ନୂଆଦିଲ୍ଲୀ, ୨୩।୬: ବିଶ୍ୱର ପ୍ରତିଷ୍ଠିତ ଆମେରିକୀୟ ଆଇଟି କମ୍ପାନୀ 'ଓରାକଲ୍' ରୁ ଆସିଛି ଏକ ବଡ଼ ଖବର । କମ୍ପାନୀ ନିଜର ବାର୍ଷିକ ଆର୍ଥିକ ରିପୋର୍ଟରେ ପ୍ରକାଶ କରିଛି ଯେ, ବର୍ଷକ ମଧ୍ୟରେ କମ୍ପାନୀର କର୍ମଚାରୀ ସଂଖ୍ୟାରେ ପ୍ରାୟ ୨୧,୦୦୦ ରୁ ଅଧିକ ହ୍ରାସ ଘଟିଛି । ପୂର୍ବରୁ କରାଯାଇଥିବା ଆକଳନ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ, ଯାହା ଏବେ ସାରା ବିଶ୍ୱର ଆଇଟି ସେକ୍ଟରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କାର୍ଯ୍ୟକ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଏବଂ ଖର୍ଚ୍ଚ କାଟ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ବର୍ଷକରେ ୨୧,୦୦୦ କର୍ମଚାରୀ ଆଉଟ୍:

ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୩୧ ମେ' ସୁଦ୍ଧା ଓରାକେଲ୍‌ରେ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇ ପ୍ରାୟ ୧,୪୧,୦୦୦ ରେ ପହଞ୍ଚିଛି  ଯଦିଓ ଗତବର୍ଷ ଏହି ସଂଖ୍ୟା ପ୍ରାୟ ୧,୬୨,୦୦୦ ଥିଲା । ଅର୍ଥାତ୍ ମାତ୍ର ବର୍ଷକ ଭିତରେ କମ୍ପାନୀ ୨୧,୦୦୦ କର୍ମଚାରୀଙ୍କୁ ବିଦା କରିଛି । ଟେକ୍ନୋଲୋଜି ଦୁନିଆରେ ନିଜକୁ ଆଗରେ ରଖିବା ସହ କମ୍ ଖର୍ଚ୍ଚରେ ଅଧିକ କାମ ହାସଲ କରିବା ପାଇଁ କମ୍ପାନୀ ଅଟୋମେସନ୍ ଏବଂ ଏଆଇର ସାହାରା ନେଉଛି ।

କାହିଁକି ଏଭଳି ନିଷ୍ପତ୍ତି ନେଲା ଓରାକେଲ୍ ?

ଓରାକେଲ୍‌ର ଏହି ବଡ଼ ଛଟେଇ ପଛରେ କେତେକ ମୁଖ୍ୟ କାରଣ ରହିଛି:

ଏଆଇରେ ବଡ଼ ନିବେଶ ଓ ଆର୍ଥିକ ଚାପ: ଓରାକଲ୍ ବର୍ତ୍ତମାନ OpenAI ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ପାଇଁ ଏଆଇ ଏବଂ ଡାଟା ସେଣ୍ଟର ଭିତ୍ତିଭୂମି ପ୍ରସ୍ତୁତ କରୁଛି । ଏହି ବଡ଼ ପ୍ରୋଜେକ୍ଟଗୁଡ଼ିକରେ କମ୍ପାନୀକୁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବାକୁ ପଡ଼ୁଛି, ଯାହାଫଳରେ ଆର୍ଥିକ ଚାପ ବଢ଼ିଛି ।

ମେସିନ ସମ୍ଭାଳୁଛି ମଣିଷର କାମ: କମ୍ପାନୀ କହିଛି ଯେ ଏଆଇ ଟେକ୍ନୋଲୋଜି ଆସିବା ପରେ ଅନେକ ପାରମ୍ପରିକ କାମ ଏବେ ସଫ୍ଟୱେର୍ ଏବଂ ମେସିନ୍ ସାହାଯ୍ୟରେ ସହଜରେ ହୋଇପାରୁଛି । ଫଳରେ ସେହିସବୁ ବିଭାଗରେ କର୍ମଚାରୀଙ୍କ ଆବଶ୍ୟକତା କମିଯାଇଛି ।

