ନୂଆଦିଲ୍ଲୀ,୨୭।୧୧: ଚୀନ୍ ବାଟରେ ନେପାଳ। ଏବେ ଭାରତର ଜାଗାକୁ ନିଜର ବୋଲି ଦେଖାଇଛି। ନିଜର ନୂତନ ୧୦୦ ଟଙ୍କିଆ ନୋଟ୍‌ରେ ଭାରତର ୩ଟି ସ୍ଥାନକୁ ନିଜର ଦେଖାଇବା ପରେ ବିବାଦ ବଢିଛି। ଏହା ଦ୍ବାରା ଦୁଇ ଦେଶ ଭିତରେ ଥିବା ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି। ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ୧୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିଛି। ଏଥିରେ ଦେଶର ସଂଶୋଧିତ ରାଜନୈତିକ ମାନଚିତ୍ର ଛପା ଯାଇଛି।

୧୦୦ ଟଙ୍କିଆ କରେନ୍ସିରେ ଛପା ଯାଇଥିବା ମାନଚିତ୍ରରେ ନେପାଳ ବିବାଦୀୟ କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନିଜର ବୋଲି କହିଛି। ନେପାଳର ଏହି କାର୍ଯ୍ୟକୁ ଭାରତ ବିରୋଧ କରିଛି। ଏହା ସହ କହିଛି ଏଭଳି ପଦକ୍ଷେପ ‘ଏକତରପା’ ଓ ‘କୃତ୍ରିମ ଆଞ୍ଚଳିକ ବିସ୍ତାର’। ନେପାଳ ରାଷ୍ଟ୍ରୀୟ ବ୍ୟାଙ୍କ (ଏନ୍ଆରବି) ଦ୍ବାରା ଜାରି ଏହି ନୂଆ ନୋଟ୍ ଉପରେ ପୂର୍ବତନ ଗର୍ଭନର ଡକ୍ଟର ମହାପ୍ରସାଦ ଅଧିକାରୀଙ୍କ ସାକ୍ଷର ରହିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ବାଧୀନ ସରକାର ମଇ ୨୦୨୦ ରେ ସଂସଦରୁ ସମ୍ବିଧାନ ସଂଶୋଧନ ପାସ୍ କରି କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳରେ ସାମିଲ କରି ନୂଆ ମାନଚିତ୍ରକୁ ମାନ୍ୟତା ଦେଇଥିଲେ। ଏବେ ସେହି ସଂଶୋଧିତ ମାନଚିତ୍ର ୧୦୦ ଟଙ୍କିଆ ନୋଟ୍‌ ଛପା ଯାଇଛି।

ନେପାଳର ଏହି କାର୍ଯ୍ୟକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି। ଭାରତ କହିଛି, ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ଆମର ଅଭିନ୍ନ ଅଙ୍ଗ। ନେପାଳର ଏହି ପଦକ୍ଷେପ ତଥ୍ୟାତ୍ମକ ଭାବରେ ଭୁଲ। ନେପାଳର ସୀମା ୫ ଭାରତୀୟ ରାଜ୍ୟ ସିକିମ୍ମ, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ୧,୮୫୦ କିଲୋମିଟରରୁ ଅଧିକ ରହିଛି। ଦୁଇ ଦେଶ ଭିତରେ ଏହି କ୍ଷେତ୍ରକୁ ନେଇ ଦୀର୍ଘ ସମୟଧରି ବିବାଦ ଚାଲିଛି।