ଅସ୍ତମିତ ହେବାକୁ ଯାଉଛି ବର୍ଷ ୨୦୨୪ । ଅସ୍ଥିରତା ଏବଂ ଅନିଶ୍ଚିତତା ଭରା ଥିଲା ବିଦାୟୀ ବର୍ଷ । ବଜାରରେ ଦେଖାଦେଇଥିଲା ଉତ୍ଥାନ ପତନ । ଭୂରାଜନୈତିକ ସମସ୍ୟା ନୀତି ନିର୍ଦ୍ଧାରଣକାରୀଙ୍କ ନିଦ ହଜାଇ ଦେଇଥିଲା । ଏହାସତ୍ତ୍ଵେ ବିଶ୍ୱ ବଜାରରେ ଉଜ୍ଜ୍ୱଳ ତାରକା ଭାବେ ଉଭା ହୋଇଛି ଭାରତ । ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ରହିଛି କାଏମ୍ । ଅନେକ କ୍ଷେତ୍ରରୁ ସଫଳତା ସାଉଁଟିଛି ଭାରତ । ସୁନା ଏବଂ ରୁପା ଭଳି ଆସେଟ୍ରୁ ନିବେଶକ ଅର୍ଜନ କରିଛନ୍ତି ତଗଡ଼ା ଲାଭ । ଦୌଡ଼ିଛି ଶିଳ୍ପ ଗାଡ଼ି । ସଫଳତାର ଅନେକ ଫର୍ଦ୍ଦ ଯୋଡ଼ିଛି ଦେଶ । ଅର୍ଥ ବ୍ୟବସ୍ଥାରେ ଦେଖାଦେଇଛି ବୈପ୍ଳବିକ ପରିବର୍ତ୍ତନ । ଏ ପରିବର୍ତ୍ତନ ଆଗକୁ ବି ଦେଖିବାକୁ ମିଳିବ ବୋଲି ଆଶା । ୨୦୨୫ ଭାରତ ତଥା ବିଶ୍ୱ ଅର୍ଥନୀତି ପାଇଁ ଆଣିବ ନୂଆ ଆଲୋକ, ତାହାକୁ ନେଇ ସମସ୍ତେ ଆଶାବାଦୀ । ଏହା ମଧ୍ୟରେ ବିଦାୟୀ ବର୍ଷରେ ଭାରତୀୟ ଅର୍ଥନୀତିର କିଛି ସଫଳତାର ଫର୍ଦ୍ଦକୁ ନେଇ ଏହି ଉପସ୍ଥାପନା...
ପ୍ରସ୍ତୁତି: ସୁଶ୍ରୀ ଦାସ, ସତ୍ୟାନନ୍ଦ ନାୟକ
ଅଳଙ୍କରଣ: ଅମିତ ବଳିଆରସିଂହ
ସୁନା, ସେୟାର ବଜାର, ବିଟ୍କଏନ୍...
ଇତିହାସ ପାଲଟିବାକୁ ଯାଉଛି ବର୍ଷ ୨୦୨୪ । ପ୍ରଥମ ଥର ସୁନା ଏବଂ ସେୟାର ବଜାର ୩୦% ରୁ ଅଧିକ ବାର୍ଷିକ ରିଟର୍ଣ୍ଣ ଦେବାକୁ ଯାଉଛି । ବିଦାୟୀ ବର୍ଷରେ ୮୦,୦୦୦ ଟଙ୍କା ପାର୍ କରିଛି ସୁନା । ରୁପା ଛୁଇଁଛି ଲକ୍ଷେ । ବିଟ୍କଏନ୍ ଦର ବି ଏ ବର୍ଷ ଦୁଇଗୁଣା ବଢ଼ିଛି । ଲକ୍ଷେ ଡଲାର ଛୁଇଁଛି ଏହି କ୍ରିପ୍ଟୋକରେନ୍ସି । ମଜଭୂତ ହୋଇଛି ଡଲାର ସୂଚକାଙ୍କ । କୁହାଯାଏ ସେୟାର ବଜାରରେ ହ୍ରାସ ଘଟିଲେ ସୁନା ଚମକିଥାଏ । ଏହିଭଳି ଭାବେ ସୁନା ଏବଂ ଡଲାରକୁ ବି ପରସ୍ପରର ବିରୋଧୀ ଭାବେ ଗଣାଯାଏ । କିନ୍ତୁ ଏଥର ଏ ଅବଧାରଣା ଭୁଲ୍ ପ୍ରମାଣିତ ହୋଇଛି । କାରଣ ସମସ୍ତ ଆସେଟ୍ କ୍ଲାସ୍ ତଗଡ଼ା ରିଟର୍ଣ୍ଣ ଦେଇଛନ୍ତି ।
୮୫ ହଜାର ପାର୍ ସେୟାର ବଜାର
