ନୂଆଦିଲ୍ଲୀ, ୨୦।: ଭାରତ ଦୁଇବର୍ଷ ମଧ୍ୟରେ ୮୦୦ କିମି ଦୂରତା ବିଶିଷ୍ଟ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରିବାକୁ ପ୍ରସ୍ତୁତ ହେଉଛି । ଏଥିସହ ୨୦୦ କିମିରୁ ଅଧିକ ଦୂରତା ବିଶିଷ୍ଟ ଆଷ୍ଟ୍ରା କ୍ଷେପଣାସ୍ତ୍ରର ନିର୍ମାଣ କାର୍ଯ୍ୟ ୨୦୨୬-୨୭ରେ ଆରମ୍ଭ ହେବ । ୮୦୦ କିମି ଦୂରତା ବିଶିଷ୍ଟ ବ୍ରହ୍ମୋସ କ୍ଷେପଣାସ୍ତ୍ର ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ରହିଛି, ଯେଉଁଥିରେ ଏକ ନୂତନ ଇଞ୍ଜିନ ରହିବା ସହିତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଜାରି ରହିଛି । ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏବଂ ସଠିକତା ସହ ଶତ୍ରୁର ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିପାରିବ । 

ବର୍ତ୍ତମାନର ୪୫୦ କିମି ଦୂରତା ବିଶିଷ୍ଟ ବ୍ରହ୍ମୋସ କ୍ଷେପଣାସ୍ତ୍ରଗୁଡ଼ିକ ବେଗ ଖୁବ୍ କ୍ଷୀପ୍ର । ମେ ମାସରେ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିବା ଲାଗି ସୁଖୋଇ-୩୦ ବିମାନ ଦ୍ୱାରା ଏଗୁଡ଼ିକୁ ବ୍ୟବହାର କରାଯାଇଥିଲା । ନୌସେନା କେବଳ ସପ୍ଟୱେର ଏବଂ କେବଳ କିଛି ବୈଷୟିକ ପରିବର୍ତ୍ତନ ସହିତ ଏହାର ଯୁଦ୍ଧ ଜାହାଜରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ସହଜରେ ୮୦୦ କିମି ଦୂରତା ପର୍ଯ୍ୟନ୍ତ ଅପଗ୍ରେଡ୍ କରିପାରିବ । ନୌସେନା ଏବଂ ସେନା ପ୍ରଥମେ ଏହି ନୂତନ କ୍ଷେପଣାସ୍ତ୍ରକୁ ବ୍ୟବହାର କରିବେ । ଆକାଶରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରସ୍ତୁତ ହେବାକୁ ଆହୁରି କିଛି ସମୟ ଲାଗିବ ।

ଆଷ୍ଟ୍ରା ମାର୍କ-୨ କ୍ଷେପଣାସ୍ତ୍ରର ପରିସର ବୃଦ୍ଧି ଉପରେ ଜାରି ରହିଛି କାର୍ଯ୍ୟ:

ଡିଆରଡିଓ ଆଷ୍ଟ୍ରା ମାର୍କ-୨ କ୍ଷେପଣାସ୍ତ୍ରର ପରିସରକୁ ୧୬୦ କିମିରୁ ବୃଦ୍ଧି କରି ୨୦୦ କିମିରୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ କାମ କରୁଛି । ଭାରତୀୟ ବାୟୁସେନା ୨୮୦ରୁ ଅଧିକ ଆଷ୍ଟ୍ରା ମାର୍କ-୨ କ୍ଷେପଣାସ୍ତ୍ର ସାମିଲ କରିବା ଆରମ୍ଭ କରିଛି, ଯାହା ୧୦୦ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ । ଯଦି ପରୀକ୍ଷଣ ସଫଳ ହୁଏ, ତେବେ ୬ ମାସ ମଧ୍ୟରେ ଷ୍ଟ୍ରା ମାର୍କ-୨ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ । ବାୟୁସେନା ଏହାର ସୁଖୋଇ ଏବଂ ତେଜସ୍ ବିମାନ ପାଇଁ ୭୦୦ ମାର୍କ-୨ କ୍ଷେପଣାସ୍ତ୍ର ହାସଲ କରିବାକୁ ଯୋଜନା କରୁଛି । ଏହାସହିତ ୩୫୦ କିମି ପରିସର ବିଶିଷ୍ଟ ଏକ ମାର୍କ-୩ କ୍ଷେପଣାସ୍ତ୍ର ମଧ୍ୟ ବିକଶିତ କରାଯାଉଛି, ଯାହା ୩ ବର୍ଷ ମଧ୍ୟରେ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ​​​​​​​