ନୂଆଦିଲ୍ଲୀ,୦୪/୧୧: ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ସ୍ଥାନ  ହାସଲ କରିଥିଲା । ଦେଶ ଅଭିବୃଦ୍ଧି ଧାରା ଜାରି ରଖିଛି। ଏହା ସହ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଲଟିଛି ଘରୋଇ ବଜାର । ଚଳିତ  ଆର୍ଥିକ ବର୍ଷରେ ଭାରତ ଜାପାନକୁ ଟପି ବିଶ୍ୱର  ୪ର୍ଥ ଅର୍ଥନୀତି ପାଲଟିବ । ଏହି ସମୟରେ  ଭାରତୀୟ ଜିଡିପି ଆକାର ୪୩୪୦ ବିଲିୟନ  ଡଲାର ଛୁଇଁବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  (ଆଇଏମ୍‌ଏଫ୍‌) ପକ୍ଷରୁ ଆକଳନ କରାଯାଇଛି । 

ତେବେ ଚଳିତ ଆର୍ଥିକ ବର୍ଷ ଆମେରିକା  ଅର୍ଥନୀତି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ମାନ୍ୟତା  ହାସଲ କରିବାର ଢ଼େର ସମ୍ଭାବନା ରହିଛି ।  ଏବେ ଜିଡିପି ଦୃଷ୍ଟିକୋଣରୁ ଆମେରିକା ପ୍ରଥମ  ସ୍ଥାନରେ ରହିଛି । ୨୦୨୪-୨୫ରେ ଏହି ଦେଶର  ଜିଡିପି ୨୯,୮୪୦ ବିଲିୟନ ଡଲାର ଛୁଇଁବ  ବୋଲି ଆକଳନ କରିଛି ଆଇଏମ୍‌ଏଫ୍‌ । 

ଏବେ ଚୀନ ଉପରେ ପାଶ୍ଚାତ୍ୟ ଦେଶ  ଗୁଡିକ ଆର୍ôଥକ କଟକଣା ଲାଗୁ କରୁଛନ୍ତି । ଏହା  ସତ୍ୱେ ମଧ୍ୟ ଡ୍ରାଗନ ଅଭିବୃଦ୍ଧି ଜାରି ରଖିଛି ।  ଚଳିତ ଆର୍ôଥକ ବର୍ଷରେ ଏହି ଦେଶର ଜିଡିପି  ୧୯,୭୯୦ ବିଲିୟନ ଡଲାର ରହିବା ନେଇ  ଆକଳନ କରାଯାଇଛି । ୩ୟ ସ୍ଥାନରେ ଥିବା  ଜର୍ମାନୀ ଜିଡିପି ଆସନ୍ତା ଆର୍ଥିକ ବର୍ଷରେ ୪୫୯୧  ବିଲିୟନ ଡଲାର ରହିପାରେ ।  

ସେହିଭଳି ପଞ୍ଚମ ସ୍ଥାନରେ ଜାପାନ  ରହିବାକୁ ଥିବା ବେଳେ ଏହାର ଜିଡିପି ୪୩୧୦  ବିଲିୟନ ଡଲାର, ୬ଷ୍ଠରେ ୟୁକେ ୩୬୮୫  ବିଲିୟନ ଡଲାର,୭ମ ଫ୍ରାନ୍ସ ୩୨୨୩ ବିଲିୟନ  ଡଲାର, ୮ତମ ସ୍ଥାନରେ ବ୍ରାଜିଲ ୨୪୩୮  ବିଲିୟନ ଡଲାର, ୯ମରେ ଇଟାଲି ୨୩୯୦  ବିଲିୟନ ଡଲାର ଏବଂ ଦଶମରେ କାନାଡା  ରହିବ । କାନାଡାର ଜିଡିପି ୨୩୬୧ କୋଟି  ଡଲାରକୁ ବଢ଼ିବ ବୋଲି ଆକଳନ କରିଛି  ଏହି ଏଜେନ୍ସି । 

ଭାରତ କଥା ବିଚାରକୁ ନେଲେ ଦେଶ  ଲଗାତର ଅଭିବୃଦ୍ଧି ଧାରା ଜାରି ରଖିଛି ।  ସରକାର ଗ୍ରହଣ କରୁଥିବା ନୀତିଗତ ପଦକ୍ଷେପ  ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ବେଶ  ସହାୟକ ହେଉଥିବା କୁହନ୍ତି ବିଶେଷଜ୍ଞ ।  ସରକାର ଗ୍ରହଣ କରିଥିବା ବିମୁଦ୍ରୀକରଣ,  ଜିଏସ୍‌ଟି, ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି  କୋଡ୍‌(ଆଇବିସି) ଅର୍ଥନୀତି ଲାଗି ବେଶ  ଲାଭକାରୀ ସାବ୍ୟସ୍ତ ହୋଇଛି । 

