେବୀ ମୁହାଣଠାରୁ ପୁରୀ ସହର ପର୍ଯ୍ୟନ୍ତ ମୋଟ ୧୩ଟି ହାଚେରୀ ବ୍ୟବସ୍ଥା କରାଯାଇଛି । କଇଁଛମାନଙ୍କ ଅଣ୍ଡା ସଂଗ୍ରହ ନିମନ୍ତେ କର୍ମଚାରୀ ମୁତୟନ କରାଯାଇଛି । ମାତ୍ର କଇଁଛଙ୍କ ନିର୍ଭୟତା ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ଶୂନ । ପୁରୀ ସହରର ବ୍ଲୁ ଫ୍ଲାଗ୍ ବିଚ୍ରେ ଅଲିଭ ରିଡ୍ଲେ ପହଞ୍ଚି ଅଣ୍ଡାଦାନ କରିଥିବାରୁ ପ୍ରଶାସନ ଶୀଘ୍ର ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ଉଚିତ୍ ବୋଲି ପରିବେଶବିତ୍ ସରୋଜ ଜେନା କହିଛନ୍ତି । ପୁରୀ ବେଳାଭୂମିକୁ ଆବର୍ଜନାମୁକ୍ତ କରିବା, ବେଳାଭୂମିକୁ କଂକ୍ରିଟ ମୁକ୍ତ କରିବା, ବେଆଇନ ନିର୍ମାଣକୁ ହଟାଇବା ଓ ପୁରୀ ଉପକୂଳ ସମୁଦ୍ରରେ ବେଆଇନ ମାଛ ଧରା ବନ୍ଦ କରାଗଲେ ବହୁ ଅଲିଭ ରିଡ୍ଲେ ଏଠାକୁ ନିର୍ଭୟରେ ଆସି ଅଣ୍ଡାଦାନ କରିବେ ବୋଲି ସେ କହିଛନ୍ତି ।