ପ୍ରମୂଖ ଖବର
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ; ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା

Published By : Ankita S | August 27, 2025 8:05 AM

ଭୁବନେଶ୍ବର,୨୭/୦୮: ‘ଓଁ ଖର୍ବ ସ୍ଥୂଳତନୁଂ ଗଜେନ୍ଦ୍ରବଦନଂ ଲମ୍ବୋଦର ସୁନ୍ଦରଂ...’। ପ୍ରଣମ୍ୟ ଶିରସା ଦେବଂ ଗୌରୀପୁତ୍ର ବିନାୟକମ୍‌..ଭକ୍ତାବାସମ୍‌ ସ୍ମରେନ୍ନିତ୍ୟଂ ଆୟୁଃ କାମାର୍ଥ ସିଦ୍ଧୟେ । ଧରାବତରଣ କରିଛନ୍ତି ଅଗ୍ରପୂଜା ଶ୍ରୀଗଣେଶ । ବିଦ୍ୟା, ବୁଦ୍ଧି, ସିଦ୍ଧିଦାତା ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସବୁଠି ଭକ୍ତିମୟ ପରିବେଶ । ଚଳଚଞ୍ଚଳ ଏକାମ୍ର ନଗରୀ । ରଙ୍ଗୀନ ଆଲୋକରେ ଝଲସୁଛି ରାସ୍ତାଘାଟ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଖି ଝଲସା ପୂଜା ପେଣ୍ଡାଲ । ବଜାରରେ ନାହିଁ ନଥିବା ଭିଡ଼ । ଚାଲିଛି କିଣାକିଣି, ଜମୁଛି ବେପାର ।  

୩୪୦ ମଣ୍ଡପରେ ପୂଜା ପାଇବେ ବିନାୟକ- ଭୁବନେଶ୍ୱରର ନୂଆ, ପୁରୁଣା, ସାନ, ବଡ଼ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ।  ସ୍କୁଲ, କଲେଜ ଓ ଘରେ ଘରେ ବି ବିନାୟକଙ୍କ ପୂଜା ହୋଇଛି । ସହରର ରସୁଲଗଡ଼ରୁ ନେଇ ଖଣ୍ଡଗିରି, ବଡ଼ଗଡ଼ରୁ ନେଇ ଫାୟାର ଷ୍ଟେସନ୍‌, ଚନ୍ଦ୍ରଶେଖରପୁର ଓ ସହିଦ ନଗର ପର୍ଯ୍ୟନ୍ତ ସବୁଠି ପୂଜା ପରିବେଶ । ଗଳି ଗଳିରେ, ଛକ ଛକରେ ପ୍ରଭୁଙ୍କ ଗଣେଶଙ୍କ ପୂଜା । ସହରରେ ପାଖାପାଖି ୩୪୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଶ୍ରୀଗଣେଶ । ଏଥିପାଇଁ ମୂର୍ତ୍ତି, ତୋରଣକୁ ନେଇ ସମସ୍ତ ପୂଜା କମିଟିଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା । କିଏ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛି ତ କିଏ ପେଣ୍ଡାଲ୍‌ ଆଉ କିଏ ଗେଟ୍‌ । ପୁଣି କିଏ ଗଣେଶଙ୍କ ଉଚ୍ଚତା ଅନୁସାରେ ଭୋଗ ପାଇଁ ସେତିକି କେଜି ଓଜନର ଲଡ଼ୁ ପ୍ରସ୍ତୁତ କରିଛି । ପୁଣି କିଏ ଆକର୍ଷଣୀୟ ଗେଟ୍‌ କରି, ଲାଇଟ୍‌ ଲଗାଇଛି ତ କିଏ ବଡ଼ ବଡ଼ ଷ୍ଟାର୍‌ଙ୍କୁ ଡାକି ସାଂସ୍କୃତିକ ଆୟୋଜନ କରିଛି । କିଛି ସ୍ଥାନରେ ମୂର୍ତ୍ତିଙ୍କୁ ରୂପାରେ ଆଚ୍ଛାଦିତ ସହ ରୂପା ଗୋଡ଼ ଏବଂ ହାତ ଆଦି ନିର୍ମାଣ କରାଯାଇଛି । 