ଏ ବର୍ଷ ଭାରତୀୟ ପୁଞ୍ଜି ବଜାର ଭଲ ରିଟର୍ଣ୍ଣ ଦେଇଛି । ଅସ୍ଥିରତା ମଧ୍ୟରେ ବି ନୂଆ ରେକର୍ଡ ଛୁଇଁଛି । ୨୦୨୪ ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସୂଚକାଙ୍କ ସେନ୍ସେକ୍ସ ୯୮୯୩ ପଏଣ୍ଟ ବା ୧୩.୬୯% ବଢ଼ିଛି । ୨୦୨୪ ସେପ୍ଟେମ୍ବରରେ ଏହା ସର୍ବକାଳୀନ ରେକର୍ଡ ସ୍ତର ୮୫୯୭୮.୨୫ ପଏଣ୍ଟରେ ପହଞ୍ଚିଥିଲା । ବଜାରରୁ ନିବେଶକ ମୋଟା ଆୟ କରିଛନ୍ତି । ଆମେରିକାର ଏସ୍ ଆଣ୍ଡ୍ ପି ୫୦୦ ସୂଚକାଙ୍କ ଇତିହାସ ରଚିବାକୁ ଯାଉଛି । ଗତ ୧୫ ବର୍ଷରେ ୧୪ ଥର ଏହା ଗ୍ଲୋବାଲ ଷ୍ଟକ୍ଗୁଡ଼ିକଠାରୁ ଅଧିକ ଭଲ ରିଟର୍ଣ୍ଣ ଦେବାକୁ ଯାଉଛି । ଆମେରିକାର ଅନ୍ୟୁନ ୭୫ ବର୍ଷର ଇତିହାସରେ ଏହା ସବୁଠାରୁ ଲମ୍ବା ସଫଳତା ।
ଡଲାର ସବଳ
ସାଧାରଣତଃ ଯେତେବେଳେ ସୁନା ମଜଭୂତ ହୋଇଥାଏ, ଡଲାର ଦର ଖସିଥାଏ । ତେଣୁ ଡଲାର ମଜଭୂତ ହେବା ଦ୍ୱାରା ଲୋକଙ୍କ ପାଇଁ ସୁନା କିଣିବା ବ୍ୟୟବହୁଳ ହୋଇଥାଏ । କିନ୍ତୁ ଏଥର ଏ ଧାରଣା ଭୁଲ ପ୍ରମାଣିତ ହୋଇଛି । ସୁନା ସହିତ ଡଲାରର ବିନିମୟ ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଆମେରିକାରେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି ଯେ, ଯଦି ବ୍ରିକ୍ସ ଦେଶଗୁଡ଼ିକ ନିଜ ନିଜ କରେନ୍ସିରେ କାରବାର କରନ୍ତି ତେବେ ସେମାନଙ୍କ ଉପରେ ଆମେରିକା ଉଚ୍ଚ ଟାରିଫ୍ ଲଗାଇବ । ଫଳରେ ଆଗକୁ ମଧ୍ୟ ଡଲାର ଦର ବଢ଼ିବା ନେଇ ସମ୍ଭାବନା ତେଜିଛି ।
ବିଟ୍କଏନ୍ ଲକ୍ଷେ ଡଲାର ପାର
ବିଟ୍କଏନ୍ ଏବଂ ସୁନା ବି ଆଉ ପରସ୍ପରର ଶତୃ ହୋଇ ରହିନାହାନ୍ତି । ଏ ବର୍ଷ ଉଭୟ ରେକର୍ଡ କରିଛନ୍ତି । ବିଟ୍କଏନ୍ ଦର ପ୍ରଥମ ଥର ଲକ୍ଷେ ଡଲାର ପାର୍ କରିଛି । ଏ ବର୍ଷ ବିଟ୍କଏନ୍ର ମାର୍କେଟ୍ କ୍ୟାପ୍ ବି ୨ ଟ୍ରିଲିୟନ ଡଲାର ନିକଟତର ହୋଇଛି । ଡିସେମ୍ବର ୬ରେ ଏହି କ୍ରିପ୍ଟୋକରେନ୍ସିର ଦର ୭%ରୁ ଅଧିକ ବୃଦ୍ଧି ପାଇ ରେକର୍ଡ ଉଚ୍ଚ ସ୍ତର ୧୦୨,୫୮୫ ଡଲାର ବା ୮୬.୯୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ଜିତିବା ପରେ ବିଟ୍କଏନ୍ ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି । ଗତ ବର୍ଷକରେ ବିଟ୍କଏନ୍ ଦର ୧୧୮% ବୃଦ୍ଧି ପାଇଛି । ବର୍ଷେ ତଳେ ଅର୍ଥାତ୍ ୨୦୨୩ ଡିସେମ୍ବର ୬ରେ ଏହା ୪୩,୪୯୪ ଡଲାର ବା ଭାରତୀୟ ମୁଦ୍ରାରେ ୩୬.୮୫ ଲକ୍ଷ ଟଙ୍କା ଥିଲ ।
ସୁନା ୮୦,୦୦୦ ଡେଇଁଲା
