ନୂଆଦିଲ୍ଲୀ, ୦୬/୦୧ : ହିମାଳୟ ପାର୍ବତ୍ୟାଞ୍ଚଳରେ ଜଳବାୟୁ ପରିବର୍ତ୍ତନର ଦ୍ରୁତ ପ୍ରଭାବ । ଏହାର ପ୍ରଶମନ ଓ ପ୍ରତିକାର ପାଇଁ ପାଣ୍ଠିର ଘୋର ଅଭାବ । ଏହି ସମସ୍ୟାର ମୁକାବିଲା କରିବା ପାଇଁ ଭାରତକୁ ବର୍ଷକୁ ୧୦୨ ଅରବ ଡଲାର ଅବଶ୍ୟକ ରହିଛି । ଏନେଇ ଏହାର ବଡ଼ ଖୁଲାସା କରିଛି ଇଣ୍ଟନ୍ୟାସନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ ଡେଭଲପମେଣ୍ଟ।
ICIMOD ହିନ୍ଦୁ କୁଶ ହିମାଳୟ କ୍ଷେତ୍ରର ସଂରକ୍ଷଣ ଉପରେ କାମ କରୁଛି। ଏହି ଅଞ୍ଚଳରେ ଏଠାରେ ବିଶ୍ୱର ପ୍ରାୟ ୫୦% ଜନସଂଖ୍ୟା ବାସ କରନ୍ତି। ହିନ୍ଦୁକୁଶ-ହିମାଳୟ ଅଞ୍ଚଳରେ ଏବେ ଦ୍ରୁତ ଗତିରେ ଜଳବାୟୁ ପରିବର୍ତ୍ତନ ଘଟୁଛି । ଏଠାରେ ମୁଖ୍ୟତଃ ବରଫ ତରଳିବା ସହିତ ଜୈବ ବିବିଧତା ନଷ୍ଟ ହେଉଛି । ଯାହା ଦ୍ବାରା ୮ ଦେଶର କୋଟି କୋଟି ଲୋକ ବିପଦ ମୁହଁକୁ ଠେଲି ହେଇଯାଉଛନ୍ତି । ଭାରତ, ଚୀନ, ଆଫଗାନିସ୍ତାନ, ପାକିସ୍ତାନ, ନେପାଳ, ବାଂଲାଦେଶ, ମିଆଁମାର ଏବଂ ଭୁଟାନ ଭଳି ଦେଶର ଲୋକେ ଏଥିରେ ପ୍ରଭାବିତ ହେଉଛନ୍ତି ।
ହିନ୍ଦୁକୁଶ ହିମାଳୟ ପାର୍ବତ୍ୟାଞ୍ଚଳ ପରିବେଶଗତ ସନ୍ତୁଳନ, ଆର୍ଥିକ ଜୀବନଶକ୍ତି ଏବଂ ସାମାଜିକ ଗଠନ ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହା କୋଟି କୋଟି ଲୋକଙ୍କୁ ମିଠା ପାଣି ଯୋଗାଉଛି। ଏହି ଅଞ୍ଚଳ ସମୃଦ୍ଧ ଜୈବ ବିବିଧତାର ଭଣ୍ଡାର। ଏହାର ପାଦଦେଶରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଜୀବିକା ଏହାର ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରେ। ଏହି ଅଞ୍ଚଳ ନଷ୍ଟ ହୋଇଗଲେ ଜୈବ ବିବିଧତା ଉପରେ ଗୁରୁତର ପ୍ରଭାବ ପଡ଼ିବ। ଭବିଷ୍ୟତରେ ବନ୍ୟା, ଭୂସ୍ଖଳନ, ଜଳସଙ୍କଟ ଭଳି ସମସ୍ୟା ସୃଷ୍ଟି ହେବ। ତେଣୁ ଏହାର ସଂରକ୍ଷଣ ଜରୁରୀ।
ଜଳବାୟୁ ପରିବର୍ତ୍ତନ ପ୍ରଶମନ ଏବଂ ପ୍ରତିକାର ପାଇଁ ଆବଶ୍ୟକ ପାଣ୍ଠି ବିଷୟରେ ICIMOD ରିପୋର୍ଟରେ ଦର୍ଶାଯାଇଛି। ଭାରତ ଏବଂ ଚୀନ ମିଶି ଏହି ଆବଶ୍ୟକତାର ୯୨ ପ୍ରତିଶତ ପୂରଣ କରୁଛନ୍ତି। ହେଲେ ଅନ୍ୟ ଦେଶ ଯଥା- ନେପାଳ, ଭୁଟାନ, ବାଂଲାଦେଶ, ଆଫଗାନିସ୍ତାନ, ମିଆଁମାର ଏବଂ ପାକିସ୍ତାନ ଜିଡିପି ତୁଳନାରେ ଗୁରୁତର ଆର୍ଥିକ ବ୍ୟବଧାନର ସମ୍ମୁଖୀନ ହେଉଛନ୍ତି। ଭାରତ ତୁଳନାରେ ଚୀନକୁ ପ୍ରତି ବର୍ଷ ପ୍ରାୟ ୬୦୫ ଅରବ ଆମେରିକୀୟ ଡଲାରର ଆବଶ୍ୟକତା ରହିଛି। ସେହିପରି ପାକିସ୍ତାନକୁ ପ୍ରାୟ ୪୦.୧୨ ଅରବ ଡଲାରର ଆବଶ୍ୟକତା ରହିଛି। ଏହାପରେ ବାଂଲାଦେଶ ଏବଂ ନେପାଳକୁ ୮.୯୫ ଅରବ ଡଲାର ଲେଖାଏଁ ଆବଶ୍ୟକତା ରହିଛି।