ଚଳିତବର୍ଷ ବଡ଼ଗଡ଼ରେ ୬୧ଫୁଟର ମୂର୍ତ୍ତି ପୂଜା ପାଇବେ । ଯାହା ଉଚ୍ଚତାରେ ଭୁବନେଶ୍ୱରର ସବୁଠୁ ବଡ଼ ମୂର୍ତ୍ତି । ସେହିପରି ସହିଦ ନଗରରେ ୪୬ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରାଯାଇଛି । ପୁରୁଣା ଭୁବନେଶ୍ୱର ଏକାମ୍ର ରାଜା ମହୋତ୍ସବରେ କାମନା ଗଣେଶଙ୍କ ବିଶାଳମୂର୍ତ୍ତି ଅନ୍ୟତମ ଆକର୍ଷଣ ପାଲିଟିଛି । ବାକି ସୁନ୍ଦରପଦା, ୟୁନିଟ-୪ ଭୌମ୍ୟନଗର, ସିଜୁଆ, ନୂଆପଲ୍ଲୀ ନୂଆସାହି, ୟୁନିଟ-୧, ୟୁନିଟ-୬, ୟୁନିଟ-୮, ୟୁନିଟ-୯, ବରମୁଣ୍ଡା, ନୂଆ ଏୟାରପୋର୍ଟ ରୋଡ୍‌ ସହ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ବିଭିନ୍ନ ରୂପରେ ଗଜାନନ ବିଜେ ହେବେ । ସବୁ ମଣ୍ଡପରେ ଦିନରେ ପୂଜା ସହ ରାତିରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ମେଲୋଡି, ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ । ଅଧିକାଂଶ ପୂଜା କମିଟି ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ବୁକିଂ କରିଛି । କିଛି ପୂଜା ମଣ୍ଡପ ବୃକ୍ଷରୋପଣ, ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ୫ଦିନ ଧରି ରାଜଧାନୀ ଖାଲି ଉଠିବ ପଡ଼ିବ । ବିଘ୍ନରାଜଙ୍କ ପୂଜାରେ କୌଣସି ବିଘ୍ନ ନଘଟିବା ଲାଗି ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ଶବ୍ଦ ପ୍ରଦୂଷଣ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏନେଇ ମଙ୍ଗଳବାର ବିଭିନ୍ନ ପୂଜା କମିଟି ସହ ପୁଲିସ୍‌ର ଏକ ସମନ୍ୱୟ ବୈଠକ ବସିଥିଲା । ପୂଜାରେ ସହରରେ ଯେପରି କୌଣସି ଅଶାନ୍ତି ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ସେନେଇ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦାୟିତ୍ୱରେ ୧୩ରୁ ଅଧିକ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ ରହିବେ । 

ବ୍ୟାପକ ସୁରକ୍ଷା ବ୍ୟବସ୍ଥା- ପୁଲିସ୍‌ ପକ୍ଷରୁ ରାତିପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ । ଭସାଣି କିମ୍ବା ଅନ୍ୟ ସମୟରେ ଡିଜେକୁ ସମ୍ପୂର୍ଣ୍ଣ ମନା ହୋଇଥିଲା ବେଳେ ୬୦ ଡେସିବିଲ୍‌ ସାଉଣ୍ଡ୍‌ରେ ଗୀତ ବାଜିବ । ଆତସବାଜି ଫୁଟାଇବା ଉପରେ ବି ରୋକ୍‌ ଲାଗିଛି । ଏହାସହ ରାସ୍ତା ଉପରେ ବଡ଼ ତୋରଣ ହେବନି । ରାତି ୧୦ଟା ପରେ ମେଲୋଡି ବନ୍ଦ । ପୂଜା ମଣ୍ଡପ ନିଶାମୁକ୍ତ ରହିବ । ପ୍ରତି ପୂଜାସ୍ଥଳରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ବେଆଇନ୍‌ ଭାବେ ଚାନ୍ଦା ଆଦାୟ କଲେ ପୁଲିସ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ । ଏହାଛଡ଼ା ସବୁଜ ବା ଇକୋ ଫ୍ରେଣ୍ଡଲି ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଣ୍ଡପଗୁଡ଼ିକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଏଡ଼ାଇବାକୁ ନିବେଦନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.