ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ପରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଶୋଧ ସ୍ୱରୂପ, ଇରାନ ବାହାରିନ, କତାର ଏବଂ କୁୱେତ ସମେତ ଅନେକ ଦେଶକୁ ଟାର୍ଗେଟ କରିଛି। ଇରାନ ବିଶ୍ୱ ତୈଳ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ୍ ପ୍ରଣାଳୀକୁ ମଧ୍ୟ ବନ୍ଦ କରିଦେଇଛି, ଯାହା ମାଧ୍ୟମରେ ଅନେକ ଦେଶ ଉପସାଗରୀୟ ଦେଶ ଗୁଡିକରୁ ତେଲ ଆମଦାନୀ କରନ୍ତି। ଏହି ପଦକ୍ଷେପ ବିଶ୍ୱ ଶକ୍ତି ବଜାରରେ ଏବେ ଆତଙ୍କ ସୃଷ୍ଟି କରିଛି । 

ସର୍ବକାଳୀନ ଉଚ୍ଚ ସ୍ତରରେ ବୈଦେଶିକ ମୁଦ୍ରା…

ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ, ଭାରତ ପାଇଁ କିଛି ଆଶ୍ୱସ୍ତି ଆସିଛି। ଫେବୃଆରୀ ୨୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪.୮୮ ବିଲିୟନ ଡଲାର ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୭୨୮.୪୯ ବିଲିୟନ ଡଲାରରେ ପହଞ୍ଚିଛି। ଶୁକ୍ରବାର ପ୍ରକାଶିତ ତଥ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ସୂଚନା ଦେଇଛି।

ପୂର୍ବ ସପ୍ତାହରେ ଦେଶର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାର ୨.୧୧ ବିଲିୟନ ଡଲାର ହ୍ରାସ ପାଇ ୭୨୩.୬୦ ବିଲିୟନ ଡଲାରରେ ପହଞ୍ଚିଥିଲା। ପୂର୍ବରୁ, ଫେବୃଆରୀ ୧୩ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୭୨୫.୭୨ ବିଲିୟନ ଡଲାରର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଉତ୍ତେଜନା ମଧ୍ୟରେ ଆଶ୍ୱସ୍ତି…

ଆରବିଆଇ ଅନୁଯାୟୀ, ଫେବୃଆରୀ ୨୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରର ସର୍ବବୃହତ ଅଂଶ ଗଠନ କରୁଥିବା ବିଦେଶୀ ମୁଦ୍ରା ସମ୍ପତ୍ତି ୫୬୧ ନିୟୁତ ଡଲାର ବୃଦ୍ଧି ପାଇ ୫୭୩.୧୨ ବିଲିୟନ ଡଲାର ହୋଇଛି। ଡଲାର ଦୃଷ୍ଟିରୁ ପ୍ରକାଶିତ ହେଲେ, ଏହି ସମ୍ପତ୍ତି ଗୁଡ଼ିକ ୟୁରୋ, ବ୍ରିଟିଶ ପାଉଣ୍ଡ ଷ୍ଟର୍ଲିଂ ଏବଂ ଜାପାନୀ ୟେନ ଭଳି ଭଣ୍ଡାରରେ ରଖାଯାଇଥିବା ଅନ୍ୟ ପ୍ରମୁଖ ମୁଦ୍ରାର ମୂଲ୍ୟରେ ଉତଥାନ-ପତନର ପ୍ରଭାବ ମଧ୍ୟ ଅନ୍ତର୍ଭୁକ୍ତ ।

ଏହା ସହ ପଢନ୍ତୁ : ‘ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରୁ, ଏହାହିଁ ସେମାନଙ୍କ ପାଇଁ ସର୍ବୋତ୍ତମ ସ୍ବାର୍ଥ’...ପୁଣି ଧମକପୂର୍ଣ୍ଣ ବାର୍ତ୍ତା ଦେଲେ ଟ୍ରମ୍ପ…