ନୂଆଦିଲ୍ଲୀ,୮।୧୧:  ଭାରତ ବିରୋଧରେ ୨୦୩୦ ପରେ ହୋଇପାରେ ଟୁ-ଫ୍ରଣ୍ଟ ଓ୍ବାର। ଏହାର ମୁକାବିଲା ପାଇଁ ଚାଲିଛି ବଡ଼ ଧରଣର ପ୍ରସ୍ତୁତି। ପୂର୍ବତର ରାଜ୍ୟରେ ବାୟୁସେନା ପକ୍ଷରୁ ଅଭ୍ୟାସ ପାଇଁ ‌ନୋଟିସ୍ ଟୁ ଏୟାରମ୍ୟାନ୍ ବା ନୋଟାମ୍ ଜାରି ହୋଇଛି। ଏହା ସହ ପ୍ରଥମ ଥର ପାଇଁ ଜଳ, ସ୍ଥଳ ଓ ବାୟୁସେନା ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଏବେ ତିନି ପଟୁ ଶତ୍ରୁଙ୍କ ସହ ଲଢିବ ଭାରତ। ପୂର୍ବ, ପଶ୍ଚିମ, ଓ ପୂର୍ବତର ସୀମାରେ ଭାରତୀୟ ସେନା କରିବାକୁ ଯାଉଛି ସମରାଭାସ୍ୟ। ପୂର୍ବତର ରାଜ୍ୟରେ ବାୟୁସେନା ଅଭ୍ୟାସ ପାଇଁ ନୋଟିଫିକେସନ୍ ଅର୍ଥାତ ନୋଟାମ୍ ଜାରି କରିଛି। ଏହି ସମରାଭ୍ୟାସ୍ ୧୩ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଚୀନ୍, ବାଂଲାଦେଶ ଓ ଭୁଟାନ ସୀମା ପର୍ଯ୍ୟନ୍ତ ସମରାଭାସ୍ୟ କରାଯିବ। ଏହାଦ୍ବାରା ଚୀନ୍ ଓ ପାକିସ୍ତାନ ସହ ବାଂଲାଦେଶକୁ ମଧ୍ୟ ଚିନ୍ତା ରହିବ। କାରଣ ସମରାଭାସ୍ୟରେ ଭାରତର ରାଫେଲ, ସୁଖୋଇ-୩୦ ଭଳି ଯୁଦ୍ଧ ଜାହାଜର ଜଲଓ୍ବା ଦେଖିବାକୁ ମିଳିବ। ନୋଟାମ୍ ଭାରତର ଚିକେନ୍ ନେକ୍ ଭାବରେ ପରିଚିତ ସିଲିଗୁଡି କରିଡରରେ କିଛି ଦିନ ପାଇଁ ବାୟୁସୀମାକୁ ସଂରକ୍ଷିତ କରିବ। ଯାହାକି ୨୨ କିଲୋମିଟର ଚଉଡା ରହିଛି।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଭାରତ ତିନିପଟୁ  ସମରାଭାସ୍ୟ କରୁଛି। ଏହା ମଲ୍ଟି ଡୋମେନ୍ ଓ୍ବାର ଦୃଷ୍ଟିରୁ କରାଯାଉଛି। ୨୦୩୦ ପରେ ଚୀନ୍-ପାକିସ୍ତାନ ଏକାଠି ମିଶି ଭାରତ ଉପରେ ଆକ୍ରମଣ କରିପାରନ୍ତି। ଚଳିତ ବର୍ଷ ୧୭ ମାର୍ଚ୍ଚରେ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଥିଲେ, ଟୁ-ଫ୍ରଣ୍ଟ ଓ୍ବାର ହେଉଛି ଭାରତର ବାସ୍ତବିକତା। ଚୀନ୍ ଏବେଠାରୁ ଯୁଦ୍ଧର ପ୍ରସ୍ତୁତି  କରୁଛି। ଏକାସାଙ୍ଗେ ତିନୋଟି କାମ କରୁଛି, ଯାହାର ପୁରା ହେବାର ସମୟ ୨୦୩୦ ରହିଛି। ପ୍ରଥମତଃ, ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହୋଇଥିବା ମେଡୋକ୍ ଡ୍ୟାମର ନିର୍ମାଣ କାର୍ଯ୍ୟ ୨୦୩୦ ମସିହାରେ ସରିବ। ଏହାପରେ ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିବା ତିବ୍ଦତ-ସିନଜିଆଙ୍ଗ ରେଳପଥ ୨୦୩୦ରେ ସରିବ।  ସେଭଳି ୨୦୦ ଯୁଦ୍ଧଜାହାଜ, ୧୫ଟି ପରମାଣୁ ବୁଡ଼ାଜାହାଜ ଏବଂ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ପାଇଁ ଏକ ବିଶାଳ ୟାର୍ଡ ନିର୍ମାଣ କରାଯାଉଛି, ଯାହା ୨୦୩୦ ରେ ସମାପ୍ତ ହେବ।

ଏହି ସମୟସୀମା ସୂଚାଇ ଦେଉଛି ଯେ ଚୀନ୍ ଭାରତ ବିରୁଦ୍ଧରେ ବଡ଼ ପ୍ରସ୍ତୁତି କରୁଛି। ଏଥିପାଇଁ ଚୀନ୍ ନୀରବରେ କାମ କରୁଛି। ସୋଡିଙ୍କ ମତରେ ଭାରତରେ ଚୀନ୍‌କୁ ଲାଗିଥିବା ଯାହାବି ସୀମା ରହିଛି, ତାହା ଲେହ-ଲଦାଖର ଅଞ୍ଚଳ ହେଉ କିମ୍ବା ଅରୁଣାଚଳ ପ୍ରଦେଶ, ସବୁ ଖୁବ୍ ସମ୍ବେଦନଶୀଳ ଅଞ୍ଚଳ। ଭାରତ  ଏହି ଅଞ୍ଚଳକୁ ଧ୍ୟାନରେ ରଖି ସମରାଭ୍ୟାସ କରୁଛି। ନିକଟରେ ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ନୋଟାମ୍ ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଜଳ,ସ୍ଥଳ ଓ ବାୟୁସେନା ସମରାଭ୍ୟାସ କରିବେ। ଏହାର ନାଁ ରଖାଯାଇଛି ‘ଏକ୍ସ ତ୍ରିଶୁଳ’।