ନୂଆଦିଲ୍ଲୀ,୧୧/୧୨: ନିକଟରେ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଇଭିଏମ୍‌ ହେରଫେର ହୋଇ‌‌ଥିବା ଅଭିଯୋଗରେ ବିରୋଧୀ 'ଇଣ୍ଡିମେଣ୍ଟ' ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଉଛି। ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ରାକପା) ନେତା ପ୍ରଶାନ୍ତ ଜଗତାପ ଘୋଷଣା କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର, ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଜଣାଶୁଣା ଓକିଲ ତଥା କଂଗ୍ରେସ ନେତା ଅଭିଷେକ ସିଂଘଭିଙ୍କ ମଧ୍ୟରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। 

ଇଭିଏମ୍‌ରେ କ'ଣ ସତରେ କିଛି ହେରଫେର ହୋଇଛି ନା ବିରୋଧୀ ଦଳମାନେ ସେମାନଙ୍କର ପରାଜୟକୁ ଇଭିଏମ୍ ଉପରେ ଦାୟୀ କରିବା ଅଭ୍ୟାସରେ ପରିଣତ ହୋଇଯାଇଛି ବୋଲି ପ୍ରଶ୍ନ ଉଠିଛି। ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବା ସହଜ ନୁହେଁ। କାରଣ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଇଭିଏମ୍‌ର ମନିପୁଲେସନ୍‌ ସମ୍ପର୍କରେ ବିରୋଧୀ ଇଣ୍ଡିମେଣ୍ଟ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଲାଣି। ଇଣ୍ଡିମେଣ୍ଟ ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ ମହାୟୁତି ସପକ୍ଷରେ ଏକ ଇଭିଏମ୍‌ରେ ତ୍ରୁଟି ରହିଥିଲା ଯାହାଦ୍ବାରା ବିରୋଧୀ ମହାରାଷ୍ଟ୍ର ନିର୍ବାଚନରେ ହାରିଛନ୍ତି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀର ଭୋଟର ତାଲିକାକୁ ନେଇ ନିଜର ଉଦ୍ବେଗ ପ୍ରକାଶ କରିଥିଲେ ଯେଉଁଠାରେ ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

କଂଗ୍ରେସର ଡାଟା ଆନାଲିସିସ୍ ବିଭାଗର ଅଧ୍ୟକ୍ଷ ପ୍ରବୀଣ ଚକ୍ରବର୍ତ୍ତୀ ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଏକ ଚିଠି ଲେଖି ମହାରାଷ୍ଟ୍ରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସହ ଜଡିତ ଭୋଟର ତାଲିକାକୁ 'ଏକ୍ସେଲ ସିଟ୍' ଫର୍ମାଟରେ ପ୍ରଦାନ କରିବାକୁ ଦାବି କରିଛନ୍ତି। । ଚକ୍ରବର୍ତ୍ତୀ ମଧ୍ୟ 'ଏକ୍ସେଲ୍ ସିଟ୍' ଫର୍ମାଟରେ ସାମ୍ପ୍ରତିକ ଦୁଇଟି ନିର୍ବାଚନ ପାଇଁ ମତଦାନ କେନ୍ଦ୍ର-ଫର୍ମ ୨୦ର ତଥ୍ୟ ମାଗିଛନ୍ତି। ସେ କହିଛନ୍ତି, "ଆପଣ ମନେ ରଖିଥିବେ ଯେ ଆମେ ତଥ୍ୟ ଉପସ୍ଥାପନ କରିଥିଲୁ ଯାହା ଦର୍ଶାଇଥିଲା ଯେ ବିଧାନସଭା ନିର୍ବାଚନରେ ମତଦାନ ହୋଇଥିବା ମୋଟ ଭୋଟରଙ୍କ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। କଂଗ୍ରେସ ପକ୍ଷରୁ ମୁଁ ଅନୁରୋଧ କରୁଛି ଯେ ଯଥାଶୀଘ୍ର ତଥ୍ୟ ସାର୍ବଜନୀନ କରାଯାଉ।