ନୂଆଦିଲ୍ଲୀ,୧୭/୧୦: ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟର ପ୍ରାକ୍-ପରୀକ୍ଷା ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ । ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ଏହି ସୂଚନା ଦେଇଛନ୍ତି । ତେବେ ଏହି ପରୀକ୍ଷା କେବଳ ଘର ଗଣନା ଓ ତାକୁ ତାଲିକାଭୁକ୍ତ କରିବାରେ ସୀମିତ ରହିବ । ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକସମୟରେ ଏହି ପରୀକ୍ଷା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ତଥ୍ୟ ସଂଗ୍ରହ କରିବାର ଶୈଳୀ, ଆନୁସଙ୍ଗୀକ ବ୍ୟବସ୍ଥା, ଟ୍ରେନିଂ ଓ ଡିଜିଟାଲ ଉପକରଣ ଯାଞ୍ଚ କରିବା ।
୨୦୨୭ ଜନଗଣନା ପୂର୍ବରୁ କ୍ଷେତ୍ର ସ୍ତରରେ ରହିଥିବା ବିଭିନ୍ନ ଆହ୍ୱାନର ଆକଳନ କରିବା ଲାଗି ଏଭଳି ପ୍ରାକ୍- ପରୀକ୍ଷା କରାଯାଉଛି । ପରୀକ୍ଷା ବେଳେ ମୋବାଇଲ ଆପ୍ରେ ତଥ୍ୟ ସଂଗ୍ରହ ଓ ସ୍ୱ-ଗଣନାର ପରୀକ୍ଷା କରାଯିବ । ଜନଗଣନା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତ ଜୁନରେ ବିଜ୍ଞପ୍ତି ଜାରି କରାଯାଇଥିଲା । ବିଜ୍ଞପ୍ତି ଅନୁସାରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ୨୦୨୬ ଅକ୍ଟୋବର ୧ରୁ ଆରମ୍ଭ ହେବ । ଏଥିରେ ୪ଟି ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ଲଦାଖ ସାମିଲ ରହିବ ।
ସେହିଭଳି ୨୦୨୭ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ଦେଶର ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଗଣନା କରାଯିବ । କେନ୍ଦ୍ର ସରକାର ଗତ ଏପ୍ରିଲ ୩୦ରେ ଦେଶରେ ଜାତିଗଣ ଜନଗଣନା କରିବାକୁ ଘୋଷଣା କରିଥିଲେ । ସ୍ୱାଧୀନତା ଲାଭ ପରେ ଦେଶରେ ଏହା ପ୍ରଥମ ଜାତିଗତ ଜନଗଣନା ହେବ । ଜାତିଗତ ଜନଗଣନାକୁ ମୂଳ ଜନଗଣନା ସହ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଶରେ ଜାତିଗତ ଜନଗଣନା କରିବାକୁ ବହୁଦିନ ହେଲା ଦାବି କରିଆସୁଥିଲେ । ଦେଶରେ ଶେଷଥର ପାଇଁ ଜନଗଣନା ୨୦୧୧ରେ କରାଯାଇଥିଲା । ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଏ । ସେହି ଦୃଷ୍ଟିରୁ ଦେଖିଲେ ୨୦୨୧ରେ ଜନଗଣନା କରାଯିବା କଥା । କିନ୍ତୁ କୋଭିଡ-୧୯ ମହାମାରୀ କାରଣରୁ ଏହାକୁ ଟାଳି ଦିଆଯାଇଥିଲା ।