ପୁନର୍ଗଠନ ପାଇଁ ୧.୮ ବିଲିୟନ ଡଲାର ଖର୍ଚ୍ଚ: କର୍ମଚାରୀ ଛଟେଇ ଏବଂ ସାଙ୍ଗଠନିକ ପରିବର୍ତ୍ତନ ପ୍ରକ୍ରିୟା ପାଇଁ କମ୍ପାନୀକୁ ପ୍ରାୟ ୧.୮ ଅରବ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି ।

ଏହା ବି ପଢ଼ନ୍ତୁ... Trump Threats Iran: ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଚେତାବନୀ; କହିଲେ 'ଡିଲ୍ ଫେଲ୍ ହେଲେ ମୁଁ...'

ଗ୍ଲୋବାଲ୍ ସ୍ତରରେ ପଡ଼ିଛି ପ୍ରଭାବ:

ଓରାକେଲ୍ ଏକ ଗ୍ଲୋବାଲ୍ କମ୍ପାନୀ ହୋଇଥିବାରୁ ଏହାର ପ୍ରଭାବ କେବଳ ଆମେରିକା ନୁହେଁ, ବରଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା କାର୍ଯ୍ୟାଳୟ ଉପରେ ପଡ଼ିଛି । ବର୍ତ୍ତମାନ କମ୍ପାନୀର ପ୍ରାୟ ୪୯,୦୦୦ କର୍ମଚାରୀ ଆମେରିକାରେ ଏବଂ ୯୨,୦୦୦ କର୍ମଚାରୀ ଅନ୍ୟାନ୍ୟ ଦେଶରେ କାର୍ଯ୍ୟ କରୁଛନ୍ତି ।

Cerner ଡିଲ୍‌ର ପ୍ରଭାବ: ବର୍ଷ ୨୦୨୨ରେ ଓରାକେଲ୍ ପ୍ରାୟ ୨୮ ବିଲିୟନ ଡଲାର ବିନିମୟରେ ହେଲଥ୍‌କେୟାର ଟେକ୍ କମ୍ପାନୀ 'Cerner' କୁ କିଣିଥିଲା । ଏହି ଚୁକ୍ତି ପରେ ହଜାର ହଜାର ନୂଆ କର୍ମଚାରୀ ସାମିଲ ହୋଇଥିଲେ । କିନ୍ତୁ, ଏବେ ପୁନର୍ଗଠନ ପ୍ରକ୍ରିୟା ଯୋଗୁଁ କର୍ମଚାରୀଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ମଧ୍ୟ ଯଥେଷ୍ଟ କମିଯାଇଛି ।

ଆଗକୁ ମଧ୍ୟ ବିପଦରେ ଚାକିରି !

ଆଇଟି ବିଶେଷଜ୍ଞଙ୍କ ଅନୁଯାୟୀ, ଓରାକଲ୍‌ର ଏହି ଛଟେଇ କେବଳ ଗୋଟିଏ କମ୍ପାନୀର ସମସ୍ୟା ନୁହେଁ । ଏହା ସମଗ୍ର ଟେକ୍ ଇଣ୍ଡଷ୍ଟ୍ରିରେ ଆସୁଥିବା ଏକ ବଡ଼ ପରିବର୍ତ୍ତନର ସଙ୍କେତ । ଗୁଗଲ୍, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ସମାନ ପନ୍ଥା ଆପଣାଉଛନ୍ତି । ଓରାକେଲ୍ ନିଜେ ସ୍ୱୀକାର କରିଛି ଯେ ଆଗାମୀ ଦିନରେ ଏଆଇ କାରଣରୁ କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ ପାଇପାରେ । ବିଶେଷ କରି ଯେଉଁ କାମଗୁଡ଼ିକ ବାରମ୍ବାର କରିବାକୁ ପଡ଼ିଥାଏ, ସେହି କ୍ଷେତ୍ରରେ ଚାକିରି ସଙ୍କଟ ଆହୁରି ଗଭୀର ହେବାର ଆଶଙ୍କା ରହିଛି ।