- ଅବହେଳିତ ଐତିହ୍ୟ ସମ୍ବଳିତ ୫ ପବିତ୍ର କୁଣ୍ଡ
- ସଂରକ୍ଷଣ ଦାବି କଲେ ସ୍ଥାନୀୟ ଲୋକେ
- ସ୍ନାନ ଓ ପୂଜା କାର୍ଯ୍ୟ ନେଇ ସାଧୁଙ୍କ ଭାଳେଣି
ଭୁବନେଶ୍ୱର,୧୨/୧୨: ପଚିଗଲାଣି ପଞ୍ଚତୀର୍ଥ ଜଳ । ଐତିହ୍ୟ ସମ୍ବଳିତ ଖଣ୍ଡଗିରି-ଉଦୟଗିରିରେ ଅବସ୍ଥିତ ପଞ୍ଚତୀର୍ଥ କୁଣ୍ଡ । ନଜର ଆଢ଼ୁଆଳରେ ରହିଛି ଏହି ୫ ଐତିହ୍ୟ କୁଣ୍ଡ । ଯାହା ସହିତ ଯୋଡ଼ି ହୋଇ ରହିଛି ଅନେକ ଇତିହାସ, ଲୋକକଥା ଓ କିମ୍ବଦନ୍ତୀ । ମାତ୍ର ଦୁଃଖ, ଏକଥା କେହି ଜାଣନ୍ତି ନାହିଁ । ମାଘ ମେଳା ବା କୁମ୍ଭମେଳା ଆସିଲେ ଏଠି ପ୍ରବଳ ଭିଡ଼ ହୁଏ । ଟିଭି, ଖବର କାଗଜରେ ଚର୍ଚ୍ଚା ହୁଏ । ନାନା ଲୋକ ନାନା ମତ ଦିଅନ୍ତି । ପର୍ଯ୍ୟଟକ ଜାଣନ୍ତି କମ୍, ଫଟୋ ଉଠାଇବାକୁ ବେଶି ଆସନ୍ତି । ବାକି ବର୍ଷସାରା କାହାରି ଦେଖା ମିଳେନି । ନା ଲୋକେ ଯାଆନ୍ତି ନା ସଂରକ୍ଷଣ, ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଅଧିକାରୀଙ୍କ ପାଦ ପଡ଼େ । କୁଣ୍ଡସବୁ ଦିନେ ଇତିହାସ ପାଲଟିଯିବ!
ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ନାମରେ ନାମିତ ଏହି ପଞ୍ଚକୁଣ୍ଡ । ଖଣ୍ଡଗିରି ଉପରେ ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ଥିଲା ବେଳେ ଉଦୟଗିରିରେ ରହିଛି ଲଳିତା କୁଣ୍ଡ । ଯେଉଁଠି କୁମ୍ଭମେଳାରେ ବୁଡ଼ ପକାଇଲେ ତ୍ରିବେଣୀ ସଙ୍ଗମ ବୁଡ଼ ସହ ସମାନ ବୋଲି ବିଶ୍ୱାସ ରହିଛି । ୫ଟି କୁଣ୍ଡ ପାଇଁ ଏହାକୁ ପଞ୍ଚତୀର୍ଥ ଭାବରେ ମଧ୍ୟ ବିବେଚନା କରାଯାଏ । ଏଠାରେ ବୁଡ଼ ପକାଇଲେ ଅନେକ ରୋଗ, ଶୋକରୁ ମୁକ୍ତି ସହ ମୋକ୍ଷପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ହେଲେ ଏବେ ଏହି କୁଣ୍ଡଗୁଡ଼ିକର ହାଲ୍ ପୂରା ବେହାଲ । କାଚକେନ୍ଦୁ ପାଣି ବଦଳରେ ପୂରା ପଚା କଳା ପାଣି । ପାଣିରୁ ଦୁର୍ଗନ୍ଧ ବାହରୁଛି । ସ୍ଥାନୀୟ ଲୋକଙ୍କ କହିବା କଥା, ଆସନ୍ତା ଜାନୁଆରୀ ୨୩ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘ ମେଳା । ଆଉ ମାତ୍ର ମାସେ । ସେ ଭିତରେ ଯଦି କୁଣ୍ଡଗୁଡ଼ିକ ସଫା ନହୁଏ ତେବେ ସାଧୁମାନେ ସେହି ପଚାପାଣିରେ ପଞ୍ଚତୀର୍ଥ ସ୍ନାନ କରିବେ ।
