ସେଞ୍ଚୁରୀୟନ,୧୪/୧୧: ତିଳକ ବର୍ମାଙ୍କ ପ୍ରଥମ ଟି-ଟ୍ୱେଣ୍ଟି ଶତକ ବଳରେ ଭାରତ ଅନୁଷ୍ଠିତ ତୃତୀୟ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୧ ରନ୍ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ବିନିମୟରେ ୨୧୯ ରନ୍ ସଂଗ୍ରହ କରିଥିଲା । ଦକ୍ଷିଣ ଆଫ୍ରିକା ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରି ୭ ୱିକେଟ୍ ହରାଇ ୨୦୮ ରନ କରିବାକୁ ସକ୍ଷମ ହୋଇଥିଲା ।
୨୨୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ମଧ୍ୟ ଆଜି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆଗରେ ତୁଚ୍ଛ ମନେ ହୋଇଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ ଜାରି ରହିଥିଲା । ଧୂଆଁଧାର ବ୍ୟାଟିଂ କରି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିବା ମାର୍କୋ ଜାନସେନଙ୍କୁ ଅର୍ଶଦୀପ ଶେଷ ଓଭରରେ ଆଉଟ୍ କରିବା ଫଳରେ ଭାରତର ବିଜୟ ସମ୍ଭବ ହୋଇଥିଲା । ମ୍ୟାଚ୍ ବିଜୟୀ ଶତକ ପାଇଁ ତିଳକ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
୧୯ତମ ଓଭର ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିର୍ମମ ପ୍ରହାର କରି ଜାନସେନ ୨୬ ରନ୍ ସଂଗ୍ରହ କରିଥିଲେ । ମ୍ୟାଚ୍ର ଗତି ପଥ ବଦଳି ଯାଇଥିଲା । ଶେଷ ଓଭରରେ ବାକି ରହିଥିଲା ମାତ୍ର ୨୫ ରନ୍ । ଅର୍ଶଦୀପ ପ୍ରଥମ ୨ଟି ବଲ୍ରେ ୭ ରନ୍ ପ୍ରଦାନ କରିଥିଲେ ହେଁ ତୃତୀୟ ବଲ୍ରେ ଜାନସେନଙ୍କୁ ଆଉଟ୍ କରିଥିଲେ । ଜାନସେନ ମାତ୍ର ୧୭ଟି ବଲ୍ରୁ ୪ଚୌକା ଓ ୫ଛକା ବଳରେ ୫୪ ରନ୍ କରିଥିଲେ । ଶେଷ ୩ଟି ବଲ୍ରେ ଆର୍ଶଦୀପ ୬ ରନ୍ ପ୍ରଦାନ କରିଥିଲେ ଓ ଭାରତ ୧୧ ରନ୍ରେ ବିଜୟ ହାସଲ କରିଥିଲା ।
ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ନେବା ଦକ୍ଷିଣ ଆଫ୍ରିକା ପାଇଁ ମହଙ୍ଗା ପଡ଼ିଥିଲା । ସଞ୍ଜୁ ସାମସନ ଖାତା ଖୋଲି ପାରିନଥିଲେ ହେଁ ଭାରତକୁ ପ୍ରଭାବ ପଡ଼ି ନଥିଲା । ଅନ୍ୟ ଓପନର ଅଭିଷେକ ଶର୍ମା ଫର୍ମ ଫେରି ପାଇଥିଲେ । ତାଙ୍କୁ ସହାୟତା କରିଥିଲେ ତିଳକ ବର୍ମା । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୫୦ଟି ବଲ୍ରେ ୧୦୨ ରନ୍ ସଂଗ୍ରହ କରିଥିଲେ । ଶେଷରେ କେଶବ ମହାରାଜ ଯୋଡି ଭାଙ୍ଗିଥିଲେ ଓ ଅଭିଷେକ ୨୫ଟି ବଲ୍ରୁ ୫୦(୩ଚୌକା, ୫ଛକା) ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରି ଆଉଟ୍ ହୋଇଥିଲେ ହେଁ ତିଳକଙ୍କୁ ଆଉଟ୍ କରିବା ସମ୍ଭବ ନଥିଲା । ସେ ଗ୍ରାଉଣ୍ଡର ସାରା ଦର୍ଶନୀୟ ସଟ୍ମାନ ଖେଳି ୫୧ଟି ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କ କ୍ୟାରିୟର୍ର ପ୍ରଥମ ଶତକ ରହିଥିଲା । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ସେ ଦଳୀୟ ସ୍କୋରକୁ ୨୧୯ରେ ପହଞ୍ଚାଇଥିଲେ । ମାତ୍ର ୫୬ଟି ବଲ୍ର ସାମ୍ନା କରି ତିଳକ ୮ଚୌକା ଓ ୭ଛକା ବଳରେ ୧୦୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମଣଦୀପ ୧୫, ରିଙ୍କୁ ସିଂହ ୮ ଓ ଅକ୍ଷର ପଟେଲ ୧ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମହାରାଜ ଓ ସିମେଲିନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୨୨୦ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରିବା ଘରୋଇ ଦଳ ପାଇଁ ସହଜ ହୋଇନଥିଲା । ଦଳୀୟ ସ୍କୋର ୨୭ ବେଳେ ର୍ୟାନ ରିକେଲଟନ ୨୦ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ରିଜା ହେଣ୍ଡରିକ୍ସ ୨୧, ଟ୍ରିଷ୍ଟନ ଷ୍ଟବ୍ସ ୧୨ ଓ ଆଡେନ ମାରକ୍ରମ ୨୯ ରନ୍ କରି ଆଉଟ୍ ହେବା ସହ ଦକ୍ଷିଣ ଆଫ୍ରିକା ୮୪ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ମାତ୍ର ହେନରିକ୍ କ୍ଲାସେନ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଡେଭିଡ୍ ମିଲରଙ୍କୁ ସାଥୀ କରି ସେ ଦଳୀୟ ସ୍କୋରକୁ ୧୪୨ରେ ପହଞ୍ଚାଇଥିଲେ । ମିଲର ୧୮ ରନ୍ କରି ଆଉଟ୍ ହୋଇଥିଲେ । କ୍ଲାସେନ ଓ ମାର୍କୋ ଜାନସେନ ୧୧ଟି ବଲ୍ରୁ ୨୫ ରନ୍ ସଂଗ୍ରହ କରି ଭାରତର ଚିନ୍ତା ବଢାଇ ଦେଇଥିଲେ । ଅର୍ଶଦୀପ ସିଂହ ୧୮ତମ ଓଭରରେ କ୍ଲାସେନଙ୍କୁ ଆଉଟ୍ କରିବା ପରେ ଭାରତ ସାମାନ୍ୟ ଆଶ୍ୱସ୍ତ ହୋଇଥିଲା । କ୍ଲାସେନ ୨୨ଟି ବଲ୍ରୁ ୪୧(୧ଚୌକା, ୪ଛକା) ରନ୍ କରିଥିଲେ । ମାତ୍ର ଜାନସେନ କ୍ଷଣକ ମଧ୍ୟରେ ଆଶା ମଉଳାଇ ଦେଇଥିଲେ । ୧୯ତମ ଓଭରରେ ୨୬ ରନ୍ ସଂଗ୍ରହ କରିଥିଲେ ଜାନସେନ ।