ନୂଆଦିଲ୍ଲୀ,୦୧/୦୩: ଏବେ ଦେଶର ନିଯୁକ୍ତି ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଶିଳ୍ପ  କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)  ଏବଂ ଅଟୋମେଶନର ବ୍ୟବହାର ଦ୍ରୁତ ଭାବେ  ବଢ଼ୁଛି । ଅନ୍ୟପଟେ ନୂଆ ଗ୍ରାଜୁଏଟ୍‌ମାନେ ନିଯୁକ୍ତି  ପାଇବାରେ ବଡ଼ ସମସ୍ୟା ଉପୁଜୁଛି । 

ମର୍ସର ଆଣ୍ଡ୍‌  ମେଟଲ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ସ୍କିଲ୍‌ ଇଣ୍ଡେକ୍ସ  ୨୦୨୫ ମୁତାବକ, ଦେଶର ମାତ୍ର ୪୨.୬%  ଗ୍ରାଜୁଏଟ ନିଯୁକ୍ତି ଲାଗି ଯୋଗ୍ୟତା ହାସଲ କରିଛନ୍ତି ।  ଏହା ୨୦୨୩ରେ ୪୪.୩% ରହିଥିବା ବେଳେ  ଏଥିରେ ହ୍ରାସ ଚିନ୍ତା ବଢ଼ାଇଛି । ଏବେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ଭଳି ସ୍କିଲ ଆବଶ୍ୟକ କରୁଛନ୍ତି ନୂଆ ଗ୍ରାଜୁଏଟଙ୍କ ନିକଟରେ  ତା’ର ଅଭାବ ରହୁଛି । ଏବେ ଏଆଇ, ଡାଟା  ଆନାଲିଟିକ୍ସ ଭଳି କ୍ଷେତ୍ରରେ ନିଯୁକ୍ତି ଚାହିଦା ରହିଛି ।  ମାତ୍ର ଯୁବବର୍ଗଙ୍କ ମଧ୍ୟରେ ଏହି ଦକ୍ଷତା ଅଭାବ  ରହୁଛି । 

ଅନ୍ୟପଟେ ଯୋଗାଯୋଗ, ପ୍ରୋବ୍ଲେମ୍‌  ସଲ୍‌ଭିଂ ଏବଂ ସୃଜନଶୀଳତା ଭଳି ଅଣଯାନ୍ତ୍ରିକ  କୌଶଳ ମଧ୍ୟ କମ୍‌ ରହୁଛି । ଫଳରେ ଚାକିରି ପାଇବାରେ ନୂଆ ଗ୍ରାଜୁଏଟ୍‌ଙ୍କୁ ବଡ଼ ସମସ୍ୟା  ଉପୁଜୁଛି । ଦେଶର ବିଭିନ୍ନ ବର୍ଗର ସହରଗୁଡ଼ିକୁ  ଦେଖିଲେ ଟିୟର-୧ ସହରର ଗ୍ରାଜୁଏଟଙ୍କ କ୍ଷେତ୍ରରେ  ନିଯୁକ୍ତି ହାର ୪୮.୪% ରହିଛି । ଯାହା ଟିୟର-୨  ସହରରେ ୪୬.୧ ଏବଂ ଟିୟର-୩ ସହରରେ  ୪୩.୪% । ରାଜ୍ୟଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀରେ  ଏହି ହାର ୫୩.୪% ଥିବା ବେଳେ ହିମାଚଳ  ପ୍ରଦେଶ ଏବଂ ପଞ୍ଜାବରେ ଏହା ୫୧.୧% ଲେଖାଏଁ  ରହିଛି । ଏହି ରାଜ୍ୟଗୁଡ଼ିକରେ ମାନଯୁକ୍ତ ଶିକ୍ଷା,  ଶିଳ୍ପ ସହଭାଗିତା ଏବଂ ଉନ୍ନତ ଆର୍ôଥକ ସ୍ଥିତି ଯୋଗୁ  ଯୁବବର୍ଗ ନିଯୁକ୍ତି ପାଇବାରେ ସହାୟକ ହେଉଛି ।

ରିପୋର୍ଟ ମୁତାବକ, ଏଆଇ ଏବଂ ମେସିନ୍‌ ଲର୍ଣ୍ଣିଂ  ଭଳି କ୍ଷେତ୍ରଗୁଡ଼ିକରେ ୨୦୨୩ ତୁଳନାରେ ନିଯୁକ୍ତି  ପାଉଥିବା ଗ୍ରାଜୁଏଟଙ୍କ ନିଯୁକ୍ତି ଆଖିଦୃଶିଆ ବଢ଼ିଛି ।  ଏସବୁ କ୍ଷେତ୍ରରେ ୪୬% ଗ୍ରାଜୁଏଟଙ୍କ ନିଯୁକ୍ତି  ହେଉଛି । ଡିଜିଟାଲ କ୍ଷେତ୍ରରେ ନିଯୁକ୍ତି ଚାହିଦା  ବଢ଼ିଥିବା ବେଳେ ଲିଙ୍ଗଗତ ବୈଷମ୍ୟତା କମାଇଛି ।