ସୁନା ବି ଇତିହାସ ରଚିବାକୁ ଯାଉଛି । ଏ ବର୍ଷ ସୁନା ଦରରେ ୨୯% ବୃଦ୍ଧି ଘଟିଛି । ସୁନାକୁ ସାଧାରଣତଃ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣାଯାଇଥାଏ । ଏ ବର୍ଷ ରିସ୍କଯୁକ୍ତ ଆସେଟ୍ ସହିତ ସୁନାର ଦର ବି ବଢ଼ିଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ନିଜର ସୁନା ଭଣ୍ଡାର ବଢ଼ାଉଛନ୍ତି । ଏହାସହିତ ବିବାହ ଋତୁ ଚାହିଦା ମଧ୍ୟରେ ଏ ବର୍ଷ ୧୦ ଗ୍ରାମ ପିଛା ସୁନା ଦର ୮୦,୦୦୦ ଟଙ୍କା ପାର୍ କରିଥିଲା । ନୂଆ ବର୍ଷରେ ଏହା ନୂଆ ରେକର୍ଡ ଆଡ଼କୁ ବଢ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।
୧ ଟ୍ରିଲିୟନ ଡଲାର ଏଫ୍ଡିଆଇ
ବିଦେଶୀ ନିବେଶ ଟାଣିବାରେ ଭାରତ ଐତିହାସିକ ସଫଳତା ହାସଲ କରିଛି । ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଦେଶକୁ ଏଫ୍ଡିଆଇ ପ୍ରବାହରେ ୨୬% ବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ ଭାରତକୁ ଆସିଛି ମୋଟ ୪୨୧୦ କୋଟି ଡଲାରର ବିଦେଶୀ ପୁଞ୍ଜି । ତେବେ ୨୦୦୦ ମସିହା ଏପ୍ରିଲରୁ ବର୍ତ୍ତମାନ ମଧ୍ୟରେ ଦେଶ ଟାଣିଛି ୧ ଟ୍ରିଲିୟନ ଡଲାର ବା ୧ ଲକ୍ଷ କୋଟି ଡଲାରର ଏଫ୍ଡିଆଇ । ଏଫ୍ଡିଆଇ ପ୍ରବାହରେ ସବୁଠାରୁ ବଡ଼ ଯୋଗଦାନ ଦେଇଛି ମରିସସ୍ । ଦେଶକୁ ଆସିଥିବା ମୋଟ ବିଦେଶୀ ପୁଞ୍ଜି ମଧ୍ୟରୁ ଏହାର ଭାଗ ରହିଛି ୨୫% । ଏହା ପଛକୁ ରହିଛି ସିଙ୍ଗାପୁର । ସିଙ୍ଗାପୁରର ଯୋଗଦାନ ରହିଛି ୨୪% । ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ଯୋଗଦାନ ୧୦% ଥିବାବେଳେ ନେଦର୍ଲାଣ୍ଡ୍ର ୭%, ଜାପାନର ୬% ଏବଂ ବ୍ରିଟେନ୍ର ୫% ଯୋଗଦାନ ରହିଛି । ୟୁଏଇ, କେମ୍ୟାନ୍ ଆଇଲାଣ୍ଡ, ଜର୍ମାନି ଏବଂ ସାଇପ୍ରସ ପ୍ରତ୍ୟକ ୨ରୁ ୩% ଯୋଗଦାନ ରଖିଥିବା ଜଣାପଡ଼ିଛି ।
ଖସିଲା ବ୍ୟାଙ୍କ ଏନ୍ପିଏ
ବର୍ଷ ୨୦୨୪ରେ ବ୍ୟାଙ୍କିଙ୍ଗ୍ ଶିଳ୍ପରେ ଦେଖାଦେଇଛି ବଡ଼ ସୁଧାର । ସରକାରଙ୍କ ଦ୍ୱାରା କରାଯାଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଉନ୍ନତି ଘଟିଛି । ଗତ ୬ ବଷରୁ ଅଧିକ ସମୟ ମଧ୍ୟରେ ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କଗୁଡ଼ିକର ମୋଟ ଏନ୍ପିଏରେ ୮.୫% ରୁ ଊଦ୍ଧ୍ୱର୍ ହ୍ରାସ ଘଟିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଦେଶର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ପରିସମ୍ପତ୍ତି(ଏନ୍ପିଏ) ୨୦୨୪ ଜୁନ୍ ସୁଦ୍ଧା ହ୍ରାସ ପାଇ ୨.୬୭% ରହିଛି, ଯାହାକି ୨୦୧୮ ମାର୍ଚ୍ଚ ସୁଦ୍ଧା ୧୧.୧୮% ଥିଲା । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆସେଟ୍ କ୍ୱାଲିଟିରେ ବଡ଼ ସୁଧାର ଆସିଛି ଏବଂ ଏହି କାରଣରୁ ପ୍ରୋଭିଜନାଲ କଭରେଜ୍ ରେସିଓ(ପିସିଆର୍) ୨୦୨୪ ଜୁନ୍ ସୁଦ୍ଧା ସୁଧାର ଘଟି ୯୨.୫୨% ହୋଇଛି, ଯାହାକି ୨୦୧୫ ମାର୍ଚ୍ଚରେ ୪୯.୫୧% ଥିଲା ।
ଓଡ଼ିଶା ଫେରିଲା ପୋସ୍କୋ
ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ଦକ୍ଷିଣ କୋରିଆଭିତ୍ତିକ କମ୍ପାନି ପୋସ୍କୋ ପୁନଃ ଓଡ଼ିଶା ଫେରୁଛି । ଓଡ଼ିଶାର ଜଗତ୍ସିଂହପୁର ଜିଲ୍ଲାରେ ଏକ ପ୍ରକଳ୍ପ ସ୍ଥାପନ କରିବା ପାଇଁ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲା ପୋସ୍କୋ । କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ହେତୁ ଏହା ୨୦୧୭ରେ ଓଡ଼ିଶା ପ୍ରକଳ୍ପରୁ ଓହରିଯାଇଥିଲା । ସେତେବେଳେ ଏହା ଭାରତର ସର୍ବୋଚ୍ଚ ବିଦେଶୀ ନିବେଶ ଥିଲା । ଏବେ କେନ୍ଦୁଝର ଜିଲ୍ଲାରେ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଇସ୍ପାତ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ସହ ସାଥି ହୋଇଛି ପୋସ୍କୋ । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା ସ୍ପଷ୍ଟ କରିଛନ୍ତି । ଉଭୟ କମ୍ପାନି ଏଥିପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ମେଟ୍ରିକ୍ଟନ ରହିବ ବୋଲି ଘୋଷଣା କରାଯାଇଛି । ପ୍ରସ୍ତାବିତ ପ୍ଲାଣ୍ଟରେ ପର୍ଯ୍ୟାୟ କ୍ରମେ ୬୫୦୦୦ କୋଟି ଟଙ୍କା(୭୭୩ କୋଟି ଡଲାର) ନିବେଶ କରିବାକୁ ଉଭୟ କମ୍ପାନି ଯୋଜନା ରଖିଥିବା ଜଣାପଡ଼ିଛି ।
ଫେରିଲା ସୁନା
ଦେଶକୁ ଫେରିଛି ଦେଶର ସୁନା । ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ବର୍ଷରେ ୨୧୪ ଟନ୍ ସୁନା ବିଦେଶରୁ ଫେରାଇ ଆଣଛି । ଏ ବର୍ଷ ଧନ୍ତେରସ୍ରେ ଏହା ୧୦୪ ଟନ୍ ସୁନା ଦେଶକୁ ଆଣିଛି । ୨୦୨୨-୨୩ ଆର୍ଥିକବର୍ଷରେ ଆର୍ବିଆଇ ଦେଶକୁ ମାତ୍ର ୫.୩ ଟନ୍ ସୁନା ଫେରାଇ ଆଣିଥିଲା । ଫଳରେ ଘରୋଇ ଭଣ୍ଡାର ୩୦୧.୧ ଟନ୍ରେ ପହଞ୍ଚିଥିଲା । ୨୦୨୩- ୨୪ରେ ଏହା ୧୦୬.୮ ଟନ୍ ସୁନା ଫେରାଇ ଆଣିବା ଫଳରେ ସୁନା ଭଣ୍ଡାର ୪୦୮.୩ ଟନ୍ରେ ପହଞ୍ଚିଥିଲା । ଚଳିତ ଆର୍ଥିକବର୍ଷର ପ୍ରଥମ ୬ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ଆଉ ୧୦୨.