ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭାରତ ନିର୍ମାଣ କରୁଛି ବଙ୍କର ବଷ୍ଟର ମିସାଇଲ ପ୍ରୋଜେକ୍ଟ; ଆମେରିକା-ଇରାନ ଆକ୍ରମଣ ପରେ ସରକାରଙ୍କ ନୂଆ ପଦକ୍ଷେପ

Published By : Bijay Swain | June 30, 2025 5:19 PM

ନୂଆଦିଲ୍ଲୀ: ଆମେରିକା ଇରାନର ପରମାଣୁ ପ୍ରତିଷ୍ଟାନ ଉପରେ କରିଥିବା ବଙ୍କର ବଷ୍ଟର ବୋମା ଆକ୍ରମଣ ପରେ ଭାରତ ନିଜର ପ୍ରତିରକ୍ଷା ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ବଙ୍କର ବଷ୍ଟର ମିସାଇଲ ପ୍ରୋଜେକ୍ଟକୁ ତ୍ୱରାନ୍ୱିତ କରିଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ଅଗ୍ନି-V ମିସାଇଲର ଏକ ନୂଆ ପାରମ୍ପରିକ (ଅଣ-ପରମାଣୁ) ଭାରିଆଣ୍ଟ ବିକଶିତ କରୁଛି। ଯାହା ଗଭୀର ଭୂତଳୀୟ ଓ ସୁରକ୍ଷିତ ସ୍ଥାନକୁ ନଷ୍ଟ କରିବାରେ ସକ୍ଷମ।

ଆପଣଙ୍କୁ ଜଣାଇରଖୁ ଯେ, ଗତ ଜୁନ ୨୨ ତାରିଖରେ ଆମେରିକା ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ସ୍ଥାନ ଉପରେ B-2 ଷ୍ଟେଲଥ ବମ୍ବର ଦ୍ୱାରା ୩୦,୦୦୦ ପାଉଣ୍ଡ ଓଜନର GBU-57 ମାସିଭ ଅର୍ଡନାନ୍ସ ପେନେଟ୍ରେଟର (MOP) ବୋମା ପକାଇ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଅପରେସନ ମିଡନାଇଟ ହାମର ନାମରେ ପରିଚିତ। ଯେଉଁଥିରେ ୧୨୫ରୁ ଅଧିକ ଆମେରିକୀୟ ବିମାନ ସାମିଲ ଥିଲେ। ଏହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନଷ୍ଟ କରିବା ପାଇଁ ଏକ ବଡ଼ ପଦକ୍ଷେପ ଥିଲା।

ଏହି ଆନ୍ତର୍ଜାତୀୟ ଘଟଣା ପରେ ଭାରତ ନିଜର ସାମରିକ ଶକ୍ତିକୁ ଆହୁରି ଉନ୍ନତ କରିବା ପାଇଁ ଅଗ୍ନି-V ମିସାଇଲର ଏକ ବଙ୍କର ବଷ୍ଟର ଭାରିଆଣ୍ଟ ଉପରେ କାମ କରିବା ଆରମ୍ଭ କରିଛି। ଏହି ମିସାଇଲ ଗଭୀର ଭୂତଳୀୟ ସ୍ଥାନ ଓ ସୁରକ୍ଷିତ ବଙ୍କରକୁ ଲକ୍ଷ୍ୟ କରି ନିର୍ମିତ କରାଯାଉଛି। ଯାହା ଆମେରିକାର GBU-57 ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଅନୁମାନ କରାଯାଉଛି। DRDO ଏହି ପ୍ରୋଜେକ୍ଟରେ ନିରନ୍ତର କାମ ଜାରି ରଖିଛି। ଯାହା ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ନୂଆ ସ୍ତରକୁ ନେଇଯିବ ବୋଲି ବିଶେଷଜ୍ଞମାନେ ମତ୍ତପ୍ରକାଶ କରିଛନ୍ତି।

ଯଦିଓ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ GBU-57 ପରି ବୋମା ନିର୍ମାଣ କରିନାହିଁ, ତଥାପି ଏହା ଇସ୍ରାଏଲରୁ ହାସଲ କରିଥିବା SPICE-2000 ମ୍ୟୁନିସନ ଓ ରାଫେଲ ଜେଟରେ ବ୍ୟବହୃତ HAMMER ମିସାଇଲ ପରି ବଙ୍କର ବଷ୍ଟର ଅସ୍ତ୍ର ପାଇଁ ଜଣାଶୁଣା। ଏହି ଅସ୍ତ୍ରଗୁଡ଼ିକ ଭାରତ ୨୦୧୯ ବାଲାକୋଟ ଆକ୍ରମଣ ସହ ଚଳିତ ବର୍ଷର ଅପରେସନ ସିନ୍ଦୁରରେ ବ୍ୟବହୃତ କରିଥିଲା।

ଆମେରିକା-ଇରାନ ଆକ୍ରମଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ମସୌଦ ପେଜେସ୍କିଆନଙ୍କ ସହ ଫୋନରେ କଥାବାର୍ତ୍ତା କରି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ କୂଟନୀତି ଓ ସଂଳାପ ପାଇଁ ଆହ୍ୱାନ ଦେଇଥିଲେ। ଭାରତ ଇରାନ ସହ ଐତିହାସିକ ସମ୍ପର୍କ ଓ ଇସ୍ରାଏଲ ସହ ପ୍ରତିରକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରରେ ମଜବୁତ ସହଯୋଗ ଜାରି ରଖିଛି। ଯାହା ଭାରତକୁ ମଧ୍ୟପ୍ରାଚ୍ୟରେ ଏକ ସନ୍ତୁଳିତ ଭୂମିକା ଗ୍ରହଣ କରିବାରେ ସକ୍ଷମ କରିଛି।

ଆମେରିକା-ଇରାନ ସଂଘର୍ଷ ଭାରତକୁ ନିଜର ସାମରିକ କ୍ଷମତାକୁ ଆହୁରି ଉନ୍ନତ କରିବା ପାଇଁ ପ୍ରେରଣା ଦେଇଛି। DRDO ର ଅଗ୍ନି-V ବଙ୍କର ବଷ୍ଟର ମିସାଇଲ ପ୍ରୋଜେକ୍ଟ ଭାରତର ଜାତୀୟ ସୁରକ୍ଷାକୁ ଆହୁରି ମଜବୁତ କରିବ ଓ ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ଏହାର ସାମରିକ ଶକ୍ତିକୁ ବୃଦ୍ଧି କରିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.