ନୂଆଦିଲ୍ଲୀ,୧୬/୦୫: ଇରାନ-ଆମେରିକା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଜାରି ଅଶାନ୍ତି ଏବଂ ଅଶୋଧିତ ତୈଳର ବର୍ଦ୍ଧିତ ଦର ମଧ୍ୟରେ ଭାରତର ବାଣିଜ୍ୟ ନିଅଣ୍ଟ ଏପ୍ରିଲରେ ବଢ଼ି ୨୮.୩୮ ବିଲିୟନ ଡଲାର ବା ପାଖାପାଖି ୨୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ବଜାର ଅନୁମାନଠାରୁ ଏହା ଅଧିକ । ମାର୍ଚ୍ଚର ୨୦.୬୭ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ତୁଳନାରେ ଏହା ଅନେକ ମାତ୍ରାରେ ଅଧିକ । ଅର୍ଥନୀତିଜ୍ଞମାନେ ଏପ୍ରିଲରେ ବାଣିଜ୍ୟ ନିଅଣ୍ଟ ୨୬.୫ ବିଲିୟନ ରହିବ ବୋଲି ଅନୁମାନ କରିଥିଲେ । ତେବେ ଆମଦାନି ବୃଦ୍ଧି ଯୋଗୁ ଏହା ଆଶାଠାରୁ ଅଧିକ ରହିଛି ।

ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲରେ ଭାରତର ମାଲ ରପ୍ତାନି ବୃଦ୍ଧି ପାଇ ୪୩.୫୬ ବିଲିୟନ ଡଲାର ହୋଇଯାଇଛି, ଯାହା ମାର୍ଚ୍ଚରେ ୩୮.୯୨ ବିଲିୟନ ଡଲାର ଥିଲା । ସେହିଭଳି ଆମଦାନି ୫୯.୫୯ ବିଲିୟନ ଡଲାରରୁ ବଢ଼ି ୭୧.୯୪ ବିଲିୟନ ଡଲାରରେ ପହଞ୍ଚିଯାଇଛି । ସେବା କ୍ଷେତ୍ର କିଛିଟା ଆଶ୍ୱସ୍ତି ଦେଇଛି । ଏପ୍ରିଲରେ ସେବା ରପ୍ତାନି ୩୭.୨୪ ବିଲିୟନ ଡଲାର ଏବଂ ଆମଦାନି ୧୬.୬୬ ବିଲିୟନ ରହିବାର ଅନୁମାନ ଅଛି । ଏହାଫଳରେ ମୋଟ ସାମଗ୍ରୀ ଏବଂ ସେବା ରପ୍ତାନି ୮୦.୮୦ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଏପ୍ରିଲରେ ମଧ୍ୟପ୍ରାଚ୍ୟରୁ ଭାରତକୁ ଆମଦାନି ବାର୍ଷିକ ଆଧାରରେ ୩୧.୬୪ଧ ଖସି ୧୦.୪୭ ବିଲିୟନ ଡଲାର ରହିଛି, ଯାହା ବର୍ଷେ ତଳେ ୧୫.୩୨ ବିଲିୟନ ଡଲାର ଥିଲା । ଏହାର କାରଣ ହେଉଛି ଭୁ-ରାଜନୈତିକ ଅସ୍ଥିରତା ଏବଂ ପ୍ରମୁଖ ସମୁଦ୍ର ମାର୍ଗରେ ପରିବହନ ଅବରୋଧ । ଭାରତ ଏହାର ଆବଶ୍ୟକତାର ୮୦ଧରୁ ଅଧିକ ଅଶୋଧିତ ତୈଳ ଏବଂ ପ୍ରାୟ ୬୦ଧ ରନ୍ଧନ ଗ୍ୟାସ ଆମଦାନି କରିଥାଏ ।

ଆହୁରି ପଢନ୍ତୁ-War Effect : ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୮.୩୦%, ଜରୁରି ସାମଗ୍ରୀ, ଗ୍ୟାସ, ବିଜୁଳି ସବୁ ମହଙ୍ଗା, ଯୁଦ୍ଧ ଲମ୍ଵିଲେ ସାଙ୍ଘାତିକ...

ଏଥିମଧ୍ୟରୁ ମଧ୍ୟପ୍ରାଚ୍ୟର ଯୋଗଦାନ ବୃହତ୍ । ଲମ୍ବା ସମୟ ଧରି ଚାଲିଥିବା ଇରାନ ଯୁଦ୍ଧ ଏବଂ ହୋର୍ମୁଜ ଜଳମାର୍ଗରେ ବାଧିତ ପରିବହନ ଯୋଗୁ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କରିଯାଇଛି । ଏବେ ଏହା ୧୦୮ ଡଲାର ଉପରେ ରହିଛି । ଉର୍ଜା ଝଟ୍କା କାରଣରୁ ଭାରତୀୟ ଟଙ୍କା ଏ ବର୍ଷ ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । ଶୁକ୍ରବାର ଡଲାର ତୁଳନାରେ ଭାରତୀୟ ଟଙ୍କା ୯୬ ସ୍ତର ପାର କରିଯାଇଛି । ଫଳରେ ଆଗକୁ ଆମଦାନି ବିଲ୍ ବଢ଼ିବା ଆଶଙ୍କା ରହିଛି । ସରକାରୀ ତଥ୍ୟ ଅନୁସାରେ ଭାରତର ସର୍ବବୃହତ୍ ରପ୍ତାନି ସହଯୋଗୀ ରହିଛି ଆମେରିକା । ସେହିଭଳି ଆମଦାନିର ବଡ଼ ଉତ୍ସ ରହିଛି ଚୀନ ।