୨ ଟନ୍ ସୁନା ବିଦେଶରୁ ଆଣିଥିଲା, ଯାହାଫଳରେ ମୋଟ ଭଣ୍ଡାର ୫୧୦.୫ ଟନ୍ ଛୁଇଁଛି । ପ୍ରକାଶଯୋଗ୍ୟ, ୧୯୯୧ ମୁଦ୍ରା ସଂକଟ ବେଳେ ଭାରତ ନିଜ ସୁନାକୁ ବ୍ରିଟେନ୍ର ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ୍, ସୁଇଜର୍ଲାଣ୍ଡ୍ର ବ୍ୟାଙ୍କ୍ ଅଫ୍ ଇଣ୍ଟର୍ନ୍ୟାସ୍ନାଲ ସେଟେଲ୍ମେଣ୍ଟ ଓ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ୍ରେ ବନ୍ଧକ ରଖି ଏହା ବଦଳରେ ବିଦେଶୀ ମୁଦ୍ରା ସଂଗ୍ରହ କରିଥିଲା । ବର୍ତ୍ତମାନ ନିୟମିତ ବ୍ୟବଧାନରେ ଏହାକୁ ମୁକୁଳାଉଛନ୍ତି ଭାରତ ସରକାର ।
ରେକର୍ଡ ୟୁପିଆଇ କାରବାର
ଦେଶରେ ୟୁପିଆଇର ଆଦୃତି ବଢ଼ିଚାଲିଛି । ଚଳିତବର୍ଷ ଏଥିରେ ରେକର୍ଡ ଦେଖିବାକୁ ମିଳିଛି । ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ଦେଶରେ ମୋଟ ୧୫,୫୪୭ କୋଟି ସଂଖ୍ୟକ ୟୁପିଆଇ ଟ୍ରଞ୍ଜାକ୍ସନ ହୋଇଛି । ଏହା ମାଧ୍ୟମରେ ମୋଟ ୨୨୩ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ଅର୍ଥ ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ୟୁପିଆଇ ଏକ ବିଶ୍ୱସ୍ତରୀୟ ବିପ୍ଳବ ଆଣିଛି । ଏହା କେବଳ ଅନ୍ତର୍ଜାତୀୟ ବଜାରରେ ସମ୍ପ୍ରସାରଣ ହୋଇନାହିଁ, ଏହାସହିତ ଭାରତକୁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ୱ ଲିଡରରେ ପରିଣତ କରିଛି । ସମ୍ପ୍ରତି ଫ୍ରାନ୍ସ, ଶ୍ରୀଲଙ୍କା, ୟୁଏଇ, ମରିସସ୍, ସିଙ୍ଗାପୁର, ନେପାଳ ଏବଂ ଭୂଟାନ୍ରେ ୟୁପିଆଇ ଉପଲବ୍ଧ ରହିଛି । ଏନ୍ପିସିଆଇ ଦ୍ୱାରା ୨୦୧୬ରେ ୟୁପିଆଇକୁ ଅଣାଯାଇଥିଲା । ସେବେଠାରୁ ବର୍ତ୍ତମାନ ମଧ୍ୟରେ ଏହା ଭାରତର ପେମେଣ୍ଟ ସିଷ୍ଟମ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଗୋଟିଏ ଏକକ ଆପ୍ଲିକେଶନ୍ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ସମନ୍ୱିତ କରି ଏହା ପେମେଣ୍ଟ ବ୍ୟବସ୍ଥାକୁ ସହଜ କରିଛି ।
ମସ୍କ୍ଙ୍କ ସମ୍ପତ୍ତି ୪୦୦ ବିଲିୟନ ଡଲାର ପାର୍
ସ୍ପେସ୍ଏକ୍ସର ପ୍ରତିଷ୍ଠାତା ତଥା ଟେସ୍ଲା ସିଇଓ ଏଲନ୍ ମସ୍କ୍ଙ୍କ ନେଟ୍ ସମ୍ପତ୍ତି ଏ ବର୍ଷ ୪୦୦ ବିଲିୟନ ଡଲାର ବା ୪୦୦୦୦ କୋଟି ଡଲାରରେ ପହଞ୍ଚିଛି । ଏହି ମାନ୍ୟତା ପାଇବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି । ସ୍ପେସ୍ଏକ୍ସରେ ନିକଟରେ ହୋଇଥିବା ଇଣ୍ଟର୍ନାଲ୍ ସେୟାର୍ ସେଲ୍ ଏବଂ ଟେସ୍ଲାର ସେୟାର୍ରେ ବୃଦ୍ଧି ଯୋଗୁ ମସ୍କ୍ଙ୍କ ନେଟ୍ ସମ୍ପତ୍ତି ବଡ଼ ଆକାରରେ ବଢ଼ିଛି । ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ତାଙ୍କର ବଡ଼ ସମର୍ଥକ ଏଲନ୍ ମସ୍କଙ୍କ ନେଟ୍ ସମ୍ପତ୍ତିରେ ବୃହତ୍ ବୃଦ୍ଧି ଘଟିଛି । ବ୍ଲୁମ୍ବର୍ଗ ଅରବପତି ସୂଚକାଙ୍କ ଅନୁସାରେ, ନିର୍ବାଚନ ଫଳାଫଳର ତୁରନ୍ତ ବାଦ ମସ୍କ୍ଙ୍କ ନେଟ୍ ସମ୍ପତ୍ତି ୨୬୫୦ କୋଟି ଡଲାର ବଢ଼ି ୨୯୦୦୦ କୋଟି ଡଲାରରେ ପହଞ୍ଚିଯାଇଥିଲା । ଟ୍ରମ୍ପଙ୍କ ନିର୍ବାଚନ କ୍ୟାମ୍ପେନ୍ରେ ମସ୍କ ୧୧୯୦୦ କୋଟି ଡଲାର(ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିଥିଲେ ଏବଂ ନିଜ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ତାଙ୍କ ସମର୍ଥନରେ କ୍ୟାମ୍ପେନ୍ ଚଳାଇଥିଲେ ।
ଖସିଲା ବ୍ୟାଙ୍କ ଏନ୍ପିଏ
ବର୍ଷ ୨୦୨୪ରେ ବ୍ୟାଙ୍କିଙ୍ଗ୍ ଶିଳ୍ପରେ ଦେଖାଦେଇଛି ବଡ଼ ସୁଧାର । ସରକାରଙ୍କ ଦ୍ୱାରା କରାଯାଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଉନ୍ନତି ଘଟିଛି । ଗତ ୬ ବଷରୁ ଅଧିକ ସମୟ ମଧ୍ୟରେ ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କଗୁଡ଼ିକର ମୋଟ ଏନ୍ପିଏରେ ୮.୫% ରୁ ଊଦ୍ଧ୍ୱର୍ ହ୍ରାସ ଘଟିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଦେଶର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ପରିସମ୍ପତ୍ତି(ଏନ୍ପିଏ) ୨୦୨୪ ଜୁନ୍ ସୁଦ୍ଧା ହ୍ରାସ ପାଇ ୨.୬୭% ରହିଛି, ଯାହାକି ୨୦୧୮ ମାର୍ଚ୍ଚ ସୁଦ୍ଧା ୧୧.୧୮% ଥିଲା । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆସେଟ୍ କ୍ୱାଲିଟିରେ ବଡ଼ ସୁଧାର ଆସିଛି ଏବଂ ଏହି କାରଣରୁ ପ୍ରୋଭିଜନାଲ କଭରେଜ୍ ରେସିଓ(ପିସିଆର୍) ୨୦୨୪ ଜୁନ୍ ସୁଦ୍ଧା ସୁଧାର ଘଟି ୯୨.୫୨% ହୋଇଛି, ଯାହାକି ୨୦୧୫ ମାର୍ଚ୍ଚରେ ୪୯.୫୧% ଥିଲା ।
ଜିଏସ୍ଟି ଆଦାୟରେ ରେକର୍ଡ
