ମୁମ୍ବାଇ,୧ \୧୧ : ୱାଙ୍ଖଡେରେ ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଜାରି ରହିଛି । ଟସ ଜିତି ବ୍ୟାଟିଂ ଆରମ୍ଭ କରିଛି କ୍ବିୱି ଦଳ । ସମ୍ମାନ ପାଇ ଲଢୁଛି ରୋହିତ ସେନା । ତୃତୀୟ ଟେଷ୍ଟର ପ୍ରଥମ ଦିନରେ ରୋହିତ ବାହିନୀର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ବୋଲର ଗୋଟିଏ ପରେ ଗୋଟିଏ ୱିକେଟ ହାସଲ କରିଛନ୍ତି । ମ୍ୟାଚ ଆରମ୍ଭରୁ ମାତ୍ର ୩ ଓଭରରେ କ୍ବିୱି ଦଳ ତାର ପ୍ରଥମ ୱିକେଟ ହରାଇ ଥିଲା । ଡେଭନ କନୱେ ୪ ରନ କରି ଆକାଶ ଦୀପଙ୍କ ଶିକାର ହୋଇଥିଲେ ।
ଏହା ପରେ ଟମ ଲାଥମଙ୍କୁ ଶିକାର କରିଥିଲେ ୱାଶିଂଟନ ସୁନ୍ଦର । ମାତ୍ର ୨୮ ରନ କରି ପାଭିଲିୟନ ଫେରିଥିଲେ ଲାଥମ । ପରେ ପରେ ରାଚିନ ରବିନ୍ଦ୍ରଙ୍କୁ ବୋଲିଂ ଜାଲରେ ଫସାଇ ଥିଲେ ୱାଶିଂଟନ । ବ୍ରେକ ସୁଦ୍ଧା ଦଳୀୟ ସ୍କୋର ୯୨ରେ ୩ଟି ୱିକେଟ ହରାଇ ସାରିଥିଲା ନ୍ୟୁଜିଲାଣ୍ଡ । ଏହା ପରେ ୱିଲି ୟଙ୍ଗଙ୍କୁ ଆଉଟ କରିଥିଲେ ରବିନ୍ଦ୍ର ଜାଡେଜା । ପୁଣି ଫିଲପ୍ସଙ୍କୁ ପାଭିଲିୟନ ପଠାଇଥିଲେ ଜାଡେଜା । ତାଙ୍କ ପରେ ଖେଳିବାକୁ ଆସିଥିଲେ ଇଶ ସୋଢି। ସେ ବି ଜାଡେଜାଙ୍କ ବୋଲିଂର ଶିକାର ହୋଇ ମାତ୍ର ୭ ରନ୍ରେ ହୋଇଥିଲେ ଆଉଟ୍। ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଜାଡୋଜା ୩ଟି ଓ୍ବିକେଟ, ଓ୍ବାଶିଂଟନ୍ ସୁନ୍ଦର ଦୁଇଟି ଏବଂ ଆକାଶଦୀପ ଗୋଟିଏ ଓ୍ବିକେଟ ନେଇଛନ୍ତି । ଭ୍ରମଣକାରୀ ଟିମ୍ ୮ ଓ୍ବିକେଟ ହରାଇ ୨୧୮ ରନ୍ କରିଛି।