ନୂଆଦିଲ୍ଲୀ: ଆସନ୍ତାବର୍ଷ ଅର୍ଥାତ ୨୦୨୫ରେ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂରଣ ହେବ । ଏହା ପୂର୍ବରୁ ଉଭୟ ଦେଶ ସେମାନଙ୍କର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି । ଭାରତ-ଚୀନ୍ ସୀମାରେ ଶାନ୍ତି ଆଣିବା ଠାରୁ ଆରମ୍ଭ କରି ଅର୍ଥନୈତିକ, ସାଂସ୍କୃତିକ ତଥା ବାଣିଜ୍ୟିକ ପ୍ରଗତିକୁ ଗଭୀର କରିବା ପର୍ଯ୍ୟନ୍ତ ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତର ସ୍ୱତନ୍ତ୍ର ପ୍ରତିନିଧୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବେଜିଂରେ ଚୀନ୍‌ର ଉପରାଷ୍ଟ୍ରପତି ହାନ ଜେଙ୍ଗଙ୍କୁ ଭେଟିଛନ୍ତି। ଭାରତ-ଚୀନ୍ ସମ୍ପର୍କକୁ ମଜବୁତ କରିବା ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି ।

ଏହି ସମୟରେ ଚାଇନାର ଉପରାଷ୍ଟ୍ରପତି ହାନ ଜେଙ୍ଗ କହିଛନ୍ତି ଯେ, ଆସନ୍ତା ବର୍ଷ ଚୀନ୍ ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ଗଠନର ୭୫ ତମ ବାର୍ଷିକୀ ପାଳନ ହେବ । ଏଭଳି ପରିସ୍ଥିତିରେ ଉଭୟ ଦେଶର ନେତାଙ୍କ ଦ୍ୱାରା ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଉଭୟ ଦଳ ଦ୍ୱାରା କାର୍ଯ୍ୟକାରୀ ହେବା ଉଚିତ୍ । ଏଥି ସହିତ, ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନର ଗତି ବଜାୟ ରଖିବା ଉଚିତ । ସେ କହିଛନ୍ତି ଯେ ଦୁଇ ଦେଶ ରାଜନୈତିକ ପାରସ୍ପରିକ ବିଶ୍ୱାସର ବିକାଶ କରିବା ଉଚିତ ଏବଂ ଧୀରେ ଧୀରେ ଅନୁଷ୍ଠାନିକ କଥାବାର୍ତ୍ତା ପୁନସ୍ଥାପନ କରିବା ଉଚିତ। ଏହା ସହିତ ଅର୍ଥନୀତି, ବାଣିଜ୍ୟ ଏବଂ ସଂସ୍କୃତି ପରି କ୍ଷେତ୍ରରେ ବିନିମୟ ଏବଂ ସହଯୋଗ ବୃଦ୍ଧି କରାଯିବା ଉଚିତ୍ । ଯାହା ଦ୍ବାରା ସ୍ଥିର ବିକାଶ ପଥକୁ ଫେରିବା ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରାଯାଇପାରିବ । 

ଏହାପୂର୍ବରୁ ଏନଏସଏ ଅଜିତ ଡୋଭାଲ ବୁଧବାର ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ମଧ୍ୟ ଭେଟିଛନ୍ତି। ସୀମା ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଫେରାଇ ଆଣିବା ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା ।