ନୂଆଦିଲ୍ଲୀ, ୨୩।୬: ହୋର୍ମୁଜ୍ ପ୍ରଣାଳୀ ପୁଣିଥରେ ସ୍ୱାଭାବିକ ଭାବେ ଖୋଲିବାକୁ ଯାଉଥିବା ବେଳେ ଏବେ ଭାରତର ବାସୁମତୀ ଚାଉଳ ବ୍ୟବସାୟୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଆଶଙ୍କା କରାଯାଉଛି ଯେ, ଏହି ସାମୁଦ୍ରିକ ମାର୍ଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପାକିସ୍ତାନ ଭାରତର ବାସୁମତୀ ବଜାରକୁ ବଡ଼ କ୍ଷତି ପହଞ୍ଚାଇପାରେ । ବିଶେଷ କରି ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକରେ ବଜାର ଅକ୍ତିଆର କରିବା ପାଇଁ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।
ମଧ୍ୟ-ପ୍ରାଚ୍ୟରେ ଭାରତ-ପାକିସ୍ତାନ ‘ଚାଉଳ ଯୁଦ୍ଧ’:
ସୂଚନାଯୋଗ୍ୟ ଯେ, ଭାରତ ପାଇଁ ବାସୁମତୀ ଚାଉଳର ସବୁଠାରୁ ବଡ଼ ବଜାର ହେଉଛି ସାଉଦି ଆରବ, ଇରାନ ଏବଂ ଇରାକ । ଅପରପକ୍ଷରେ, ପାକିସ୍ତାନ ପାଇଁ ୟୁଏଇ, ସାଉଦି ଆରବ ଏବଂ ଇରାନ ପ୍ରମୁଖ ତିନୋଟି ବଡ଼ ବଜାର ସାଜିଛି । ୟୁଏଇର ସୁପରମାର୍କେଟ୍ ଗୁଡ଼ିକରେ ପାକିସ୍ତାନର 'କାୟନାତ 1121' ଚାଉଳ ପ୍ୟାକେଟ୍ ସହ ଭାରତର ପ୍ରସିଦ୍ଧ 'ଦାୱତ' ଏବଂ 'ଇଣ୍ଡିଆ ଗେଟ୍' ବ୍ରାଣ୍ଡ୍ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି । ପାକିସ୍ତାନ ବିକ୍ରି କରୁଥିବା 'କାୟନାତ' ଚାଉଳ ପ୍ରକୃତରେ ଭାରତୀୟ କୃଷି ବୈଜ୍ଞାନିକ ବିଜୟ ପାଲ୍ ସିଂହଙ୍କ ଦ୍ୱାରା ବିକଶିତ କରାଯାଇଥିବା '1121 ବାସୁମତୀ' କିସମର ଏକ ନକଲ । ଏହି କିସମ ପ୍ରସ୍ତୁତ କରିବାକୁ ଭାରତକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା, ଯାହାଦ୍ୱାରା ଭାରତ ବାର୍ଷିକ ପ୍ରାୟ ୨୫,୦୦୦ କୋଟି ଟଙ୍କା ରୋଜଗାର କରିଥାଏ ।
ଏହା ବି ପଢ଼ନ୍ତୁ... Oracle Layoffs: ଓରାକେଲ୍ରୁ ୨୧,୦୦୦ କର୍ମଚାରୀ ଛଟେଇ ! ମଣିଷର ଚାକିରି ଛଡ଼ାଇ ନେଲା କି AI ?
ପାକିସ୍ତାନର ‘ଡ୍ୟୁଟି ଡ୍ର-ବ୍ୟାକ୍ ସ୍କିମ୍’ ସାଜିବ କି ସଙ୍କଟ ?
ଚଳିତ ଜୁନ୍ ମାସରେ ମାସ ମାସର ବ୍ୟାଘାତ ପରେ ହୋର୍ମୁଜ୍ ପ୍ରଣାଳୀ ଦେଇ ସିପିଂ ସେବା ସ୍ୱାଭାବିକ ହେଉଛି । ଏହି ସମୟରେ ପାକିସ୍ତାନର ନୂଆ ରପ୍ତାନି ନୀତି ଭାରତୀୟ ବ୍ୟବସାୟୀଙ୍କ ନିଦ ହଜାଇ ଦେଇଛି । ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ଚାଉଳ ରପ୍ତାନି ପାଇଁ 'ଲୋକାଲ୍ ଟ୍ୟାକ୍ସ ଆଣ୍ଡ ଲେଭି ପ୍ରଦାନ' (DLTL) ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅନୁଯାୟୀ, ୭୫୦ ଡଲାର ପ୍ରତି ଟନ୍ରୁ ଅଧିକ ମୂଲ୍ୟର ବାସୁମତୀ ରପ୍ତାନି କଲେ ପାକିସ୍ତାନୀ ରପ୍ତାନିକାରୀଙ୍କୁ ୯ ପ୍ରତିଶତ ପର୍ଯ୍ୟନ୍ତ ଡ୍ୟୁଟି ଡ୍ର-ବ୍ୟାକ୍ ମିଳୁଛି ।
ଏହି ସରକାରୀ ସହାୟତା କାରଣରୁ ପାକିସ୍ତାନୀ ବ୍ୟବସାୟୀମାନେ ବିଶ୍ୱ ବଜାରରେ ବହୁତ କମ୍ ଦାମ୍ରେ ବାସୁମତୀ ଚାଉଳ ବିକ୍ରି କରିବାକୁ ସକ୍ଷମ ହେବେ । 'ଦ ହିନ୍ଦୁ ବିଜନେସଲାଇନ୍'ର ରିପୋର୍ଟ ଅନୁସାରେ, ପାକିସ୍ତାନର ଏହି କମ୍ ମୂଲ୍ୟର ରପ୍ତାନି ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ବେଞ୍ଚମାର୍କ ସାଜିପାରେ, ଯାହାଫଳରେ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଅଧିକ ମୂଲ୍ୟ ଦାବି କରିବା କଷ୍ଟକର ହୋଇପଡ଼ିବ ।
ବିଶ୍ୱ ବଜାରରେ ଭାରତର ଦବ୍ଦବା:
ଯଦିଓ ସମଗ୍ର ବିଶ୍ୱର ବାସୁମତୀ ରପ୍ତାନି ବଜାରର ୭୦ ରୁ ୮୦ ପ୍ରତିଶତ ଅଂଶ ଭାରତ ହାତରେ ରହିଛି, ତଥାପି ପାକିସ୍ତାନ ହେଉଛି ଏହି ସୁଗନ୍ଧିତ ଚାଉଳର ଦ୍ୱିତୀୟ ବଡ଼ ରପ୍ତାନିକାରୀ । ପାକିସ୍ତାନ ରାଇସ୍ ଏକ୍ସପୋର୍ଟର୍ସ ଆସୋସିଏସନ ଅନୁଯାୟୀ, ସେମାନଙ୍କର ନୂଆ ଯୋଜନା ଆନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ବଢ଼ାଇବ । ତେବେ ହୋର୍ମୁଜ୍ ଜଳପଥ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପରେ ପାକିସ୍ତାନ ନିଜର ଶସ୍ତା ଚାଉଳ ସାହାଯ୍ୟରେ ମଧ୍ୟ-ପ୍ରାଚ୍ୟରେ ଭାରତର ମାର୍କେଟ୍ ଶେୟାର୍କୁ କବଜା କରିବାକୁ ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି, ତାହା ଭାରତୀୟ କୃଷି ବାଣିଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି ।