ନୂଆଦିଲ୍ଲୀ: ମୋଦି ସରକାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ପୁଣିଥରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆଉ ଏଥିପାଇଁ ଅର୍ଥ ମନ୍ତ୍ରଣାଳୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଯେକୌଣସି ଦେଶ ପାଇଁ ଏହାର ବଜେଟ୍ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏହା ଗୋପନୀୟ ରହିବା ଉଚିତ। ବଜେଟ୍ ଆଗାମୀ ବର୍ଷ ପାଇଁ ଯେକୌଣସି ସରକାରଙ୍କ ଆୟ ଏବଂ ବ୍ୟୟର ବିବରଣୀ ପ୍ରଦାନ କରେ। ବଜେଟ୍ ମାଧ୍ୟମରେ ସରକାର ଆଗାମୀ ସମୟ ପାଇଁ ତାଙ୍କର ଯୋଜନା ପ୍ରକାଶ କରନ୍ତି। ହେଲେ ଆମେ ଏଠାରେ ଏମିତି ଏକ ବଜେଟର କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରକୃତରେ ଜାତୀୟ ବଜେଟ୍ ଇତିହାସରେ ଲିପିବଦ୍ଧ... । ଆପଣ ମାନେ ବିଭିନ୍ନ ସମୟରେ ବ୍ଲାକ ବଜେଟ ବୋଲି କିଛି ଶୁଣିଥିବେ ନିଶ୍ଚୟ । ହଁ, ଆମେ "ବ୍ଲାକ ବଜେଟ୍" ବିଷୟରେ ଏବେ କହିବାକୁ ଯାଉଛୁ । ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଆସିଥିଲା ଏହି ବ୍ଲାକ ବଜେଟ, ଯେତେବେଳେ କି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସଂସଦରେ " ବ୍ଲାକ ବଜେଟ୍" ଉପସ୍ଥାପନ କରିବାକୁ ପଡିଥିଲା । ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କାହାଣୀ...
ଇନ୍ଦିରାଙ୍କ ବେଳେ ଆସିଥିଲା ବ୍ଲାକ ବଜେଟ...
୧୯୭୩ ମସିହାର କଥା... ସେତେବେଳେ କ୍ଷମତାରେ ଥିଲେ ଇନ୍ଦିରା ଗାନ୍ଧୀ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତର ଲୌହ ମହିଳା( ଆଇରନ୍ ଲେଡି) ଭାବରେ ବିବେଚନା କରାଯାଉଥିଲା । ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସିକ ନିଷ୍ପତ୍ତି ପାଇଁ ସେ ବେସ୍ ଜଣାଶୁଣା ଥିଲେ । ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଦେଶର ଅର୍ଥମନ୍ତ୍ରୀ ଯଶୱନ୍ତ ରାଓ ବି. ଚୌହାନ ଥିଲେ। ପରେ କଂଗ୍ରେସର ଏହି ବରିଷ୍ଠ ନେତା ୧୯୭୯ ରୁ ୧୯୮୦ ପର୍ଯ୍ୟନ୍ତ ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ, ସେ ୧୯୭୩ ରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ, ତାଙ୍କୁ ୧୯୭୩ ରେ ଇନ୍ଦିରା ଗାନ୍ଧୀଙ୍କ ସରକାରଙ୍କ ପକ୍ଷରୁ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ପଡିଥିଲା, ଯାହାକୁ ‘ବ୍ଲାକ ବଜେଟ୍’ କୁହାଯାଉଛି।
କାହିଁକି ଉପସ୍ଥାପନ କରାଯାଇଥିଲା ବ୍ଲାକ ବଜେଟ୍ ?
୧୯୭୩-୭୪ ଆର୍ଥିକ ବର୍ଷ ପାଇଁ, ଦେଶର ଅର୍ଥମନ୍ତ୍ରୀ, ଯଶୱନ୍ତରାଓ ବି.ଚୌହାନ, ସଂସଦରେ ବ୍ଲାକ ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପଛରେ କାରଣ ଥିଲା ଦେଶର ଖରାପ ଆର୍ଥିକ ପରିସ୍ଥିତି ଏବଂ ସରକାରଙ୍କ ପ୍ରାୟ ୫୫୦ କୋଟି ଟଙ୍କାର ଆର୍ଥିକ ନିଅଣ୍ଟ। କୁହାଯାଏ ଯେ ଯଶୱନ୍ତରାଓ ବି. ଚୌହାନଙ୍କ ଦ୍ୱାରା ଉପସ୍ଥାପିତ ବଜେଟରେ ୫୫୦ କୋଟି ଟଙ୍କାର ନିଅଣ୍ଟ ଥିଲା, ତେଣୁ ଏହାକୁ ବ୍ଲାକ ବଜେଟ୍ ନାମ ଦିଆଯାଇଛି। ସରକାରଙ୍କ ଆୟ ଠାରୁ ଅଧିକ ଖର୍ଚ୍ଚ ଯୋଗୁଁ ଏହି ଆର୍ଥିକ ନିଅଣ୍ଟ ହୋଇଥିଲା। ୧୯୭୩ ମସିହାରେ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ମରୁଡି ଏବଂ ଖାଦ୍ୟ ଅଭାବ ଯୋଗୁଁ ଦେଶର ପରିସ୍ଥିତି ଖରାପ ହୋଇଥିଲା, ଯାହା ବଜେଟ୍ ନିଅଣ୍ଟର କାରଣ ଥିଲା।
କେବେ ହୋଇଥିଲା ବଜେଟ୍ ତାରିଖ ପରିବର୍ତ୍ତନ ?
ଆମ ଦେଶରେ, ସମୟ ଏବଂ ସରକାର ସହିତ ବଜେଟ୍ ଉପସ୍ଥାପନ ତାରିଖ ଅନେକ ଥର ପରିବର୍ତ୍ତନ ହୋଇଛି। ବର୍ତ୍ତମାନର ସରକାରଙ୍କ ଅଧୀନରେ, ଏହି ତାରିଖ ଫେବୃଆରୀ ୧ କୁ ରଖାଯାଇଛି । ୨୦୧୭ ପୂର୍ବରୁ, ଜାତୀୟ ବଜେଟ୍ ଫେବୃଆରୀ ମାସର ଶେଷ ଦିନରେ ଉପସ୍ଥାପନ କରାଯାଉଥିଲା। ହେଲେ ୨୦୧୭ ମସିହାରେ, ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରଥମ ଥର ପାଇଁ ଫେବୃଆରୀ ୧ ତାରିଖରେ ମୋଦି ସରକାରଙ୍କ ପକ୍ଷରୁ ଜାତୀୟ ବଜେଟ୍ ଉପସ୍ଥାପନ କରିଥିଲେ। ସେବେଠାରୁ, ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ହୋଇଛି।