ନୂଆଦିଲ୍ଲୀ,୦୪/୧୨: ଆଜିଠୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ରାଜିନାମା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ।ଏଥି ମଧ୍ୟରେ ପୁଟିନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଋଷ୍ ସଂସଦର ନିମ୍ନ ସଦନ ଷ୍ଟେଟ୍ ଡୁମା ଭାରତ ସହ ଏକ ଅତୀବ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ଅନୁମୋଦନ କରିଛି।

ଫେବୃଆରୀ ୧୮ରେ ଦୁଇ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ପାରସ୍ପରିକ ଲଜିଷ୍ଟିକ୍ ସପୋର୍ଟ ଆଦାନପ୍ରଦାନ ବା ଆର୍‌ଇଏଲ୍ଓଏସ୍ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ଅନୁମୋଦନ ପାଇଁ ଡୁମାକୁ ପଠାଯାଇଥିଲା। ଗୃହର ପୂର୍ଣ୍ଣାଙ୍ଗ ଅଧିବେଶନରେ ବାଚସ୍ପତି ଭିଆଚେସ୍ଲାଭ୍ ଭୋଲୋଡିନ୍ କହିଛନ୍ତି, ଭାରତ ସହ ଆମର ସମ୍ପର୍କ ରଣନୀତିକ ଓ ବ୍ୟାପକ ଏବଂ ଆମେ ଏହାକୁ ଗୁରୁତ୍ୱ ଦେଉଛୁ। ଆମେ ବୁଝିପାରୁଛୁ ଯେ ଆଜିର ଚୁକ୍ତିନାମାର ଅନୁମୋଦନ ପାରସ୍ପରିକତା ଏବଂ ଆମ ସମ୍ପର୍କର ବିକାଶ ଦିଗରେ ଆଉ ଏକ ବିଶାଳ ପଦକ୍ଷେପ ।

ଆର୍‌ଇଏଲ୍ଓଏସ୍ ଚୁକ୍ତିନାମା ଋଷ୍ର ସାମରିକ ଫର୍ମେସନ, ଯୁଦ୍ଧ ଜାହାଜ ଓ ସାମରିକ ବିମାନ ଭାରତକୁ ପଠାଇବା ଏବଂ ଭାରତରୁ ବି ରୁଷ୍କୁ ପଠାଇବା ତଥା ପାରସ୍ପରିକ ଲଜିଷ୍ଟିକ୍ ସହଯୋଗ ଉପରେ ଆଧାରିତ। ଏହି ଚୁକ୍ତିନାମା କେବଳ ସୈନ୍ୟ ଓ ଉପକରଣ ପଠାଇବା ନୁହେଁ ବରଂ ସେମାନଙ୍କର ଲଜିଷ୍ଟିକ୍ସକୁ ମଧ୍ୟ ନିୟନ୍ତ୍ରଣ କରିବ। ମିଳିତ ଅଭ୍ୟାସ, ପ୍ରଶିକ୍ଷଣ, ମାନବିକ ସହାୟତା, ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ପରେ ରିଲିଫ୍ ପ୍ରୟାସ ଓ ସହମତି ଅନୁଯାୟୀ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ପଦ୍ଧତି ବ୍ୟବହୃତ ହେବ। ଡୁମା ୱେବ୍ସାଇଟ୍ରେ ପୋଷ୍ଟ କରାଯାଇଥିବା ଏକ ନୋଟ୍ରେ ରୁଷ୍ର କ୍ୟାବିନେଟ୍ ଅଫ୍ ମିନିଷ୍ଟର୍ସ କହିଛି ଯେ, ଦସ୍ତାବିଜର ଅନୁମୋଦନ ଋଷ୍ ଓ ଭାରତୀୟ ଯୁଦ୍ଧ ଜାହାଜ ଦ୍ୱାରା ଦୁଇ ଦେଶର ବାୟୁସୀମା ଓ ବନ୍ଦରର ପାରସ୍ପରିକ ବ୍ୟବହାରକୁ ସହଜ କରିବ। ଏହା ବ୍ୟତୀତ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗକୁ ମଜବୁତ କରିବ ବୋଲି କୁହାଯାଇଛି। ତେବେ ପୁଟିନଙ୍କ ଏହି ଗସ୍ତ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ ରହିବାକୁ ଥିବା ହୋଟେଲ ଓ ତାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।