ସେହିଭଳି ଭିତ୍ତିଭୂମିରେ ଲଗାତାର ନିବେଶ  ଦ୍ୱାରା ସଡକ, ରେଳପଥ, ବିମାନବନ୍ଦର,  ବନ୍ଦର ଗୁଡିକୁ ବିକଶିତ କରାଯାଉଛି । ଏହା  ଦ୍ୱାରା ସଂଯୋଗୀକରଣ ତ୍ୱରାନ୍ୱିତ ହେବା ସହ  ବାଣିଜ୍ୟ ଏବଂ ଉଦ୍ୟୋଗ କ୍ଷେତ୍ରକୁ ବଳ ମିଳୁଛି ।  ଡିଜିଟାଲ ଇଣ୍ଡିଆ ଘରୋଇ ବଜାରରେ ଡିଜିଟାଲ ରୁପାନ୍ତରଣ ଏବଂ ଦକ୍ଷତା ଓ ଉଦ୍ଭାବନକୁ  ପ୍ରୋତ୍ସାହିତ କରୁଛି । ଏହାବାଦ ବିନିର୍ମାଣ  କ୍ଷେତ୍ରକୁ ଉତ୍ସାହିତ କରିବା ଦିଗରେ ସରକାର  ଗ୍ରହଣ କରିଥିବା ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ  ଏଫ୍‌ଡିଆଇ ଟାଣିବା ସହ ନୂଆ ନିଯୁକ୍ତି ଯୋଡୁଛି । 

ଭାରତ ଯୁବବର୍ଗଙ୍କ ଦେଶ ହୋଇଥିବାରୁ  ଏହା ଶିଳ୍ପ ଲାଗି ମାନବ ସମ୍ବଳ ଯୋଗାଣରେ  ସହାୟକ ହେଉଛି । ମଧ୍ୟବିତ୍ତଙ୍କ ଉତ୍ଥାନ ଯୋଗୁ  ଚାହିଦା ଦୃଷ୍ଟିକୋଣରୁ ଭାରତ ଏକ ପ୍ରମୁଖ  ଉପଭୋକ୍ତା ବଜାର ଭାବେ ଉଭା ହୋଇଛି ।  ଅନ୍ୟ ପଟେ ବିଶ୍ୱ ସ୍ତରୀୟ କମ୍ପାନିଗୁଡିକ ଚୀନରୁ  ସେମାନଙ୍କ କମ୍ପାନି ଭାରତକୁ ଏବେ ସ୍ଥାନାନ୍ତର  କରୁଛନ୍ତି । ଫଳରେ ଦେଶ ଗ୍ଲୋବାଲ ସପ୍ଲାଇ  ଚେନ୍‌ର ଅଂଶ ହେବା ସହ ଚୀନର ସମ୍ଭାବ୍ୟ  ବିକଳ୍ପ ଭାବେ ଛିଡା ହେଉଛି । 

ଭାରତୀୟ ଉତ୍ପାଦ ଉପରେ ଏବେ ବିଶ୍ୱ  ବଜାରର ବିଶ୍ୱାସ ଲଗାତାର ବଢ଼ିବାରେ ଲାଗିଛି ।  ଆଗାମି ଦିନ ଗୁଡିକରେ ଦେଶ ଅଭିବୃଦ୍ଧି ଯାତ୍ରା  ଜାରି ରଖିବ ବୋଲି ଅନୁମାନ କରାଯାଇଛି ।  ତେବେ ଏ କ୍ଷେତ୍ରରେ ଦରଦାମ ବୃଦ୍ଧି, ବେକାରୀ,  ଆୟ ଅସମାନତା ଏକ ଚ୍ୟାଲେଞ୍ଜ ଭାବେ  ଉଭା ହୋଇଛି । ଏସବୁ ସମସ୍ୟାର ସମାଧାନ  ସହ ଅଭିବୃଦ୍ଧି ଧାରା ବଜାୟ ରଖିବା ଉପରେ  ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି । 

ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  କହିଥିଲେ, ଚଳିତ ଆର୍ଥିକ ବର୍ଷରେ ଦେଶର  ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୨% ରହିବ । ନିବେଶ  ଏବଂ ଚାହିଦା ଭଳି ଦିଗ ଗୁଡିକ ଜିଡିପିକୁ ବଳ  ଦେବାରେ ବିଶେଷ ଭାବେ ସହାୟକ ହେବ ।