ନଟିଂହାମ,୨୯/୦୬: ଘରୋଇ  ଇଂଲଣ୍ଡ ଓ ଭାରତ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ  ଭାରତ ୯୭ ରନ୍‌ରେ ବିଶାଳ ବିଜୟ  ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି ଦଳ ୫ ୱିକେଟ୍‌ ବିନିମୟରେ  ୨୧୦ ରନ ସଂଗ୍ରହ କରିଥିଲା । ଜବାବରେ  ଇଂଲଣ୍ଡ ୧୪.୫ ଓଭରରେ ୧୧୩ ରନ  କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା ।  

ଆହତ ହର୍ମନପ୍ରୀତ କୌରଙ୍କ  ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ  ନେଇଥିବା ସ୍ମୃତି ମନ୍ଧନା  ଶତକ ଅର୍ଜନ  କରି ବିରଳ ରେକର୍ଡ ସ୍ଥାପନ କରିବା ସହ  ଦଳକୁ ଜିବାଇବାରେ ପ୍ରମୁଖ ଭୂମିକା ଗ୍ରହଣ  କରିଥିଲେ । ସେ ପ୍ରଥମ ଭାରତୀୟ ବ୍ୟାଟର  ଭାବେ ୩ଟି ଯାକ ଫର୍ମାଟ୍‌ରେ ଶତକ ଅର୍ଜନ  କରିବାରେ ରେକର୍ଡ କରିଥିଲେ । କେବଳ  ସେତିକି ନୁହେଁ, ଭାରତୀୟ ଭାବେ ସେ  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ସର୍ବବୃହତ୍‌ ଇନିଂସ  ଖେଳିବାରେ ହର୍ମନପ୍ରୀତଙ୍କ ରେକର୍ଡ  ଭାଙ୍ଗିଥିଲେ । ଏହାପରେ ପଦାର୍ପଣ ମ୍ୟାଚ୍‌  ଖେଳିଥିବା ୨୦ବର୍ଷୀୟା ଶ୍ରୀ ଚରଣୀ ୧୨  ରନ୍‌ରେ ୪ଟି ୱିକେଟ୍‌ ନେଇ ଇଂଲଣ୍ଡର  ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । 

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା  ଘରୋଇ ଦଳ ପାଇଁ ମହଙ୍ଗା ପଡ଼ିଥିଲା ।  ଭାରତର ଦୁଇ ଓପନର ଶେଫାଳି ବର୍ମା ଓ  ମନ୍ଧନା ଆକ୍ରମଣାତ୍ମକ ବ୍ୟାଟିଂ କରି ୭୭  ରନ୍‌ ସଂଗ୍ରହ କରିଥିଲେ । ଶେଫାଳି ୨୦  ରନ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।  ମାତ୍ର ମନ୍ଧନାଙ୍କୁ ଅଟକାଇବାରେ ଇଂଲଣ୍ଡ  ବୋଲର ବିଫଳ ହୋଇଥିଲେ । ସେ  ଚୌକା ଓ ଛକା ବର୍ଷା କରି ଶତକ ଅର୍ଜନ  କରିବା ଫଳରେ ଦଳୀୟ ସ୍କୋର ୨୧୦ରେ ପହଞ୍ଚିଥିଲା । ସେ ୬୨ଟି ବଲ୍‌ର ସାମ୍ନା କରି  ୧୫ଟି ଚୌକା ଓ ୩ଟି ଛକା ବଳରେ ୧୧୨  ରନ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ, ବିଶ୍ୱର ପଞ୍ଚମ ମହିଳା ବ୍ୟାଟର ଭାବେ  ମନ୍ଧନା ୩ଟି ଯାକ ଫର୍ମାଟ୍‌ରେ ଶତକ  ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ହିଥର  ନାଇଟ୍‌, ତାମି ବ୍ୟୁମୋଣ୍ଟ, ଲାଉରା ଉଲଭର୍ଟ  ଓ ବେଥ ମୁନି ଏହି ସଫଳତା ଅର୍ଜନ  କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ହର୍ଲିନ  ଦେଓଲ ୭ ଚୌକା ବଳରେ ୪୩ ରନ  କରିଥିବାବେଳେ ରିଚା ଘୋଷ ୧୨ ରନ  କରିଥିଲେ । ଇଂଲଣ୍ଡ ପକ୍ଷରୁ ଲାଉରେନ  ବେଲ୍‌ ୩ଟି ୱିକେଟ ନେଇଥିଲେ । 

ଜବାବରେ ଇଂଲଣ୍ଡ ପ୍ରାରମ୍ଭରୁ  ବିପର୍ଯ୍ୟୟର ସାମ୍ନା କରିଥିଲା । ଓପନର  ଡାନି ୱାଟ୍‌ ଖାତା ଖୋଲି ପାରିନଥିବାବେଳେ  ଶୋଫିଆ ଡଙ୍କଲି ମାତ୍ର ୭ ରନ କରି  ପାଭିଲିୟନ ଫେରିଥିଲେ । ୯ ରନ୍‌ରେ  ଓପନିଂ ଯୋଡ଼ିଙ୍କୁ ହରାଇବା ପରେ ଇଂଲଣ୍ଡ  ବିପର୍ଯ୍ୟୟରୁ ମୁକୁଳି ପାରି ନଥିଲା । କେବଳ  ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟଙ୍କୁ ଛାଡ଼ି  ଦେଲେ ଅନ୍ୟ କେହି ଭାରତୀୟ ବୋଲରଙ୍କ  ସାମ୍ନା କରିପାରି ନଥିଲେ । ସ୍କିଭର-ବ୍ରଣ୍ଟ ୧୦ ଚୌକା ବଳରେ ସର୍ବାଧିକ ୬୬ ରନ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ  ଆର୍ଲଟ୍‌ ୧୨ ଓ ତାମି ବ୍ୟୁମୋଣ୍ଟ ୧୦ ରନ  କରିଥିଲେ। ବାକି ୮ ବ୍ୟାଟର ୨ଅଙ୍କ ଛୁଇଁ  ପାରି ନଥିଲେ । ଭାରତ ପକ୍ଷରୁ ଶ୍ରୀ ଚରଣୀଙ୍କ  ୪ ୱିକେଟ ବ୍ୟତୀତ ଦୀପ୍ତି ଶର୍ମା ଓ ରାଧା  ଯାଦବ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।