ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଖେଳା ଯାଉଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ରହିଛି। ପିଙ୍କ ବଲ୍‌ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଖୁବ୍‌ ଖରାପ ରହିଛି। ଉଭୟ ଇଂନିସରେ ଟିମ୍‌ର ଷ୍ଟାର ବ୍ୟାଟର୍‌ କ୍ରିଜ୍‌ରେ ତିଷ୍ଠି ରହିବାକୁ ସଂଘର୍ଷ କରିବା ନଜର ଆସିଛି। 

ମ୍ୟାଚ୍‌ର ୨ୟ ଦିନ ଅଷ୍ଟ୍ରେଲିଆ ପ୍ରଥମ ଇଂନିସ୍‌ରେ ସମସ୍ତ ୱିକେଟ୍‌ ହରାଇ ୩୩୭ ରନ୍‌ କରିଥିବା ବେଳେ ୧୫୭ ରନ୍‌ର ବୃଦ୍ଧି ହାସଲ କରିଛି। ଦ୍ୱିତୀୟ ଇଂନିସ୍‌ରେ ଭାରତୀୟ ବ୍ୟାଟର ପୁଣି ଥରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲଙ୍କ ଆଗରେ ସଂଘର୍ଷ କରିବା ଦେଖିବାକୁ ମିଳିଛି ଏବଂ ଲଗାତାର ବ୍ୟବଧ୍ୟାନରେ ୱିକେଟ୍‌ ହରାଇଛନ୍ତି। ଭାରତ ଦ୍ୱିତୀୟ ଇଂନିସରେ ୨୪ ଓଭରରେ ୫ ୱିକେଟ୍‌ ହରାଇ ୧୨୮ ରନ୍‌ କରି ପାରିଛି। ହେଲେ ଟିମ୍‌ ଏବେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ୨୯ ରନରେ ପଛରେ ରହିଛି। 

ଉଲ୍ଲେଖନୀୟ ଯେ, ନିଜର ବ୍ୟାଟିଂ କ୍ରମ ବଦଳାଇ ଥିବା ଅଧିନାୟକ ରୋହିତ ଶର୍ମା (୬)ଙ୍କର ବ୍ୟାଟ୍‌ ୨ୟ ଇଂନିସ୍‌ରେ ମଧ୍ୟ ଚାଲି ପାରି ନାହିଁ , ହେଲେ ପ୍ରଥମ ଟେଷ୍ଟରେ ଶତକ ମାରି ଭାରତର ବିଜୟକୁ ସହଜ କରିଥିବା ବିରାଟ କୋହଲି (୧୧) ମଧ୍ୟ କିଛି କମାଲ କରି ପାରି ନାହାନ୍ତି। କେଏଲ ରାହୁଲ ୭ରନ୍ କରି ପ୍ୟାଭିଲିୟନ ଫେରି ଥିଲେ , ଯିଏକି ପ୍ରଥମ ଇଂନିସ୍‌ରେ ଖାତା ଖୋଲିବାରେ ବିଫଳ ହୋଇଥିଲେ ,ଯଶସ୍ୱୀ ଜାୟସ୍ୱାଲ ୨୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ବୋଲେଣ୍ଡଙ୍କର ଶିକାର ହୋଇଥିଲେ। ଶୁଭମନ ଗିଲ୍‌ (୨୮) ଭଲ ପ୍ରାରମ୍ଭକୁ ବଡ଼ ଇଂନିସରେ ବଦଳାଇବାରେ ବିଫଳ ରହିଛନ୍ତି। ଭାରତୀୟ ଟିମ୍‌କୁ ଇଂନିସର ପରାଜୟରୁ ରକ୍ଷା କରିବାକୁ ଆଉ ୨୯ ରନ୍‌ କରିବାକୁ ହେବ ଏବଂ ଏହାର ଆଉ ୫ଟି ୱିକେଟ୍‌ ବାକି ରହିଛି। ଆଜି ଦିନର ଖେଳ ଶେଷ ହେବା ସୁଦ୍ଧା ଋଷଭ ପନ୍ତ ( ୨୮) ଓ ନିତିଶ କୁମାର ରେଡ୍ଡୀ (୧୫) କ୍ରିଜ୍‌ରେ ଉପସ୍ଥିତ ଥିଲେ।