ଭୁବନେଶ୍ବର,୨୬।୧ : ଆଦିବାସୀ ଙ୍କ ସାମଗ୍ରିକ ବିକାଶ ହେବ, ଆଞ୍ଚଳିକ ବୈଷମ୍ୟବାଦ୍ ଦୂର କରାଯିବ। ଆଦିବାସୀ ଙ୍କ ଜୀବନ, ଜୀବିକା, ମୌଳିକ ସମସ୍ୟା ଦୂର କରିବାକୁ ଫୋକସ୍ କରାଯିବ। ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। କେବଳ ବଣ ଜଙ୍ଗଲ ନୁହେଁ, ଉନ୍ନତି ର ମଙ୍ଗ ଧରିବେ ଆଦିବାସୀ। ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ। ନିଜ ଅଧିକାର ବିଷୟରେ ଅବଗତ ହୁଅନ୍ତୁ। ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠିତ ହୋଇସାରିଛି । ଏହି ଦୁଇ ପରିଷଦର ଟାସ୍କ ଫୋର୍ସ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇସାରିଛି ବୋଲି କହିଥିଲେ। ଆଦିବାସୀ ଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ସମାଧାନ ଖୋଜିବାକୁ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ସବୁ ଆଦିବାସୀ ମୁଖ୍ୟ ସ୍ରୋତ ରେ ସାମିଲ କରିବା ତାଙ୍କର ଲକ୍ଷ୍ୟ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୁଯୋଗ ବାରମ୍ୱାର ଆସେନାହିଁ। ତେଣୁ ସବୁ ଆଦିବାସୀ ଆଗେଇ ଆସନ୍ତୁ, ହାତ ମିଲାନ୍ତୁ।ଖାଲି ଯୋଜନା ପରେ ଯୋଜନା କଲେ ଓଡ଼ିଶା ଆଗେଇବ ନାହିଁ। ଗୋଟିଏ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହାତକୁ ଟେକି ଦେବା ଲାଗି ଗତ ସରକାର ଯୋଜନା କରିଥିଲେ। କିନ୍ତୁ ବିଜେପି ସରକାର ସେ ଯୋଜନା ବନ୍ଦ କରିଦେଲେ। ବିଜେପି ସରକାର ଆଦିବାସୀ ଙ୍କ ସହ ଅଛନ୍ତି ।ଆଦିବାସୀ ମେଳା ରେ ଆଦିବାସୀ ଦ୍ଵାରା ଉତ୍ପାଦିତ ଓରିଜିନାଲ ପ୍ରଡକ୍ଟ ମିଳୁଛି। ସମସ୍ତେ ବ୍ୟବହାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏଥିସହ କୋରାପୁଟ କଫିକୁ ପ୍ରଶଂସା କରିଥିଲେ। ଗତ ବର୍ଷ ୯ କୋଟି ବ୍ୟବସାୟ ହୋଇଥିବା ବେଳେ ଏଥର ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି, ଆଦିବାସୀ ମେଳା ୨୦୨୬ । ଏହି ମେଳା ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ମେଳାରେ ୧୧୪୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି । ଏଥିରେ ୩୨୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ସମୁଦାୟ ୧୦୯ଟି ଷ୍ଟଲ୍ ଖୋଲାଯାଇଛି । ୧୦ ଟି ଆଦିବାସୀ ଗୃହ ମଧ୍ୟ ନିର୍ମିତ ହୋଇଛି, ଏଗୁଡ଼ିକ ଜନଜାତି ସମ୍ପ୍ରଦାୟଙ୍କ ଜୀବନଶୈଳୀ, ସ୍ଥାପତ୍ୟ ଓ ସାଂସ୍କୃତିକ ଅଭ୍ୟାସକୁ ପ୍ରତିଫଳିତ କରୁଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଏ ଦେଶ, ଏ ଜାତିର ଆବଶ୍ୟକତା ପଡ଼ିଛି, ଆଦିବାସୀମାନେ ଦେଶମାତୃକାର ରକ୍ଷା କରିବା ପାଇଁ ସବୁବେଳେ ଆଗେଇ ଆସି ପ୍ରାଣବଳୀ ଦେଇଛନ୍ତି। ସେ ଏହି ପରିପ୍ରେକ୍ଷୀରେ ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ବିପ୍ଲବୀ ଧରଣୀଧର ନାୟକ, ଶହୀଦ ମାଧୋ ସିଂହ, ରେଣ୍ଡୋ ମାଝୀଙ୍କ ଭଳି