ଚଳିତବର୍ଷ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ଆଦାୟରେ ରେକର୍ଡ ଦେଖିବାକୁ ମିଳିଛି । ବର୍ଷ ତମାମ ଏହି ପ୍ରତ୍ୟକ୍ଷ ଟିକସ ଆଦାୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି । ଚଳିତବର୍ଷ ଏପ୍ରିଲରେ ୨.୧୦ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ ହୋଇଥିଲା । ଏହା ଏକ ରେକର୍ଡ ରହିଥିଲା ।
ଆର୍ବିଆଇକୁ ମିଳିଲା ନୂଆ ମଙ୍ଗୁଆଳ
୬ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମଙ୍ଗ ସମ୍ଭାଳିଥିବା ଶକ୍ତିକାନ୍ତ ଦାସଙ୍କ ଅବଧି ଏଥର ବଢ଼ିଲାନି । ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି ନୂତନ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା । ସେ ହୋଇଛନ୍ତି ଆର୍ବିଆଇର ୨୬ତମ ଗଭର୍ଣ୍ଣର । ଶକ୍ତିକାନ୍ତଙ୍କର କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୧୦ରେ ସମାପ୍ତ ହୋଇଛି । ଡିସେମ୍ବର ୧୧ରେ ମଲ୍ହୋତ୍ରା ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି । ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା ଏଭଳି ସମୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି, ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ଆହ୍ୱାନମୂଳକ ପରିସ୍ଥିତିର ସାମ୍ନା କରୁଛି । ଆର୍ବିଆଇ ଆଗରେ ସୁଧ ହାର ହ୍ରାସ ନେଇ ଚାପ ରହିଛି । କାରଣ ଚଳିତ ଆର୍ଥିକବର୍ଷ ଜୁଲାଇ-ସେପ୍ଟେମ୍ବର ଅବଧିରେ ଦେଶର ବିକାଶ ହାର ୭ଟି ତ୍ରୟମାସର ସର୍ବନିମ୍ନ ସ୍ତର ୫.୪%କୁ ଖସିଆସିଛି । ଅନ୍ୟପକ୍ଷରେ, ଦରଦାମ୍ ବୃଦ୍ଧି ଚାପ ଜାରି ରହିଛି । ଶକ୍ତିକାନ୍ତଙ୍କ ଅବଧିରେ ମୁଦ୍ରାସ୍ଫୀତି ରିସ୍କ୍ ଦର୍ଶାଇ ଆର୍ବିଆଇ ପ୍ରାୟ ଦୁଇ ବର୍ଷ ହେବ ପ୍ରମୁଖ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି । ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର୍ ଆଇଏଏସ୍ ଅଧିକାରୀ ସଞ୍ଜୟ ମଲ୍ହୋତ୍ରାଙ୍କ ନିକଟରେ ଆଇଆଇଟି, କାନ୍ପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ଏବଂ ପିନ୍ସଟନ ୟୁନିଭର୍ସିଟି, ଆମେରିକାରୁ ପବ୍ଲିକ୍ ପଲିସିରେ ମାଷ୍ଟର ଡିଗ୍ରୀ ରହିଛି । ମଲ୍ହୋତ୍ରା ଶକ୍ତି, ଅର୍ଥ ଏବଂ ଟିକସ ବ୍ୟବସ୍ଥା, ସୂଚନା ପ୍ରଯୁକ୍ତି ଏବଂ ଖଣି ସହିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ତାଙ୍କ ପାଖରେ ୩୩ ବର୍ଷରୁ ଊଦ୍ଧ୍ୱର୍ ଅଭିଜ୍ଞତା ଅଛି । ତାଙ୍କ ଅଭିଜ୍ଞତା ଭାରତୀୟ ବ୍ୟାଙ୍କିଙ୍ଗ୍ ଶିଳ୍ପରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା ।
ଭାରତ ତୃତୀୟ ବୃହତ୍ ଅରବପତି ହବ୍
ଏ ବର୍ଷ ଭାରତ ପାଲଟିଛି ତୃତୀୟ ବୃହତ୍ ଅରବପତି ହବ୍ । ଭାରତୀୟ ଅରବପତିଙ୍କ ସମ୍ପତ୍ତି ୧୦ ବର୍ଷରେ ପ୍ରାୟ ୩ ଗୁଣା ବୃଦ୍ଧି ପାଇଛି । ଗତ ଆର୍ଥିକବର୍ଷରେ ଭାରତୀୟ ଧନକୁବେରଙ୍କ ମିଳିତ ସମ୍ପତ୍ତି ୪୨% ବୃଦ୍ଧି ଘଟି ୯୦୫୦୦ କୋଟି ଡଲାର ବା ୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗତ ୧୦ ବର୍ଷରେ ଭାରତୀୟ ଅରବପତିଙ୍କ ସଂଖ୍ୟା ଦୁଇ ଗୁଣାରୁ ଅଧିକ ବଢ଼ି ୧୮୫ରେ ପହଞ୍ଚିଛି, ଯାହାକି ୧୦ ବର୍ଷ ତଳେ ୮୩ ଥିଲା । ଏଥିସହିତ ଆମେରିକା ଏବଂ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ ବିଲିୟନେୟାର ହବ୍ ପାଲଟିଛି । ପରିବାରଚାଳିତ ବ୍ୟବସାୟ ଏବଂ ଏକ ସକରାତ୍ମକ ଅର୍ଥନୈତିକ ବାତାବରଣ ସହିତ ଭାରତୀୟ ଧନକୁବେରଙ୍କ ସମ୍ପତ୍ତି ବଡ଼ ଆକାରରେ ବୃଦ୍ଧି ପାଇଛି । ଭାରତୀୟ ଧନୀଙ୍କ ସମ୍ପତ୍ତି ବୃଦ୍ଧି ପାଉଥିବାବେଳେ ଚୀନ୍ ଅରବପତିଙ୍କ ସମ୍ପତ୍ତି ହ୍ରାସ ପାଇଛି । ବିଶ୍ୱସ୍ତରରେ ବିଲିୟନେୟାରମାନଙ୍କ ସମ୍ପତ୍ତି ହ୍ରାସ ପାଇଥିବାବେଳେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ପରବର୍ତ୍ତୀ ଦଶନ୍ଧିରେ ଭାରତରେ ଅରବପତିଙ୍କ ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିପାରେ ବୋଲି ଅନୁମାନ ରହିଛି ।
ଚମକିଲା ଭାରତ
୨ ୦ ୨ ୩ - ୨ ୪ ଆର୍ଥିକବର୍ଷରେ ୮.୨% ବଢ଼ିଛି ଭାରତୀୟ ଅର୍ଥନୀତି । ଭୁରାଜନୈତିକ ସମସ୍ୟା ଏବଂ ମାଇକ୍ରୋ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ବି ବିଶ୍ୱ ଆଗରେ ଚମକୁଛି ଭାରତ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଏହା ମାର୍ଗ ଦେଖାଉଛି । ଭାରତୀୟ ଅର୍ଥନୀତି ରହିଛି ସ୍ଥିର । ଏହାର ମୂଳଦୁଆ ମଜଭୂତ । ବିକଶିତ ଏବଂ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଗ୍ରୋଥ୍ ଲିଡର ଭାବେ ମାନ୍ୟତା ବଜାୟ ରଖିଛି । ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହା ନିଜର ପରିଚୟକୁ କାଏମ୍ ରଖିଛି ।