ନୂଆଦିଲ୍ଲୀ,୧୭/୧୨: ଗାବା ଟେଷ୍ଟରେ ତୃତୀୟ ଦିନ ବି ବର୍ଷା ଲୁଚକାଳି ଖେଳିଥିଲା । ଏହାରି ଭିତରେ ବ୍ୟାଟିଂ ଜାରି ରଖିଥିଲା ଭାରତ । ଭାରତକୁ ସଙ୍କଟରୁ ଉଦ୍ଧାର କରିଛନ୍ତି ଆକାଶ ଦୀପ ଓ ବୁମରା । ଗଡ ସମ୍ଭାଳି ଖେଳିଲେ ବୁମରା ଓ ଦୀପ । ଫଳରେ ଭାରତର ଫଲୋଅନ ବିପଦ ଟଳିଛି । ବ୍ରିସେବେନ ଟେଷ୍ଟର ଚତୁର୍ଥ ଦିନରେ ଷ୍ଟମ୍ପ ଘୋଷଣା ହୋଇଛି । ଭାରତ ୧୯୩ ରନ ଟ୍ରାଏଲ କରୁଛି । ୯ ୱିକେଟ ହରାଇ ୨୫୨ ରନ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ସର୍ବାଧିକ ୪ ୱିକେଟ ହାସଲ କରିଛନ୍ତି ।
ତୃତୀୟ ଦିନ ଭାରତ ୪ ୱିକେଟ ହରାଇ ୫୧ରନ କରିଥିଲା । ବର୍ଷା ଦେବାରୁ ଖେଳ ବନ୍ଦ ରହିଥିଲା । ଆଜି ଚତୁର୍ଥ ଦିନରେ ମ୍ୟାଚ ଆରମ୍ଭ ହୋଇଥିଲା । କେଏଲ ରାହୁଲ ଓ ରୋହିତ ଶର୍ମା କ୍ରିଜରେ ଥିଲେ । ରୋହିତ ମାତ୍ର ୧୦ ରନ କରି ପାଟ କାମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଏକା ଲଢେଇ କରୁଥିଲେ ରାହୁଲ । ତାଙ୍କ ସାଥ ଦେଇଥିଲେ ରବୀନ୍ଦ୍ର ଜାଡେଜା । ଦୁହିଁଙ୍କ ମଧ୍ୟରେ ୫୦ରନର ଭାଗିଦାରୀ ହୋଇଥିଲା । ଅଚାନକ ବର୍ଷା ହେବା ଫଳରେ କିଛି ସମୟ ଖେଳ ବନ୍ଦ ରହିଥିଲା । ପୁଣି ଖେଳ ଆରମ୍ଭ ହୋଇଥିଲା । ୪୨ତମ ଓଭରରେ ୮୪ ରନ କରି ଲାୟନ ନାଥନଙ୍କ ଶିକାର ହୋଇଥିଲେ ରାହୁଲେ । ଏହାପରେ ଜାଡେଜା ଓ ନୀତିଶ ସ୍ଥିତି ସମ୍ଭାଳି ଖେଳୁଥିଲେ ।
୫୯ତମ ଓଭରରେ ନୀତିଶ କୁମାର ରେଡ୍ଡୀ ୧୬ ରନ କରି ଆଉଟ ହୋଇଥିଲେ । ପରେ ପରେ ମହମ୍ମଦ ସିରାଜ ୧ ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର ୨୧୩ରନରେ ୭୭ରନ କରି ପାଭିଲିନୟ ଫେରିଥିଲେ ରବୀନ୍ଦ୍ର ଜାଡେଜା । ଏହାପରେ ବୁମରା ଓ ଆକାଶ ଦୀପ ବ୍ୟାଟିଂ ଭାରତର ଗଡ ସମ୍ଭାଳିଥିଲେ । ଯଶପ୍ରୀତ ବୁମରା ଓ ଆକାଶ ଦୀପ ଅପରାଜିତ ରହିଛନ୍ତି । ଉଭୟଙ୍କ ମଧ୍ୟରେ ୫୪ବଲରେ ୩୩ ରନର ଭାଗୀଦାରୀ ହୋଇଛି । ଆକାଶ ୨୭ ଓ ବୁମରା ୧୦ ରନ କରି ଅପରାଜିତ ରହିଛନ୍ତି । ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଭାରତ ୯ଟି ୱିକେଟ ହରାଇ ୨୫୨ରନ କରିଛି । ୧୯୩ ରନ ଟ୍ରାଏଲ କରୁଛି ଇଣ୍ଡିଆ ।