ଅନେକ ଜନଜାତି ବିପ୍ଲବୀ ଆଦିବାସୀ ନେତାଙ୍କ ଅସୀମ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ରାଜ୍ୟର ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବହୁଳ ଭାବରେ ବସବାସ କରନ୍ତି । ତେଣୁ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ, ଚଳିତ ବର୍ଷ ମେଳାରେ ଓଡ଼ିଶାର ୬୨ ଗୋଟି ଜନଜାତି ସେମାନଙ୍କର ଋଦ୍ଧିମନ୍ତ ପରମ୍ପରା, ଖାଦ୍ୟପେୟ, ପୋଷାକ, କଳା, ସଂସ୍କୃତି ଓ ଲୋକକଳାକୁ ନେଇ ଏକତ୍ରିତ ହୋଇଛନ୍ତି । ତେଣୁ ଏହି ମେଳା କେବଳ ମନୋରଞ୍ଜନ ନୁହେଁ, ଏହା ଜନଜାତି ଜୀବନର କଥା, ସଂଘର୍ଷର ଗାଥା ଓ ପ୍ରକୃତି ସହ ସେମାନଙ୍କର ସମ୍ପର୍କର ମୂଲ୍ୟବୋଧକୁ ବୁଝାଇବ । ଗତବର୍ଷ ଆଦିବାସୀ ମେଳାରେ ୯ କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିବା ବେଳେ, ଚଳିତ ବର୍ଷ ତା’ଠରୁ ଉର୍ଦ୍ଧ୍ୱ କାରବାର ହେବ ବୋଲି ମତବ୍ୟକ୍ତ କରିଛନ୍ତି ।
ସେ ପୁଣି କହିଥିଲେ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି । ବିକାଶର ମୁଖ୍ୟଧାରାରେ ସାମିଲ ହେବା ସେମାନଙ୍କର ସାମ୍ୱିଧାନିକ ଅଧିକାର । ଯଦି ଜନସଂଖ୍ୟାର ଏକ ଚତୁର୍ଥାଂଶ ବିକଶିତ ହୋଇପାରିବେ ନାହିଁ, ସଶକ୍ତ ହୋଇପାରିବେ ନାହିଁ ତେବେ ଓଡ଼ିଶା କେବେ ସମୃଦ୍ଧ ହୋଇପାରିବେ ନାହିଁ । ଏହାକୁ ହୃଦୟଙ୍ଗମ କରି ଜନଜାତିଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ କାର୍ୟ୍ୟରତ ଅଛୁ । ଏଥିପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଓ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି ।
ଜନଜାତି ସମ୍ପ୍ରଦାୟଙ୍କ ଅଧିକାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ, ଆପଣମାନେ ବସବାସ କରୁଥିବା ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ଦାୟିତ୍ୱ ମୋହନ ସରକାରର । ଆପଣମାନେ ଏଥିପ୍ରତି ନିଶ୍ଚିତ ରୁହନ୍ତୁ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ପ୍ରକାଶିତ ଗବେଷଣାମୂଳକ ପତ୍ରିକା ‘ଆଦିବାସୀ’ ଉନ୍ମୋଚନ କରିଥିଲେ ଏବଂ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ସଂସ୍କୃତି ହେଉଛି ଗୋଟିଏ ଜାତିର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ସ୍ୱାଭିମାନର ବାର୍ତ୍ତାବହ । ଆମ ସରକାର ଜନଜାତିଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯତ୍ନର ସହ କାମ କରୁଛନ୍ତି । ସେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତିମାନଙ୍କ ନିମିତ୍ତ ବିଭିନ୍ନ ସରକାରୀ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ ରାଜ୍ୟରେ ଡ୍ରପ୍ଆଉଟ ହାର ହ୍ରାସ କରିବା ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ । ନିର୍ଦ୍ଦେଶକ, SCSTRTI ଶ୍ରୀ ସୁଧାକର ଶବର ଧନ୍ୟବାଦ ଅର୍ପଣ କରିଥିଲେ ।