ନୂଆଦିଲ୍ଲୀ,୧୬/୧୨: ବର୍ଡର-ଗାଭାସ୍କର ତୃତୀୟ ଟେଷ୍ଟ ବ୍ରିସବେନର ଗାବାରେ ଖେଳାଯାଉଛି । ଆଜି ତୃତୀୟ ଦିନରେ ୪୪୫ ରନ କରି ଅଲଆଉଟ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ଯଶପ୍ରୀତ ବୁମରା ୬ ଟି ୱିକେଟ ହାସଲ କରିଛନ୍ତି । ଏହା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ୩ ୱିକେଟ ହରାଇ ୩୯ ରନ କରିଛି ଭାରତ । ୪୨୩ ରନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ବର୍ଷା ହେବାରୁ ଖେଳ ବନ୍ଦ ରହିଛି । ବର୍ଷା ଛାଡିବା ପରେ ପୁଣି ଖେଳ ଆରମ୍ଭ ହେବ । ୬୭ ଓଭର ଖେଳ ହେବ ।
ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳରେ ବର୍ଷା ବାଧକ ସାଜିଥିଲା । ମାତ୍ର ୧୩ ଓଭର ଖେଳ ହୋଇଥିଲା । ଦ୍ବିତୀୟ ଦିନରେ ପାଗ ଶୁଖିଲା ଥିବାରୁ ଖେଳ ଆରମ୍ଭ ହୋଇଥିଲା । ଗାବା ଗ୍ରାଉଣ୍ଡରେ ରନ ବର୍ଷା କରିଥିଲେ ଅଷ୍ଟ୍ରେଲିଆ ପ୍ଲେୟାର । ଟ୍ରେଭିସ ହେଡ ଓ ସ୍ମିଥ ଶତକ ହାସଲ କରିଥିଲେ । ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୪୦୫ ରନର ବିଶାଳ ସ୍କୋର କରିଥିବା ଅଷ୍ଟ୍ରେଲିଆ । ଓପନିର ଉସମାନ ଖ୍ବାଜା ଓ ନାଥନ ମ୍ୟାକସ୍ବିନି ଯଥାକ୍ରମେ ୨୧ ଓ ୯ ରନ କରିଥିଲେ । ଦୁଇଜଣଙ୍କୁ ଶିକାର କରିଥିଲେ ଯଶପ୍ରୀତ ବୁମରା । ମାନର୍ସ ଲାବୁସେନ ୧୨ ରନ କରି ନୀତିଶଙ୍କ ଶିକାର ହୋଇଥିଲେ । ୩ଟି ୱିକେଟ ପଡିବା ପରେ ଭାରତୀୟ ଶିବରରେ ଉଲ୍ଲାସ ଦେଖିବାକୁ ମିଳିଥିଲା ମାତ୍ର ବେଶୀ ସମୟ ନଥିଲା । ହେଡ ଓ ସ୍ମିଥ ଶତକ ହାସଲ କରିଥିଲେ । ଦୁହେଁ ଯଥାକ୍ରମେ ୧୫୨ ଓ ୧୦୧ ରନ କରିଥିଲେ । ଉଭୟଙ୍କୁ ବୁମରା ଆଉଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୫, କମିନ୍ସ ୨୦ ରନ କରି ଆଉଟ ହୋଇଥିଲେ । ଆଲେକ୍ସ କ୍ଯାରୀ (୪୫) ଓ ମିଚେଲ ଷ୍ଟାର୍କ (୭) ରନ କରି ଅପରାଜିତ ରହିଥିଲେ । ଦ୍ବିତୀୟ ଦିନ ଷ୍ଟମ୍ପ ପ୍ରସାରଣ ବେଳକୁ ଅଷ୍ଟ୍ରେଲିଆ ୭ଟି ୱିକେଟ ହରାଇ ୪୦୫ ରନ କରିଥିଲେ । ବୁମରା ୫ଟି ୱିକେଟ ହାସଲ କରିଥିଲେ । ନୀତିଶ ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଆଜି (ସୋମବାର) ତୃତୀୟ ଦିନରେ ପୁଣି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ମିଚେଲ ଷ୍ଟାର୍କ ୧୮ ରନ କରି ବୁମରାଙ୍କ ଶିକାର ହୋଇଥିଲେ । ନାଥନ ଲାଏନଙ୍କୁ (୨) ଶିକାର କରିଥିଲେ ମହମ୍ମଦ ସିରାଜ । ପରେ ପରେ ଆଲେକ୍ସ କ୍ୟାରୀ ୭୦ ରନ କରି ଆକାଶ ଦୀପଙ୍କ ବଲରେ ପାଭିଲିୟନ ଫେରିଥିଲେ । ୧୧୭ତମ ଓଭରରେ ଅଷ୍ଟ୍ରେଲିଆ ଅଲଆଉଟ ହୋଇଥିଲା । ସ୍କୋର ବୋର୍ଡରେ ୪୪୫ରେ କରିଛି ଦଳ । ଏହାପରେ ଭାରତ ବ୍ୟାଟିଂ କରିଥିଲା । କେଏଲ ରାହୁଲ ଓ ଯଶ୍ବସୀ ଜୈସ୍ବାଲ ଓପନିଂ କରିଥିଲେ । ମାତ୍ର ୪ ରନ କରି ଜୈସ୍ବାଲ ଆଉଟ ହୋଇଥିଲେ । ଏହାପରେ ଶୁଭମନ ଗିଲ ୧ ଓ ବିରାଟ କୋହଲି ୩ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୩୩ରେ ୩ଟି ୱିକେଟ ହରାଇଥିଲା ଭାରତ । ଏହା ପରେ ବର୍ଷା ହେବାରୁ ଖେଳ ବନ୍ଦ ରହିଛି । ୪୨୩ ରନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ ।