ନୂଆଦିଲ୍ଲୀ,୨୩/୦୩: କେନ୍ଦ୍ର ସରକାର ପିଆଜ ଉପରେ ୨୦% ରପ୍ତାନି ଶୁଳ୍କକୁ ହଟାଇ ଦେଇଛନ୍ତି । ଏପ୍ରିଲ ୧ରୁ  ଏ ନିଷ୍ପତ୍ତି ଲାଗୁ ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଶନିବାର ଜାରି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି । 

ପିଆଜ ଯୋଗାଣରେ  ସୁଧାର ଏବଂ ଦର ସ୍ଥିର ହେବା ସହ ଖାଉଟି ବ୍ୟାପାର  ବିଭାଗର ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଘରୋଇ ବଜାରରେ ଉପଲବ୍ଧତା ବଢ଼ାଇବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଏହାସହିତ ଏକ ସର୍ବନିମ୍ନ ରପ୍ତାନି ମୂଲ୍ୟ(ଏମ୍‌ଇପି)  ଲଗାଇଥିଲେ । ୨୦୨୪  ସେପ୍ଟେମ୍ବରରୁ କଟକଣା ଲଗାଯାଇଥିଲା । ରବି ଫସଲ ଉତ୍ପାଦନ ବୃଦ୍ଧି  ଅନୁମାନ ରହିଥିବାବେଳେ କଟକଣାକୁ ଉଠାଇ ଦିଆଯାଇଛି ।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ପିଆଜ  ରପ୍ତାନି ପରିମାଣ ୧୭.୧୭ ଲକ୍ଷ ମେଟ୍ରିକ୍‌ଟନ ରହିଥିଲା ।  ୨୦୨୪-୨୫(ମାର୍ଚ୍ଚ ୧୮ ସୁଦ୍ଧା) ଏହା ୧୧.୬୫ ଲକ୍ଷ ମେଟ୍ରିକ୍‌ଟନ  ରହିଛି । ୨୦୨୪ ସେପ୍ଟେମ୍ବରରେ ୦.୭୨ ଲକ୍ଷ ମେଟ୍ରିକ୍‌ଟନ  ପିଆଜ ରପ୍ତାନି ହୋଇଥିବାବେଳେ ୨୦୨୫ ଜାନୁଆରୀରେ ଏହା  ୧.୮୫ ଲକ୍ଷ ମେଟ୍ରିକ୍‌ଟନକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।