ନୂଆଦିଲ୍ଲୀ, ୧୬।୭: ଗାଜାରେ ନରସଂହାର ଥମିବାର ନାଁ ନେଉନି । ଜାନୁଆରୀରେ ହମାସ ସହିତ ଯୁଦ୍ଧବିରତି ଚୁକ୍ତି ଭଙ୍ଗ ହେବା ପରଠାରୁ ଇସ୍ରାଏଲୀ ସେନା ଗାଜାରେ ବିନାଶ କରିବା ଜାରି ରଖିଛି । ଗୋଟିଏ ପରେ ଗୋଟିଏ ହମାସ ଆଡ୍ଡାକୁ ଧ୍ବଂସ କରୁଛି । ଯାହା ଫଳରେ ହମାସ ଏବେ ଗାଜାରେ ଶେଷ ନିଶ୍ୱାସ ନେଉଥିବା ପରି ମନେ ହେଉଛି । ଏହାରି ଭିତରେ ଇସ୍ରାଏଲ ଗାଜା ଉପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି । ଯେଉଁଥିରେ ଅତି କମ୍ରେ ୯୩ଜଣ ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି ।
ଗାଜା ଶରଣାର୍ଥୀ ଶିବିର ଉପରେ ବୋମା ବର୍ଷା
ମଙ୍ଗଳବାର ଇସ୍ରାଏଲୀ ସେନା ଗାଜା ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ମହିଳା ଏବଂ ଶିଶୁ ସମେତ ୯୩ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ଶିଫା ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ଗାଜାର ଉତ୍ତର ଶାଟି ଶରଣାର୍ଥୀ ଶିବିର ଉପରେ ଏହି ହମଲା ହୋଇଛି । ଏହି ଆକ୍ରମଣରେ ପାଲେଷ୍ଟାଇନୀ ବିଧାନସଭାର ଜଣେ ହମାସ ସଦସ୍ୟଙ୍କ ସହ ଜଣେ ପୁରୁଷ, ଜଣେ ମହିଳା ଏବଂ ସେମାନଙ୍କର ଛଅ ଜଣ ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଶତାଧିକ ଆହତଙ୍କୁ ଏହି ହସ୍ପିଟାଲକୁ ଅଣାଯାଇଥିଲା ।
ଶିଫା ହସ୍ପିଟାଲ ଅନୁଯାୟୀ, ଇସ୍ରାଏଲୀ ସେନା ଗାଜା ଉପରେ ଲଗାତାର ବୋମା ମାଡ଼ କରୁଛି । ସୋମବାର ସନ୍ଧ୍ୟାରେ ଗାଜା ସହରର ତେଲ ଅଲ-ହାୱା ଜିଲ୍ଲାରେ ଏକ ଘର ଉପରେ ବୋମା ପଡ଼ିବା ଫଳରେ ଗୋଟିଏ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ଛଅ ଜଣ ଶିଶୁ ଅଛନ୍ତି । ସେହି ଜିଲ୍ଲାରେ ବିସ୍ଥାପିତଙ୍କ ପାଇଁ ଏକ ଶିବିର ଉପରେ ଆକ୍ରମଣରେ ଜଣେ ପୁରୁଷ, ଜଣେ ମହିଳା ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଅପରାହ୍ନରେ ଏକ ଦୈନିକ ରିପୋର୍ଟରେ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୯୩ ଜଣଙ୍କ ମୃତଦେହ ଗାଜା ହସ୍ପିଟାଲକୁ ଅଣାଯାଇଛି । ଏଥିସହ ୨୭୮ ଜଣ ଆହତଙ୍କୁ ମଧ୍ୟ ହସ୍ପିଟାଲକୁ ଅଣାଯାଇଛି । ଏହି ଆକ୍ରମଣ ଉପରେ ଇସ୍ରାଏଲୀ ସେନା ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରିନାହିଁ ।
ନୂତନ ଚୁକ୍ତିର ସମ୍ଭାବନା ଉପରେ ପ୍ରଶ୍ନ
୨୧ ମାସ ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବା ଏବଂ କିଛି ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପ ପ୍ରଶାସନ ସହିତ ଏହି ଚୁକ୍ତି ଉପରେ ଆଲୋଚନା କରିବାକୁ ଗତ ସପ୍ତାହରେ ୱାଶିଂଟନରେ ପହଞ୍ଚିଥିଲେ । ତଥାପି, ଆଲୋଚନାରେ ଏକ ନୂତନ ପ୍ରତିବନ୍ଧକ ଦେଖାଦେଇଛି । ଏହି ପ୍ରତିବନ୍ଧକ ଯୁଦ୍ଧବିରତି ସମୟରେ ଇସ୍ରାଏଲୀ ସୈନିକଙ୍କ ନିୟୋଜନ ସମ୍ପର୍କରେ, ଯାହା ଏକ ନୂତନ ଚୁକ୍ତିର ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଛି ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ କାହିଁକି ଆରମ୍ଭ ହେଲା ଯୁଦ୍ଧ ?
ହମାସ ଆତଙ୍କବାଦୀମାନେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିଥିଲେ । ହମାସ ଏକକାଳୀନ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ ମାଡ଼ କରିଥିଲା ଏବଂ ଏହାର ସୀମାରେ ପ୍ରବେଶ କରି ୨୩୮ ଜଣଙ୍କୁ ଅପହରଣ କରିଥିଲା । ଏହି ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲୀ ନିହତ ହୋଇଥିଲେ । ଏହାର ଜବାବରେ ଇସ୍ରାଏଲୀ ସେନା ମଧ୍ୟ ହମାସ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣରେ ଏପର୍ଯ୍ୟନ୍ତ ୫୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।