ନୂଆଦିଲ୍ଲୀ,୨୭/୦୬: ଭାରତରେ ସ୍ଥାପତ୍ୟ କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ପରିବର୍ତ୍ତନ ହେଉଛି । ନିର୍ମାଣ କ୍ଷେତ୍ରକୁ ପରିବେଶ ଅନୁକୂଳ କରିବା ପାଇଁ ଭିନ୍ନ ଭିନ୍ନ ନିର୍ମାଣ ଉପକରଣ ଉପରେ ପରୀକ୍ଷଣ କରାଯାଉଛି । ନିକଟରେ ନୋଇଡ଼ାରେ ଆଖୁ ବର୍ଜ୍ୟରୁ ନିର୍ମିତ ନିର୍ମାଣ ଉପକରଣରେ ଏକ ସ୍କୁଲ ନିର୍ମିତ ହୋଇଛି । ଉତ୍ତରପ୍ରଦେଶର ନୋଇଡ଼ାରେ ଆଖୁ ବର୍ଜ୍ୟରୁ ନିର୍ମିତ ଏହି ସ୍କୁଲ ଦେଶରେ ସବୁଜ ସ୍ଥାପତ୍ୟ ଅଭିମୁଖେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୋଜେକ୍ଟ ୟୁନିଭର୍ସିଟି ଅଫ୍‌ ଇଷ୍ଟ୍‌ ଲଣ୍ଡନ,ଇଣ୍ଡିଆନ ମାନୁଫାକ୍‌ଚରର୍‌ କେମିକାଲ ସିଷ୍ଟମ୍ସ ଟେକ୍ନୋଲୋଜିସ୍‌ ଓ ପଞ୍ଚଶୀଳ ବାଳକ ଇଣ୍ଟର କଲେଜର ସହଯୋଗରେ ପରିଚାଳିତ ହୋଇଛି । ପଞ୍ଚଶୀଳ ବାଳକ ଇଣ୍ଟର କଲେଜରେ ଏହି ସ୍କୁଲ ନିର୍ମିତ ହୋଇଛି । ଖାସ୍‌ କଥା ହେଉଛି ଆଖୁ ଉତ୍ପାଦନ ମାମଲାରେ ବିଶ୍ୱରେ ଭାରତ ଶୀର୍ଷରେ ଅଛି । ସେହି ଦୃଷ୍ଟିରୁ ଏହା ନିର୍ମାଣ କ୍ଷେତ୍ରରେ ସହାୟକ ହୋଇପାରିବ।

୨୦୨୩ରେ ୟୁଇଏଲ୍‌ର ଅଧ୍ୟୟନକର୍ତ୍ତା ଏଲନ ଚାଣ୍ଡଲର ଓ ଆର୍ମର ଗୁଟିର୍ରେଜ ରିବାସ ଶୁଗାରକ୍ରିଟ୍‌ ବିକଶିତ କଲେ । ଆଖୁରୁ ରସ ବାହାର କରିବା ପରେ ଯେଉଁ ବର୍ଜ୍ୟ ବାହାରେ, ତାକୁ ବେଗାସ କୁହାଯାଏ। ଅଧ୍ୟୟନକର୍ତ୍ତା ଏହି ବର୍ଜ୍ୟରେ ମିନେରାଲ ବାଇଣ୍ଡର୍‌ ମିଶାଇ ପରିବେଶ-ଅନୁକୂଳ ନିର୍ମାଣ ଇଟା ପ୍ରସ୍ତୁତ କଲେ, ଯାହାକୁ ସୁଗାରକ୍ରିଟ୍‌ ନାମ ଦେଲେ । ଏହା ପାରମ୍ପରିକ ଉପାୟରେ ନିର୍ମିତ ଇଟା ତୁଳନାରେ ୬ ଗୁଣ କମ୍‌ ଅଙ୍ଗାରକାମ୍ଳ ଛାଡ଼େ । ପ୍ରଥମ ଥର ପୂରା ବଖରା ନିର୍ମାଣରେ ସୁଗାରକ୍ରିଟ୍‌ର ଉପଯୋଗ ହୋଇଛି । କଂକ୍ରିଟ୍ ଆଧାରରେ ନିର୍ମିତ ଏହି ଶ୍ରେଣୀଗୃହର କାନ୍ଥ ନିର୍ମାଣରେ ସୁଗାରକ୍ରିଟ୍‌ ଇଟାକୁ ଯୋଡ଼ି ଏବଂ ସିମେଣ୍ଟ୍‌ ବଦଳରେ ଚୂନ ବ୍ୟବହାର କରାଯାଇଛି । ଛାତ ନିର୍ମାଣ ପାଇଁ ଷ୍ଟିଲ୍‌ ଫ୍ରେମ୍‌ର ଉପଯୋଗ ହୋଇଛି । ଛାତରେ ଏକ କ୍ଲେରେଷ୍ଟୋରୀ ଓ ଝରକା ଅଛି, ଯାହା ମାଧ୍ୟମରେ ପ୍ରାକୃତିକ ବାୟୁ ଚଳାଚଳ ହେଉଛି । ବର୍ଷାଦିନେ ବିଦ୍ୟାର୍ଥୀଙ୍କୁ ସୁରକ୍ଷିତ ରଖିବାକୁ ଏକ ବାରଣ୍ଡା ମଧ୍ୟ ଅଛି । ସୁଗାରକ୍ରିଟ୍‌ର ପ୍ରୟୋଗ କେବଳ ଗୋଟିଏ ସ୍କୁଲରେ ସୀମିତ ହୋଇନାହିଁ । ଏହି ଟିମ୍‌ ଏବେ ଏନ୍‌ଜିଓ ପ୍ରଯତ୍ନ ଫାଉଣ୍ଡେସନ୍‌ ସହଯୋଗରେ ହରିୟାଣାର ହିସାରରେ ଏକ ସୁଗାରକ୍ରିଟ୍‌ ଆଧାରିତ ସୁବିଧା କେନ୍ଦ୍ର ନିର୍ମାଣ କରୁଛି । ପ୍ରାୟ ୧୫୦ ଗରିବ ପିଲାଙ୍କୁ ଏହା ସୁବିଧା ପ୍ରଦାନ କରିବ । ୟୁଇଏଲ୍‌ର ବିଦ୍ୟାର୍ଥୀ ଓ କର୍ମଚାରୀମାନେ ସ୍ଥାନୀୟ ପଲିଟେକ୍ନିକ୍‌ ଛାତ୍ର ଓ ଅଧ୍ୟୟନକର୍ତ୍ତାଙ୍କ ସହ ହିସାରରେ କର୍ମଶାଳାର ଆୟୋଜନ ମଧ୍ୟ କରିଥିଲେ । ଘର ଭିତର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଦେଶୀ ତନ୍ତୁ ଓ ପ୍ରାକୃତିକ ରଙ୍ଗର ଉପଯୋଗ କିଭଳି କରାଯିବ, କର୍ମଶାଳାରେ ତାହା ବର୍ଣ୍ଣନା କରାଯାଇଥିଲା । ଭାରତରେ ସୁଗାରକ୍ରିଟ୍‌ ଉପଯୋଗକୁ ବ୍ୟାପକ କରିବା ପାଇଁ ସିସିଏସ୍‌ ହରିୟାଣା କୃଷି ବିଶ୍ୱବିଦ୍ୟାଳୟ ସଂସ୍ଥାପକ ସୁନୀଲ ଶିଂଗଲ ଓ ୟୁଇଏଲ୍‌ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି ।