ନୂଆଦିଲ୍ଲୀ : ସିନ୍ଧୁ ଜଳଚୁକ୍ତିକୁ ନେଇ ଭାରତକୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଯୁଦ୍ଧ ଧମକ ବୟାନ ଉପରେ କଡା ଆଭିମୁଖ୍ୟ ରଖିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ପାକିସ୍ତାନ ନିଜର ବିଫଳତାକୁ ଲୁଚାଇବା ଏବଂ ମାନବାଧିକାର ଉଲ୍ଲଂଘନରୁ ଧ୍ୟାନ ହଟାଇବା ପାଇଁ ଏପରି ବୟାନ ଦେଉଛି। ସେ କହିଛନ୍ତି ଯେ ଭାରତ ଏହି ମନଗଢ଼ା ଦାବି ଗୁଡ଼ିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛି। ସେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଚାଲିଥିବା ପ୍ରତିବାଦ ଏବଂ ପାକିସ୍ତାନ ସରକାରଙ୍କ ଭୁଲ ନୀତି ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଭାରତ ପାକିସ୍ତାନ ସରକାରଙ୍କ ବର୍ବରତାର ପର୍ଦ୍ଦାଫାସ କରିଛି…
ରଣଧୀର ଜୟସୱାଲ କହିଛନ୍ତି, "ପାକିସ୍ତାନ ଅଧିକୃତ ଅଞ୍ଚଳରେ ପ୍ରତିବାଦ ଦଶନ୍ଧି ଧରି ଚାଲିଥିବା ସରକାରୀ ନୀତିର ପରିଣାମ। ଏହି ନୀତି ଗୁଡ଼ିକରେ ଆର୍ଥିକ ଶୋଷଣ, ମୌଳିକ ଅଧିକାରର ଉଲ୍ଲଂଘନ ଏବଂ ପ୍ରଶାସନ ଦ୍ୱାରା ନାଗରିକଙ୍କ ଉପରେ ଦମନ ଅନ୍ତର୍ଭୁକ୍ତ। ଜବାବରେ, ପାକିସ୍ତାନ ସରକାର ପୋଲିସ ବର୍ବରତା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଣକୁ ଅବରୋଧ କରିବା, ଇଣ୍ଟରନେଟ୍ ବନ୍ଦ କରିବା ଏବଂ ନିରସ୍ତ୍ର ନାଗରିକଙ୍କ ଉପରେ ମାରାତ୍ମକ ଆକ୍ରମଣ କରିବା"ଜାରି ରଖିଛି ।
ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଖୱାଜା ଆସିଫଙ୍କ ଧମକ…
ଭାରତ ଶୁକ୍ରବାର ଦିନ ସିନ୍ଧୁ ଜଳ ଚୁକ୍ତିନାମା (IWT) ଉପରେ ତାର ମତକୁ ପୁନର୍ବାର ଦୋହରାଇ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ସମ୍ପୂର୍ଣ୍ଣ ଏବଂ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି ଚୁକ୍ତିନାମା ସ୍ଥଗିତ ରହିବ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ପାକିସ୍ତାନ ଯଦି ଅନୁଭବ କରେ ଯେ ଏହାର ଜଳ ସୁରକ୍ଷା ବିପଦରେ ଅଛି ତେବେ ଭାରତ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବ ନାହିଁ।
ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, "ପାକିସ୍ତାନର ଜାତୀୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଜଳ। ଯଦି ଭାରତ ସିନ୍ଧୁ ନଦୀର ପ୍ରବାହକୁ ଅବରୋଧ କରିବାକୁ ଚେଷ୍ଟା କରେ, ତେବେ ଏହାକୁ ଏକ ଗମ୍ଭୀର ବିପଦ ଭାବରେ ଦେଖାଯିବ। ଆମେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସଂକୋଚ କରିବୁ ନାହିଁ।"
ଭାରତ ମଧ୍ୟସ୍ଥତା କୋର୍ଟକୁ ଅବୈଧ ଘୋଷଣା କରିଛି…
ଗତ ମାସରେ, ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଗଠିତ ତଥାକଥିତ ମଧ୍ୟସ୍ଥତା କୋର୍ଟର ନିଷ୍ପତ୍ତିକୁ ଅବୈଧ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲା। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ୧୫ ମଇ, ୨୦୨୬ ରେ, ଏକ ବେଆଇନ ଭାବରେ ଗଠିତ ତଥାକଥିତ ମଧ୍ୟସ୍ଥତା କୋର୍ଟ ସିନ୍ଧୁ ଜଳ ଚୁକ୍ତିନାମାର ବ୍ୟାଖ୍ୟା ଏବଂ ସର୍ବାଧିକ ଜଳ ସଂରକ୍ଷଣ କ୍ଷମତା ସମ୍ପର୍କରେ ଏକ ଆୱାର୍ଡ ଜାରି କରିଥିଲା, ଯାହାକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରେ ।
ଏହା ସହ ପଢନ୍ତୁ : ପୁଣି ଧରାପଡିଲା ପାକିସ୍ତାନର ଆଉ ଏକ ମିଛ, ସୁରକ୍ଷିତ ଅଛି ଭାରତର ସମସ୍ତ ୩୬ ରାଫେଲ ଯୁଦ୍ଧ ବିମାନ, ଅପରେସନ ସିନ୍ଦୁରରେ ହୋଇନି କ୍ଷତି…