ନୂଆଦିଲ୍ଲୀ: ମନି ଲଣ୍ଡରିଂ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି। ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ନିଜର ରିପୋର୍ଟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର କାର୍ଯ୍ୟକୁ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ମଡେଲ୍ ଭାବରେ ବର୍ଣ୍ଣନା କରିଛି । ରିପୋର୍ଟରେ ଭାରତର ଆଇନଗତ ବ୍ୟବସ୍ଥା ଏବଂ ମନି ଲଣ୍ଡରିଂ ବିରୋଧୀ ବ୍ୟବସ୍ଥାକୁ ଦୃଢ଼ ଓ ନିର୍ଭରଯୋଗ୍ୟ ବୋଲି ଦର୍ଶାଯାଇଛି । ଏହା ସମ୍ପତ୍ତି ଜବତ ଏବଂ ପୁନର୍ବାସ କ୍ଷେତ୍ରରେ ଏକ ବିଶ୍ୱବ୍ୟାପୀ ଉଦାହରଣ ଭାବରେ କାର୍ଯ୍ୟ କରେ ବୋଲି କୁହାଯାଇଛି । ରିପୋର୍ଟରେ ଅନେକ ଉଦାହରଣ ମଧ୍ୟ ଉଲ୍ଲେଖ କରାଯାଇଛି।
ଏଫଏଟିଏଫ୍ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠି ଯୋଗାଣ ମୁକାବିଲା ପାଇଁ ବିଶ୍ୱ ମାନଦଣ୍ଡ ସ୍ଥିର କରେ । ୩୪୦ ପୃଷ୍ଠାର ଏହି ରିପୋର୍ଟରେ ଭାରତର ଆଇନଗତ ଢାଞ୍ଚା ଏବଂ ଇଡିର କାର୍ଯ୍ୟ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତ ଆର୍ଥିକ ଅପରାଧ ସହ ଜଡ଼ିତ ସାର୍ବଜନୀନ ସମ୍ପତ୍ତିକୁ ଜବତ କରି ସମାଜର ହିତ ପାଇଁ ବ୍ୟବହାର କରିବା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ନେଇଛି। ଭାରତର କାର୍ଯ୍ୟ ଅନ୍ୟ ଦେଶଗୁଡ଼ିକ ଲାଗି ପ୍ରେରଣାଦାୟୀ।
ରୋଜ ଭ୍ୟାଲି ଚିଟ୍ ପଣ୍ଡ ପୀଡିତମାନଙ୍କୁ ସମ୍ପତ୍ତି ଫେରସ୍ତ, ଆମେରିକାରୁ ପ୍ରାପ୍ତ ଏକ ନିଶା କାରବାର ମାମଲାରେ ୧୩୦ କୋଟି ଟଙ୍କା ମୂଲ୍ୟର ବିଟକଏନ ଜବତ ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ ସିଆଇଡି ସହଯୋଗରେ ଏକ ନିବେଶ ଠକେଇ ମାମଲାରେ ୬,୦୦୦ କୋଟି ମୂଲ୍ୟର ସମ୍ପତ୍ତି ପୁନରୁଦ୍ଧାର ସମେତ ଅନେକ ଇଡି ମାମଲା ଆଦି ଏଫଏଟିଏଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସବୁ ମାମଲାଗୁଡ଼ିକରେ ଇଡିର ଶୀଘ୍ରତା ଏବଂ ସ୍ୱଚ୍ଛତାକୁ ପ୍ରଶଂସା କରିଛି ଏଫଏଟିଏଫ୍ ।
ରିପୋର୍ଟରେ ମହାରାଷ୍ଟ୍ରର ଏକ ସମବାୟ ବ୍ୟାଙ୍କରେ ସାଧାରଣ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ନିର୍ଦ୍ଦିଷ୍ଟ ମାମଲା ଉଲ୍ଲେଖ କରାଯାଇଛି । ଏହି ମାମଲାରେ, ଇଡି ୨୮୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତି ଜବତ କରିଛି ଏବଂ ନିଲାମରୁ ପ୍ରାପ୍ତ ଅର୍ଥ ପୀଡିତମାନଙ୍କୁ ଫେରାଇ ଦେଇଛି । FATF ଏହି ଉଦାହରଣକୁ ସାମାଜିକ ବ୍ୟବହାର ପାଇଁ ସମ୍ପତ୍ତି ଜବତର ଏକ ମଡେଲ ଭାବରେ ବର୍ଣ୍ଣନା କରିଛି । ଜବତ ଜମିକୁ ଭାରତରେ ନୂତନ ବିମାନବନ୍ଦର ବ୍ୟବହାର କରାଯାଉଛି, ଯାହା ସିଧାସଳଖ ସାଧାରଣ ଜନତାଙ୍କୁ ଲାଭ ଦେଉଛି । ପିଏମଏଲଏ ଆଇନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ଏଫଏଟିଏଫ ।