ନୂଆଦିଲ୍ଲୀ,୮/୧୦ : ଭାରତ ୩ ଟି୨୦ ମ୍ୟାଚର ସିରିଜର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏବେ ଟିମ୍ ଇଣ୍ଡିଆର ନଜର ଦ୍ବିତୀୟ ମ୍ୟାଚରେ ରହିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୯ଅକ୍ଟୋବରରେ ଉଭୟ ଟିମ୍ ମଧ୍ୟରେ ଏହି ମୁକାବିଲା ଖେଳାଯିବ । ଗୋଓ୍ବାଲିୟରରେ ମୟଙ୍କ ଯାଦବ ଏବଂ ନୀତିଶ କୁମାର ରେଡ୍ଡୀ ନିଜ ଡେବ୍ୟୁ କରିଥିଲେ । ଏବେ ଏହା କୁହାଯାଉଛି କି ଦ୍ବିତୀୟ ଟି-୨୦ରେ ବି ଜଣେ ଫାଷ୍ଟ ବୋଲର ଡେବ୍ୟୁ କରି ପାରନ୍ତି । ନିଜ ହୋମଗ୍ରାଉଣ୍ଡରେ ହର୍ଷିତ ରାଣା ଭାରତ ଲାଗି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରନ୍ତି ।

ଏବେ ପ୍ରଶ୍ନ ଏହା ଉଠୁଛି କି ହର୍ଷିତ ରାଣାଙ୍କୁ ଡେବ୍ୟୁ କରିବା ଲାଗି କେଉଁ ଖେଳାଳୀଙ୍କୁ ବାହାର କରାଯିବ ? ଏଥିରେ ପ୍ରଥମ ନାମ ନୀତିଶ କୁମାର ରେଡ୍ଡୀଙ୍କ ସାମ୍ନାରେ ଆସୁଛନ୍ତି । ସେ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ହର୍ଷିତଙ୍କ ଲାଗି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବାହାର କରିପାରେ । ତାଙ୍କ ସ୍ଥାନରେ ଚତୁର୍ଥ ନମ୍ବରରେ ରିୟାନ ପରାଗ ବ୍ୟାଟିଂ କରିପାରନ୍ତି । ତାଙ୍କୁ ପ୍ରଥମ ମୁକାବିଲାରେ ବ୍ୟାଟିଂର ସୁଯୋଗ ମିଳି ନ ଥିଲା ।

ପ୍ରଥମ ଟି-୨୦ ପୂର୍ବରୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସ୍ପଷ୍ଟ କରିଥିଲେ କି ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଭାରତ ଲାଗି ଓପନିଂ କରିବେ । ସେ ଓପନିଂ କରିଥିଲେ ଏବଂ ଭାରତକୁ ଏକ ଭଲ ସ୍କୋର ଦେଇଥିଲେ । ଦ୍ବିତୀୟ ମ୍ୟାଚରେ ବି ଓପନିଂ ଯୋଡ଼ି ବଦଳିବ ନାହିଁ । ଟିମ୍ ମ୍ୟାନେଜମେଣ୍ଟର ଦ୍ବିତୀୟ ଟି-୨୦ରେ ଅଭିଷେକ ଏବଂ ସ୍ୟାମସନଙ୍କଠାରୁ ବଡ଼ ପାଳିର ଆଶା ରହିଛି। ସଞ୍ଜୁ ୧୯ବଲରେ ୨୯ରନ ଏବଂ ଅଭିଷେକ ୭ବଲରେ ୧୬ରନ କରିଥିଲେ । 

ତୃତୀୟ ନମ୍ବରରେ ସୂର୍ଯ୍ୟ କୁମାର ଯାଦବଙ୍କ ଓହ୍ଲାଇବା ସୁନିଶ୍ଚିତ ଅଛି । ଯଦି ନୀତିଶ ରେଡ୍ଡୀ ବାହାରନ୍ତି ତେବେ ଚତୁର୍ଥ ସ୍ଥାନରେ ରିୟାନ ପରାଗ ବ୍ୟାଟିଂ କରିପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୫ମ ନମ୍ବରରେ ରହିବେ । ରିଙ୍କୁ ସିଂହ ଏହି ସମୟରେ ଭାରତର ସର୍ବଶ୍ରେଷ୍ଠ ଫିନିଶର ଅଟନ୍ତି । ଷଷ୍ଠ ନମ୍ବରରେ ରିଙ୍କୁ ତ ୭ମ ନମ୍ବରରେ ଓ୍ବାଶିଂଟନ ସୁନ୍ଦର ଆସିପାରନ୍ତି । ସୁନ୍ଦର ବି ଦ୍ରୁତ ଗତିରେ ରନ୍ କରିବାକୁ ପ୍ରସିଦ୍ଧ ଅଟନ୍ତି ।