ଗବେଷକଙ୍କ କହିବା କଥା, ଆକାଶଗଙ୍ଗା ଓ ଗୁପ୍ତଗଙ୍ଗା ଦ୍ୱୟ ପ୍ରାକୃତିକ ସୁଡ଼ଙ୍ଗ, ଯାହା ସମ୍ପୂର୍ଣ୍ଣ ଅବହେଳିତ । ଅନ୍ୟ ୩ଟି ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ମଣିଷକୃତ ଜଳାଶୟ । ସେଥିରୁ ପ୍ରତିବର୍ଷ କୁମ୍ଭମେଳାରେ ରାଧାକୁଣ୍ଡରେ ସାଧୁସନ୍ଥ ସ୍ନାନ ଓ ଜଳ ତର୍ପଣ କରନ୍ତି । ମୁନିଋଷିଙ୍କ ବ୍ୟବହାର ପାଇଁ ସମ୍ରାଟ ଖାରବେଳଙ୍କ ସମୟରେ ଏହି କୁଣ୍ଡ ସବୁ ଖୋଳା ହୋଇଥିଲା । ଆଜି ଏହାର ବ୍ୟବହାର ହେଉନଥିଲେ ବି କେବଳ ମୂକସାକ୍ଷୀ ହୋଇ ଐତିହାସିକ ସ୍ୱାକ୍ଷର ବହନ କରୁଛି । ଗୁପ୍ତଗଙ୍ଗାରେ ପାଣି ନାହିଁ କି ପହଞ୍ଚିବାକୁ ବାଟ ନାହିଁ । ସେହିପରି ମାଘସପ୍ତମୀ ରାତିରେ ପ୍ରଭୁ ଅନନ୍ତ କେଶରୀ ଲଳିତାକୁଣ୍ଡରେ ଚାପ ଖେଳିବାର ବିଧି ଥିଲା । କିନ୍ତୁ ସେଠାରେ ମଇଳା ପାଣି ସାଙ୍ଗକୁ ରାସ୍ତା ବନ୍ଦ ଯୋଗୁ ପ୍ରଭୁଙ୍କ ନୀତି ବି ସବୁଦିନ ଲାଗି ବନ୍ଦ ହୋଇଗଲା । ଦିନ ଆସିବ, ଏ କୁଣ୍ଡ କଥା କେବଳ ଫଟୋଚିତ୍ରରେ ଥିବ । କିନ୍ତୁ କୁଣ୍ଡ ନଥିବ ।
ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର୍ ରଘୁ ମହାନ୍ତି କହିଛନ୍ତି, ବର୍ଷ ତମାମ ହଜାର ହଜାର ପର୍ଯ୍ୟଟକ ଓ ଗବେଷକ ଆସୁଛନ୍ତି । କିନ୍ତୁ ସ୍ଥାନର ବିକାଶ ନାହିଁ । କୁଣ୍ଡଗୁଡ଼ିକ ଚାରିପାଖରେ ବ୍ୟାରିକେଡ୍ ସହ ପୁନରୁଦ୍ଧାର ପାଇଁ ଭୁବନେଶ୍ୱର ମହାନଗର ନିଗମଠୁ ନେଇ ଏଏସ୍ଆଇ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦାବି ହୋଇ ଆସୁଥିଲେ ବି କେହି ଶୁଣୁ ନାହାନ୍ତି ।
ଖଣ୍ଡଗିରି କୁମ୍ଭମେଳାର ଆବାହକ ବାବା ପଞ୍ଚଦେବ କହିଛନ୍ତି, ପବିତ୍ର କୁଣ୍ଡର ପବିତ୍ରତାକୁ ନଷ୍ଟ କରିଦେଲେ । ସରକାର ଯତ୍ନ ନେଲେ ଏହା ପର୍ଯ୍ୟଟକ ଆକର୍ଷଣର କେନ୍ଦ୍ର ପାଲଟି ପାରନ୍ତା । ଦୁଃଖ ଲାଗୁଛି, ଏତେ ନିବେଦନ ପରେ ବି କେହି ଧ୍ୟାନ ଦେଉ ନାହାନ୍ତି । ଏଏସ୍ଆଇ ଭୁବନେଶ୍ୱର ସର୍କଲ୍ର ଅଧୀକ୍ଷକ ଡ. ନନ୍ଦ କିଶୋର କହିଛନ୍ତି, କୁଣ୍ଡଗୁଡ଼ିକର ସଫେଇ ପ୍ରତି ସଜାଗ ଅଛୁ । ବିଭିନ୍ନ ସମୟରେ ସଫା କରୁଛୁ । ବାକି କାମ ପର୍ଯ୍ୟାୟକ୍ରମେ ହେବ ।