ନୂଆଦିଲ୍ଲୀ,୨୪/୦୫: ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପାକିସ୍ତାନ ଉପରେ ବର୍ଷିଛି । ଭାଷଣ ଦେବା ବନ୍ଦ କର, ସୁରକ୍ଷା ଉପରେ ଉପଦେଶ ଦେବାର ତୁମର କୌଣସି ଅଧିକାର ନାହିଁ । ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ଭତ୍ସର୍ନା କରି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଏହା କହିଛନ୍ତି । ଏହା ସହିତ ମୁମ୍ୱାଇରେ ୨୬/ ୧୧ ଆତଙ୍କୀ ଆକ୍ରମଣଠୁ ନେଇ ପହଲଗାମ ଆତଙ୍କୀ ହମଲା ଯାଏ ସବୁ ଘଟଣାକୁ ନେଇ ପାକିସ୍ତାନ ଉପରେ ବର୍ଷିଛି ଭାରତ ।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଭାରତ ପାକିସ୍ତାନର ମୁଖା ଖୋଲି ଜୋରଦାର ଆଟାକ୍ କରିଛି । ବୈଠକରେ ନାଗରିକଙ୍କ ସୁରକ୍ଷା ନେଇ ଚର୍ଚ୍ଚା ହୋଇଥିଲା । ଭାରତ କହିଥିଲା, 'ଯେଉଁ ଦେଶ ଆତଙ୍କବାଦୀ ଏବଂ ନାଗରିକ ମଧ୍ୟରେ ଫରକ ଜାଣିପାରୁନାହିଁ ତାଙ୍କୁ ସୁରକ୍ଷା ଉପରେ କହିବାର କୌଣସି ଅଧିକାର ନାହିଁ । ଆଧାରହୀନ ପାକିସ୍ତାନ ଯିଏକି ଆତଙ୍କୀକୁ ପ୍ରୋତ୍ସାହନ ଦେଉଛି ସେ ଭାଷଣ ବନ୍ଦ କରୁ ।''
ଭାରତର ସ୍ଥାୟୀ ପ୍ରତିନିଧି ଆହୁରି କହିଛନ୍ତି, ''ଭାରତ ଦଶକ ଯାଏ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦକୁ ସହିଛି । ମୁମ୍ୱାଇ ୨୬/୧୧ ଆତଙ୍କୀ ହମଲା ହେଉ କି ପହଲଗାମ ନରସଂହାର । ଯେଉଁଥିରେ ଆମର ନୀରିହ ଲୋକଙ୍କୁ ଟାର୍ଗେଟ କରାଯାଇଛି । ଏମିତି ଦେଶର ନାଗରିକଙ୍କ ସୁରକ୍ଷାକୁ ନେଇ ଅନ୍ତର୍ରାଷ୍ଟ୍ରୀୟ ସମୁଦାୟ ଉପରେ କିଛି କହିବାର ଅଧିକାର ନାହିଁ । ପାକିସ୍ତାନ ସେନା ଜାଣିଶୁଣି ଭାରତ ସୀମାରେ ଗୁଳିଗୋଳା ବର୍ଷଣ କରିଥିଲେ ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୮୦ରୁ ଅଧିକ ଆହତ ହୋଇଥିଲେ । ଗୁରୁଦ୍ୱାର, ମନ୍ଦିର, ଚର୍ଚ୍ଚ ଓ ହସ୍ପିଟାଲକୁ ଟାର୍ଗେଟ କରିଥିଲେ । ଏମିତି ସେନା ଓ ସରକାର ଯିଏ ଧାର୍ମିକ ସ୍ଥଳ ଏବଂ ନାରଗିକଙ୍କୁ ଟାର୍ଗେଟ କରୁଛନ୍ତି ସେମାନଙ୍କ ପାଇଁ ଏହି ମଞ୍ଚରେ ଉପଦେଶ ଦେବାର ସ୍ଥାନ ନାହିଁ ।''
ଅପରେସନ୍ ସିନ୍ଦୂରର ଚର୍ଚ୍ଚା- ଭାରତ ଏହା କହିଛି କି ପାକିସ୍ତାନ ସରକାର, ପୁଲିସ ଓ ସୈନ୍ୟ ଅଧିକାରୀ ନିହତ ହୋଇଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏଥିରୁ ସ୍ପଷ୍ଟ ଯେ ସେମାନେ ଆତଙ୍କ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଫରକ ଜାଣନ୍ତି ନାହିଁ ।
ଭାରତର ସ୍ପଷ୍ଟ ସନ୍ଦେଶ- ଭାରତ ଅନ୍ତରାଷ୍ଟ୍ରୀୟ ସମୂଦାୟକୁ ସନ୍ଦେଶ ଦେଇଛି କି ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ରାଜ୍ୟ ନୀତି ପରି ବ୍ୟବହାର କରିବ, ସେ ପର୍ଯ୍ୟନ୍ତ କୌଣସି ନୈତିକ ବିମର୍ଶରେ ଭାଗ ନେବାର ଅଧିକାର ନାହିଁ ।