କନ୍ୟାକୁମାରୀ,୩୧।୧୨: ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ । ତାମିଲନାଡୁର କନ୍ୟାକୁମାରୀରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଗ୍ଲାସ ବ୍ରିଜକୁ କରିଛନ୍ତି ଉଦଘାଟନ। ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ। ଏବେ ସେଠାକୁ ଯିବା ପାଇଁ ଆଉ ପର୍ଯ୍ୟଟକମାନଙ୍କୁ ନେବାକୁ ପଡିବନି ଡଙ୍ଗାର ସାହାରା।

ତାମିଲନାଡୁର କନ୍ୟାକୁମାରୀରେ ଉଦଘାଟିତ ହେଲା ଦେଶର ପ୍ରଥମ କାଚ ବ୍ରିଜ୍। ତାହା ପୁଣି ତିଆରି ହୋଇଛି ସମୁଦ୍ର ଉପରେ। ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ କରାଯାଇଛି ନିର୍ମାଣ । ୭୭ ମିଟର ଲମ୍ବ ବିଶିଷ୍ଟ ଏହି ସେତୁଟି ୧୦ ମିଟର ଚଉଡାରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ନିର୍ମାଣ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି।

୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଏହି ସେତୁ ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବ। ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ ପର୍ଯ୍ୟଟକ। ତାଙ୍କୁ ଆଉ ଆଗଭଳି ନେବାକୁ ପଡିବନି ଡଙ୍ଗାର ସାହାରା।