ବୁର୍ଲା, ୪/୬(ଆପ୍ର): ବୁର୍ଲା ଭିମସାରରେ ଅଘଟଣ । ଶୌଚପାଇଁ ଯାଇଥିବା ଶିଶୁକନ୍ୟାର ଗୋଡ ପାଇଖାନା ସିଟରେ ଫସିଗଲା । ଶିଶୁକନ୍ୟା କୁ ଉଦ୍ଧାର ପାଇଁ ପରିବାର ଲୋକେ ଦୀର୍ଘ ସମୟଧରି ଉଦ୍ୟମ ପରେ ଫେଲ ମାରିଥିଲେ । ଶେଷରେ ଭିମସାର ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା ।
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାକୁ ଚିକିତ୍ସା ପାଇଁ ବର୍ତ୍ତମାନ ଭିମସାରରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାର ବୟସ ୪ବର୍ଷ ହେବ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମତେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସିନାପାଲି ଗ୍ରାମର ମନୋଜ ଖଡ଼ିଆ ଆଜି ତାଙ୍କ ୪ ବର୍ଷର ଅସୁସ୍ଥ ଝିଅକୁ ଚିକିତ୍ସା ପାଇଁ ଭିମସାର ଆସିଥିଲେ । ଭିମସାରରେ ପହଞ୍ଚିବା ପରେ ଝିଅ ପରିସ୍ରା ଯିବାପାଇଁ କହିଥିଲା । ଏହାପରେ ଭିମସାର ଏନଆରସି ବିଲ୍ଡିଂ ରେ ଥିବା ଶୌଚଳୟକୁ ଶୌଚ ପାଇଁ ଯାଇଥିଲେ । ତେବେ ସେଠାରେ ପାଇଖାନା ସିଟରେ ଉକ୍ତ ଶିଶୁକନ୍ୟାର ଗୋଡ ପଶିଯାଇଥିଲା । ଗୋଡ ଆଉ ପାଇଖାନା ସିଟରୁ ବାହାରକୁ ବହାରିନଥିଲା। ଏହାପରେ ଶିଶୁକନ୍ୟା ଚିତ୍କାର କରିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।